ବନାଞ୍ଚଳର ବିସ୍ତୃତି

ଯୁକ୍ତରାଷ୍ଟ୍ର ଆମେରିକାର ୩୨ତମ ରାଷ୍ଟ୍ରପତି ଫ୍ରାଙ୍କଲିନ୍‌ ଡି.ରୁଜଭେଲ୍ଟ ଏକଦା କହିଥିଲେ, ଯେଉଁ ରାଷ୍ଟ୍ର ତା’ର ମୃତ୍ତିକାକୁ ଧ୍ୱଂସ କରେ, ସେହି ରାଷ୍ଟ୍ର ନିଜକୁ ହିଁ ଧ୍ୱଂସ କରିଥାଏ। ଜଙ୍ଗଲଗୁଡ଼ିକ ହେଉଛି ଆମେ ବାସ କରୁଥିବା ଏଇ ଧରିତ୍ରୀର ଫୁସ୍‌ଫୁସ୍‌; ଯାହା ବାୟୁକୁ ପରିଷ୍କୃତ କରିବା ସହିତ ଲୋକମାନଙ୍କୁ ସତେଜ ଶକ୍ତି ଓ ସ୍ଫୂର୍ତ୍ତି ପ୍ରଦାନ କରୁଅଛି। ଏହା ବ୍ୟତୀତ ଗଛ ସମ୍ବନ୍ଧରେ ବର୍ଣ୍ଣିତ ସେଇ ମହାନ୍‌ କାହାଣୀ ଯେଉଁଥିରେ ଜଣେ ମଣିଷର ପିଲାବେଳେ କିପରି ଗଛ ତାକୁ ଫଳ ଦେଇଛି ଖାଇବାକୁ ଏବଂ ତା’ର ସବୁ ପର୍ଯ୍ୟାୟରେ ତାକୁ ସାହାଯ୍ୟ କରିବା ସହିତ ବୃଦ୍ଧାବସ୍ଥାରେ ଯେତେବେଳେ ସେ ପ୍ରବଳ ଶୀତରେ ଥରୁଛି କେମିତି କେବଳ ଥୁଣ୍ଟା ହୋଇ ଯାଇଥିଲେ ସୁଦ୍ଧା ସେକି ନେବାକୁ, ସେ କଥା ତ ଊଣା ଅଧିକ ସମସ୍ତେ ଜାଣନ୍ତି। ତେଣୁ ଗଛ ବା ଜଙ୍ଗଲ ଯେ ମଣିଷ ଜୀବନ ପାଇଁ ଅପରିହାର୍ଯ୍ୟ, ଏହା କହିବା ଅତିଶୟୋକ୍ତି ହେବନାହିଁ। କହିବାର ତାତ୍ପର୍ଯ୍ୟ ଇଂଲିଶ ନବବର୍ଷ ୨୦୨୨ ପୃଥିବୀ ପୃଷ୍ଠରେ ପାଦ ଥାପିବାର ମାତ୍ର ଦୁଇଦିନ ପୂର୍ବରୁ ଅର୍ଥାତ୍‌ ଡିସେମ୍ବର ୨୯ ତାରିଖ ଦିନ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର ଉନ୍ମୋଚନ କରିଛନ୍ତି ଏଫ୍‌ଏସ୍‌ଆଇ ଦ୍ୱାରା ପ୍ରସ୍ତୁତ ଆଇଏସ୍‌ଏଫ୍‌ଆର ରିପୋର୍ଟ ୨୦୨୧। ପ୍ରତି ଦୁଇବର୍ଷରେ ଥରେ ପ୍ରକାଶିତ ହେଉଥିବା ଏହି ରିପୋର୍ଟ ସମଗ୍ର ଦେଶର ତଥା ରାଜ୍ୟଗୁଡ଼ିକର ଜଙ୍ଗଲର ବିସ୍ତୃତି, ବନସ୍ପତି ଘନତ୍ୱ, ବୃକ୍ଷ ଆଚ୍ଛାଦନ, ମାନ୍ୟତାପ୍ରାପ୍ତ ଜଙ୍ଗଲ ବାହାରେ ହୋଇଥିବା ନବୀକରଣ, ବୃକ୍ଷରୋପଣ ଇତ୍ୟାଦି ସମ୍ବନ୍ଧରେ ସବିଶେଷ ବିବରଣୀ ପ୍ରଦାନ କରିଥାଏ। ତେଣୁ ସମଗ୍ର ପ୍ରାଣୀ ସମାଜ ପାଇଁ ଅପରିହାର୍ଯ୍ୟ ଜଙ୍ଗଲ ସମ୍ପର୍କିତ ଏହି ରିପୋର୍ଟ ଉଭୟ ଦେଶ ଓ ରାଜ୍ୟ ସରକାରମାନଙ୍କ ପାଇଁ ଗୁରୁତ୍ୱ ବହନ କରେ। ଏତଦ୍‌ବ୍ୟତୀତ ବିଗତ କିଛିବର୍ଷ ଧରି ବିକାଶ ନାମରେ ଯେପରି ଭାବରେ ଜଙ୍ଗଲ ଧ୍ୱଂସ କରାଯାଉଥିବାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଆସିଛି, ସେହି ପରିପ୍ରେକ୍ଷୀରେ ରିପୋର୍ଟର ଗୁରୁତ୍ୱ ଅଧିକ ରହିବା ସ୍ବାଭାବିକ। ତେବେ ଚଳିତଥରର ରିପୋର୍ଟ ସମସ୍ତଙ୍କ ପାଇଁ ସୁବାର୍ତ୍ତାଟିଏ ଆଣି ଦେଇଛି ଯେ ୨୦୧୭ଠାରୁ ଏଯାବତ୍‌ ଦେଶର ଜଙ୍ଗଲ ଅଞ୍ଚଳର ବୃଦ୍ଧି ଘଟିଛି ୦.୫୬ ପ୍ରତିଶତ। ଫଳରେ ଦେଶର ମୋଟ ଭୌଗୋଳିକ ଅଞ୍ଚଳର ୨୧.୬୭ ପ୍ରତିଶତ ହୋଇଛି ଜଙ୍ଗଲ ଆଚ୍ଛାଦିତ। ସୂଚାଇ ଦିଆଯାଇପାରେ କି, ଯେ କୌଣସି ଦେଶର ମଙ୍ଗଳ ଦୃଷ୍ଟିରୁ ଏହାର ଭୌଗୋଳିକ ଅଞ୍ଚଳର ଏକ ତୃତୀୟାଂଶ ଜଙ୍ଗଲ ରହିବା ବିଧେୟ ଏବଂ ଭାରତ ଏହା କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି।
ରିପୋର୍ଟ ପ୍ରକାଶ କରିବା ଅବସରରେ ମନ୍ତ୍ରୀ ଜାଭଡେକର ସୂଚନା ପ୍ରଦାନ କରିଛନ୍ତି ଯେ, ବିଶ୍ୱର ଯେଉଁ ସ୍ବଳ୍ପ ସଂଖ୍ୟକ ଦେଶଗୁଡ଼ିକର ବନାଞ୍ଚଳ ବୃଦ୍ଧି ପାଇଛି, ସେମାନଙ୍କ ମଧ୍ୟରେ ଭାରତ ଅନ୍ୟତମ। ଏହା ଯେ ଏକ ଶୁଭ ତଥା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହେବା ଭଳି ସୂଚନା, ତହିଁରେ ସନ୍ଦେହ ନାହିଁ, କାରଣ ପ୍ୟାରିସ୍‌ ଜଳବାୟୁ ରାଜିନାମା ଅନୁସାରେ ଭାରତ ୨୦୩୦ ସୁଦ୍ଧା ଅତିରିକ୍ତ ୨.୫ରୁ ୩ ବିଲିୟନ ଟନ୍‌ ଅଙ୍ଗାରକାମ୍ଳ ବାଷ୍ପର ସଂକୁଚନ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ। ତେବେ ପୂର୍ବର ସବୁଥର ଭଳି ଏଥର ମଧ୍ୟ ଏହି ରିପୋର୍ଟ ଜଙ୍ଗଲ ବା ବନାଞ୍ଚଳର ସଂଜ୍ଞାକୁ ନେଇ ବିତର୍କର ସୂତ୍ରପାତ କରିଛି। ବନାଞ୍ଚଳର ସଂଜ୍ଞା ନିରୂପଣ କରିବାକୁ ଯାଇ ଏଫ୍‌ଏସ୍‌ଆଇ କହିଛି ଯେ ମାଲିକାନା, ଜମିର ଆଇନଗତ ସ୍ଥିତି ଏବଂ ବୃକ୍ଷମାନଙ୍କର ପ୍ରଜାତି ନିର୍ବିଶେଷରେ ଏକ ହେକ୍ଟର କିମ୍ବା ତା’ ଠାରୁ ଅଧିକ ଆକାରର ଘଞ୍ଚବୃକ୍ଷାଚ୍ଛାଦିତ ଅଞ୍ଚଳକୁ ଜଙ୍ଗଲ କୁହାଯିବ। ଅନେକଙ୍କ ମତରେ ଏହା କିନ୍ତୁ ସ୍ପଷ୍ଟ ଭାବରେ ଜଙ୍ଗଲର ସଂଜ୍ଞାକୁ ନିର୍ଦ୍ଧାରିତ କରେନାହିଁ। କାରଣ ପାରିବେଶିକ ବ୍ୟବସ୍ଥା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ଜଙ୍ଗଲ ବା ବନାଞ୍ଚଳର ସ୍ଥିତି ସମ୍ବନ୍ଧରେ ଅର୍ଥାତ୍‌ ଏହି ଧରଣର ଜଙ୍ଗଲ କ୍ଷେତ୍ରରେ କ’ଣ ସବୁ ଘଟୁଛି, ସେ ବାବଦରେ ଏହା କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରୁନାହିଁ। ସଙ୍ଗେ ସଙ୍ଗେ ଉପଗ୍ରହ ଜରିଆରେ ସଂଗୃହୀତ ସୂଚନା ଏବଂ ସରକାରୀ ନଥି ଭିତ୍ତିକ ସର୍ଭେର ପ୍ରଣାଳୀରେ ପରିବର୍ତ୍ତନ କରାଯିବା ଆବଶ୍ୟକ ବୋଲି ମଧ୍ୟ ଉପରୋକ୍ତ ବ୍ୟକ୍ତିମାନେ ଦାବି କରନ୍ତି। ଏହାଦ୍ୱାରା କେବଳ ଜଙ୍ଗଲ ଆଚ୍ଛାଦନର ଆକାର ନିର୍ଦ୍ଧାରଣ ବା ମାପ ତଥା ବର୍ଗୀକରଣ ବ୍ୟତୀତ ଆବାସି ଜଙ୍ଗଲଗୁଡ଼ିକର ଗୁଣାତ୍ମକ ଦିଗସବୁକୁ ମଧ୍ୟ ହିସାବକୁ ନିଆଯାଇପାରିବ; ତଦ୍ଦ୍ବାରା ଏହା ମଧ୍ୟରେ ପରିବେଶ ସହିତ ଜୀବନ ଜୀବିକା ସହାୟତା ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରିବ। ଉଦାହରଣ ସ୍ବରୂପ ମଝିରେ ମଝିରେ ଖୋଲା ସ୍ଥାନ ଥିବା ଜଙ୍ଗଲଗୁଡ଼ିକ ଅତି ଘଞ୍ଚଜଙ୍ଗଲ ବର୍ଗରେ ହୁଏତ ସାମିଲ ହୋଇ ନ ପାରନ୍ତି, କିନ୍ତୁ ପାରିବେଶିକ ବ୍ୟବସ୍ଥା ତଥା ଜୈବ ବିବିଧତାକୁ ସହାୟତା ପ୍ରଦାନ କରିବାରେ ମଧ୍ୟ ଏଗୁଡ଼ିକର ଯଥେଷ୍ଟ ଭୂମିକା ରହୁଥିବାରୁ ଏମାନଙ୍କୁ ଘଞ୍ଚ ଜଙ୍ଗଲଠାରୁ କୌଣସି ଗୁଣରେ ନୂ୍ୟନ ବୋଲି ବିଚାର କରାଯାଇପାରିବନାହିଁ। ପୁନଶ୍ଚ ବନ ସମ୍ବଳର ପ୍ରକୃତ ବା ବାସ୍ତବ ସ୍ଥିତି ଜାଣିବା ନିମନ୍ତେ ସରକାରୀ ଯାଞ୍ଚ ଜରିଆରେ ଏକ ତୃଣମୂଳସ୍ତରୀୟ ଆକଳନ ହେବା ନିତାନ୍ତ ଆବଶ୍ୟକ। ଦେଶର ସବୁ ରାଜ୍ୟର ଜଙ୍ଗଲଗୁଡ଼ିକରେ ସରକାର ଓ ଜନସାଧାରଣଙ୍କ ସମ୍ପୃକ୍ତି ବେଳକୁ ବେଳ ବୃଦ୍ଧି ପାଉଛି।
୭ ଏକ୍ସଟେନସନ ରୋଡ, ପୁରୁଣା ସୋନାରୀ, ଜାମସେଦପୁର, ମୋ:୭୪୮୮୯୯୮୫୩୨


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri