ପୋଙ୍ଗୟାଙ୍ଗ, ୧୨।୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ପୁଣି ଥରେ ଆଣବିକ ଅସ୍ତ୍ରଶସ୍ତ୍ର କଟକଣାକୁ ଅବମାନନା କରି ପୃଥିବୀ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତିି। ସୋମବାର ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଥିବା କିମ୍ ମଙ୍ଗଳବାର ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଏହି ଖବର ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି।
ଏହି ଅବସରରେ କିମ୍ ଦେଶର ପ୍ରତିରକ୍ଷା କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ବିଷୟରେ କହିଥିଲେ। ଦକ୍ଷିଣ କୋରିଆ ଏବଂ ଜାପାନର ସୈନ୍ୟବାହିନୀ ପକ୍ଷରୁ ଏହି ପରୀକ୍ଷା ହୋଇଥିବା ସମ୍ପର୍କରେ ମଧ୍ୟ ନିଶ୍ଚିତ କରିଛନ୍ତି।
ପରୀକ୍ଷା କରାଯାଇଥିବା ସୁପର ସୋନିକ୍ କ୍ଷେପଣାସ୍ତ୍ର ଶବ୍ଦଠାରୁ ୧୦ ଗୁଣା ଅଧିକ ବେଗରେ ସର୍ବାଧିକ ୬୦ କିଲୋମିଟର ଉଚ୍ଚତାରେ ୭୦୦ କିଲୋମିଟର (୪୩୫ ମାଇଲ) ଯାତ୍ରା କରିଛି ବୋଲି ଦକ୍ଷିଣ କୋରିଆ ଅଧିକାରୀମାନେ କହିଛନ୍ତି।
ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା କହିଛନ୍ତି ଯେ ଉତ୍ତର କୋରିଆ କ୍ଷେପଣାସ୍ତ୍ର ପରୀକ୍ଷଣ ଜାରି ରଖିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା।
ଆମେରିକା ଏବଂ ଏହାର ପାଞ୍ଚ ସହଯୋଗୀ ଉତ୍ତର କୋରିଆକୁ ନିଷିଦ୍ଧ ଆଣବିକ ଏବଂ ବାଲିଷ୍ଟିକ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଛାଡିବାକୁ ଅନୁରୋଧ କରିଛନ୍ତି। ଏଥିସହିତ ଆମେରିକା ସହିତ ପାଞ୍ଚ ସହଯୋଗୀ ପୋଙ୍ଗୟାଙ୍ଗର କ୍ଷେପଣାସ୍ତ୍ର ଉତକ୍ଷେପଣ କାର୍ଯ୍ୟ ସହିତ ଅସ୍ଥିରତା ଏବଂ ବେଆଇନ ପଦକ୍ଷେପକୁ ବିରୋଧ କରାଯାଇ ଜାତିସଂଘ ସୁରକ୍ଷା ପରିଷଦ ଅପିଲ୍ କରିଛନ୍ତି।