ଝାରସୁଗୁଡ଼ା,୨୫।୫(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରସ୍ଥିତ ମନମୋହନ ଏମ୍.ଇ. ସ୍କୁଲ ପଡ଼ିଆଠାରେ ଝାରସୁଗୁଡ଼ା ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ନାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ରେ ମଙ୍ଗଳ ବଜାର ସୁପର କିଙ୍ଗ୍ସକୁ ପରାସ୍ତ କରି ଝାରସୁଗୁଡ଼ା ଟାଉନ୍ ବୀର୍ସ ଚାମ୍ପିୟନ ହୋଇଛି।
ମଙ୍ଗଳ ବଜାର ସୁପର କିଙ୍ଗ୍ସ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ୍ ହରାଇ ୧୬୬ ରନ୍ ସଂଗ୍ରହ କରିଥିଲା। ଜବାବରେ ଝାରସୁଗୁଡ଼ା ଟାଉନ ବୀର୍ସ ୧୭.୩ ଓଭରରେ ଗୋଟିଏ ଉଇକେଟ ହରାଇ ବିଜୟ ହାସଲ କରିଥିଲା। ଦଳ ପକ୍ଷରୁ ଅଶ୍ୱିନୀ କୁମାର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ମ୍ୟାନ୍ ଅଫ୍ ଦି ସିରିଜ୍ ଭାବେ ବିବେଚିତ ହୋଇଛନ୍ତି। ସେହିପରି ଶ୍ରେଷ୍ଠ ଉଇକେଟ୍ କିପର ଭାବେ ଅରୁଣ ପଣ୍ଡିତ, ଶ୍ରେଷ୍ଠ ଫିଲ୍ଡର ମାନସ ରଞ୍ଜନ ମିଶ୍ର, ଶ୍ରେଷ୍ଠ ବ୍ୟାଟର ବିପ୍ଳବ ସାମନ୍ତରାୟ, ଶ୍ରେଷ୍ଠ ବୋଲର ଭାବେ ଅମିତ ଦାସ ପୁରସ୍କୃତ ହୋଇଛନ୍ତି।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇ ଚାମ୍ପିୟନ ଏବଂ ରନର ଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏଥିରେ ଅନ୍ୟ ଅତିଥି ଭାବେ ସାମାଜିକ କର୍ମୀ ଦୁର୍ଗେଶ ମହାନ୍ତି ଯୋଗଦେଇଥିଲେ। ମ୍ୟାଚ୍ରେ ଅମ୍ପାୟାର ଭାବେ ଆଶୁତୋଷ ପାଣି ଓ ଜସବିନ୍ଦର ସିଂହ, ମ୍ୟାଚ୍ ରେଫରି ଭାବେ ପ୍ରଜ୍ଜ୍ୱଳ ପଟେଲ, ସ୍କୋରର ଭାବେ ମହମ୍ମଦ ନାସିର ମଲ୍ଲିକ, ଭାଷ୍ୟକାର ଭାବେ ରାକେଶ ବେହେରା, ଏସ୍. ବି. ସିମ୍ରନ କାର୍ଯ୍ୟ ତୁଲାଇଥିଲେ।

