ବଲାଙ୍ଗୀର ଅଫିସ, ୨୩।୧୦: ବଲାଙ୍ଗୀର ସମଲେଶ୍ୱରୀ ମନ୍ଦିରରେ ଶୁକ୍ରବାର ଅପରାହ୍ଣ ପ୍ରାୟ ୪ଟା ସମୟରେ ଛାତ ଭୁଶୁଡି ପଡିଥିବା ଜଣାପଡିଛି। ମନ୍ଦିର ମୁଖଶାଳାର ଡାହାଣ ପଟ ଛାତର ଅଧା ଅଂଶ ଖସି ପଡିଥିଲା। ଏହି ସମୟରେ ମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ଭିଡ ନ ଥିତ୍ବାରୁ ଏକ ବଡଧରଣର ଦୁର୍ଘଟଣା ଟଳିଛି। ତେବେ ମନ୍ଦିର ଛାତ ଭୁଶିଡିବା ଫଳରେ ନୀତିକାନ୍ତି ବନ୍ଦ ହୋଇଥିବା ଜଣାପଡିଛି। ଏହାର ପ୍ରତିବାଦରେ ବହୁ ଶ୍ରଦ୍ଧାଳୁ ସମଲେଶ୍ୱରୀ ମନ୍ଦିର ରାସ୍ତାରେ ରାସ୍ତାରୋକୋ କରିିଥିଲେ। ପ୍ରଶାସନର ଅବହେଳାରୁ ଇଷ୍ଟଦେବୀ ସମଲେଶ୍ୱରୀଙ୍କ ମନ୍ଦିର ଛାତ ଭୁଶୁଡିବା ପରିସ୍ଥିିତି ସୃଷ୍ଟି ହୋଇଛି ବୋଲି କହି ନାରାବାଜି କରିଥିଲେ। ମନ୍ଦିର ସମ୍ପତ୍ତି, ଷ୍ଟଲ ଭଡା ଓ ହୁଣ୍ଡି ଅର୍ଥ ମିଳୁଥିଲେ ମଧ୍ୟ ମନ୍ଦିର ମରାମତିରେ କିଛି ଅର୍ଥ ବ୍ୟୟ ହେଉନାହିଁ ା ମନ୍ଦିର ଅର୍ଥକୁ ପ୍ରଶାସନ ଲୁଟ୍ କରୁଛି ବୋଲି ମନ୍ଦିର ଆଳତି କମିଟି ପକ୍ଷରୁ ଅଭିଯୋଗ କରାଯାଇଥିଲା। ରାସ୍ତାରୋକୋ ଖବର ପାଇବା ପରେ ଜିଲାପାଳ ଚଞ୍ଚଳ ରାଣା, ଉପଜିଲାପାଳ ଲମ୍ବୋଦର ଧରୁଆ ଘଟଣାସ୍ଥଳକୁ ଆସି ମନ୍ଦିର ପରିଦର୍ଶନ କରିଥିଲେ। ମନ୍ଦିର ଛାତ ଭାଙ୍ଗିବା ଖବର ପାଇବା ପରେ ବିଧାୟକ ନରସିଂହ ମିଶ୍ର ଦେଓଗଁାରୁ ସମଲେଶ୍ୱରୀ ମନ୍ଦିରକୁ ଆସିଥିଲେ। ଭାଙ୍ଗି ଯାଇଥିବା ମନ୍ଦିରର ଅବସ୍ଥା ଦେଖିବା ସହ ସେ ଉପଜିଲାପାଳ, ଦେବତ୍ତୋର ମ୍ୟାନେଜର, ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କ ସହ ଏ ନେଇ ଆଲୋଚନା କରିଥିଲେ ା ଏହି କାମ ପାଇଁ ଉପଜିଲାପାଳ ତୁରନ୍ତ ଯନ୍ତ୍ରୀଙ୍କୁ ଚିଠି ଦେବା ପାଇଁ ବିଧାୟକ ମିଶ୍ର ନିର୍ଦ୍ଦେଶ ଦେଇଥିଲେ ା ପରେ ଆନ୍ଦୋଳନରତ ଭକ୍ତ, ସନ୍ଧ୍ୟା ଆଳତି କମିଟି ସଭ୍ୟମାନଙ୍କୁ ଭେଟି ଶନିବାର ଠାରୁ ସଫେଇ ଏବଂ ରବିବାର ଠାରୁ ମରାମତି କାମ ଆରମ୍ଭ ହେବାର ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରତ ଭକ୍ତ ଓ ଆଳତି କମିଟି ସଦସ୍ୟ ଆନ୍ଦୋଳନରୁ ଓହରି ଯାଇଥିଲେ ା ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଆଳତି କମିଟିର କାହ୍ନା ଶତପଥୀ ଚେତାବନୀ ଦେଇଛନ୍ତି। ୧୯୧୦ ମସିହାରେ ଏହି ମନ୍ଦିରକୁ ପାଟଣା ଷ୍ଟେଟର ତତ୍କାଳୀନ ମହାରାଜ ପୃଥ୍ବୀରାଜ ସିଂଦେଓ ତିଆରି କରିଥିଲେ ବୋଲି ମନ୍ଦିର ପୂଜକ ଅକ୍ଷୟ ଦିଶ୍ରୀ ସୂଚନା ଦେଇଛନ୍ତି।


