Posted inଫୁରସତ

ଓଡ଼ିଆ ସଂଗୀତ ଜଗତର ଉଜ୍ଜ୍ୱଳ ତାରକା ସୁବାସ

୧୯୬୦ ମସିହା ମେ ୧୯ ତାରିଖରେ ଭଦ୍ରକ ଜିଲା ଅଧୀନ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଗଉଡ଼ୁଣୀପୋଖରୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ସୁବାସ ଦାଶ। ତାଙ୍କ ପିତାଙ୍କ ନାମ ଆଦିକନ୍ଦ ଓ ମାତା ଜୟମଣି ଦେବୀ। ସେ ଥିଲେ ଛଅ ଭାଇ ଓ ତିନି ଭଉଣୀଙ୍କ ମଧ୍ୟରୁ ଦ୍ୱିତୀୟ ସନ୍ତାନ। ଦଖା ହାଇସ୍କୁଲ, ଭଦ୍ରକ ମହାବିଦ୍ୟାଳୟ ଏବଂ ପରେ ରେଭେନ୍ସା ମହାବିଦ୍ୟାଳୟ (ବର୍ତ୍ତମାନର ବିଶ୍ୱବିଦ୍ୟାଳୟ)ରୁ ଶିକ୍ଷା ଗ୍ରହଣ କରିଥିଲେ। ପତ୍ନୀ ଶୁଭଲକ୍ଷ୍ମୀ ସାସ୍‌ମଲ, ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟାଙ୍କୁ ନେଇ ତାଙ୍କ ସଂସାର।

ସଂଗୀତ ଯାତ୍ରା: ପିଲାଟି ଦିନରୁ ସଂଗୀତ ପ୍ରତି ଆକର୍ଷିତ ହୋଇଥିଲେ ସୁବାସ ଦାଶ। ସୁବାସଙ୍କ ପୂର୍ବପୁରୁଷରୁ ପାଲାଗାୟନର ପରମ୍ପରା ରହିଆସିଥିଲା। ତାଙ୍କର ପଣଜେଜେ ରତ୍ନାକର ଦାଶ ଥିଲେ ତାଙ୍କ ବଂଶର ପ୍ରସିଦ୍ଧ ପାଲାଗାୟକ। ଏହାପରେ କ୍ରମାନ୍ବୟରେ ତାଙ୍କ ବାପା ମଧ୍ୟ ପାଲାଗାୟକ ଥିଲେ। ତାଙ୍କ ଘରେ ଥିବା ପାଲା ପୋଷାକକୁ ଛୋଟବେଳେ ସୁବାସ ଦାଶ ପିନ୍ଧୁଥିଲେ ଆଉ ପାଲା ଗାଇବାକୁ ଚେଷ୍ଟା କରୁଥିଲେ। ସେବେଠୁ ହିଁ ତାଙ୍କ ଭିତରେ ସଂଗୀତର ମଞ୍ଜିଟିଏ ବୁଣି ହୋଇ ଯାଇଥିଲା। ଗୀତ ପ୍ରତି ଆକର୍ଷଣ ପରେ ଛୋଟବେଳରୁ ହିଁ ଗୀତ ଶିଖିବା ଆରମ୍ଭ କରି ଦେଇଥିଲେ ସୁବାସ। ତାଙ୍କର ପ୍ରଥମ ଗୁରୁ ହେଲେ ତାଙ୍କ ମଝିଆ ବାପା ପରମାନନ୍ଦ ଦାଶ। ପରମାନନ୍ଦ ଥିଲେ ଜଣେ ସୁଦକ୍ଷ ଢୋଲବାଦକ। ତାଙ୍କଠାରୁ ହିଁ ସୁବାସଙ୍କର ସଙ୍ଗୀତଶିକ୍ଷା ଆରମ୍ଭ ହୋଇଥିଲା। ତାଙ୍କଠାରୁ ମଧ୍ୟ ପାଲାଗାୟନ ଶିଖିଥିଲେ। ଏପରିକି ସ୍କୁଲରେ ପଢ଼ିବା ସମୟରେ ବଡ଼ଭାଇ ଶରତ ଚନ୍ଦ୍ର ଦାଶଙ୍କ ସହ ମିଶି ପାଲା ଗାନକରି ଭଦ୍ରକ ସବ୍‌ଡିଭିଜନରେ ପ୍ରଥମ ହୋଇ ସ୍କୁଲ୍‌ ପାଇଁ ଟେବୁଲ୍‌, ଚେୟାର୍‌, ଘଣ୍ଟା ଆଦି ପୁରସ୍କାର ଜିତିଥିଲେ।

ଧୀରେଧୀରେ ସୁବାସଙ୍କର ସିନେମା ଗୀତ ପ୍ରତି ଆକର୍ଷଣ ଆସିଥିଲା। ଯେତେବେଳେ ଗାଁରୁ ତୃତୀୟ ଶ୍ରେଣୀ ପାସ୍‌ କରି ଚାନ୍ଦବାଲିରେ ଚତୁର୍ଥଶ୍ରେଣୀରେ ପଢ଼ିବା ଆରମ୍ଭ କଲେ, ସେ ସମୟରେ ବିଭିନ୍ନ ସ୍ଥାନରେ ହିନ୍ଦୀ ଗୀତସବୁ ବାଜୁଥିଲା। ସେଇ ଗୀତସବୁ ଶୁଣି ସିନେମା ଗୀତ ପ୍ରତି ଏକପ୍ରକାର ମମତା ତିଆରି ହୋଇଯାଇଥିଲା ତାଙ୍କ ଭିତରେ । ହାଇସ୍କୁଲରେ ପଢ଼ିବା ସମୟରେ ସେ ଗୀତ ଗାଇ ପ୍ରଥମ ସ୍ଥାନ ହାସଲ କରିଥିଲେ। ଏହାପରେ ହାଇସ୍କୁଲରୁ ପାସ୍‌ ହୋଇ ଯେତେବେଳେ ରେଭେନ୍ସା କଲେଜ (ବର୍ତ୍ତମାନର ବିଶ୍ବବିଦ୍ୟାଳୟ)ରେ ପାଠ ପଢ଼ିବାକୁ ଆସିଲେ, ସେହି ସମୟରେ ଆୟୋଜିତ ହୋଇଥିବା ସଂଗୀତ ପ୍ରତିଯୋଗିତାରେ ମଧ୍ୟ ପ୍ରଥମସ୍ଥାନ ହାସଲ କରିଥିଲେ। ସେବେଠୁ ଆକାଶବାଣୀ କଟକର ଦୃଷ୍ଟି ଆକର୍ଷଣ କରିଥିଲେ ସେ। ଆକାଶବାଣୀର ‘ଯୁବବାଣୀ’ ବିଭାଗ ତରଫରୁ ପ୍ରଥମକରି ତାଙ୍କ କଣ୍ଠରୁ ରେକର୍ଡିଂ ହୋଇଥିଲା ‘ସୁନାଚଢ଼େଇ, ରୁପା ଚଢ଼େଇ’ ସଂଗୀତଟି। ତାଙ୍କୁ ଗୀତ ଗାଇବା ବାବଦକୁ ଏକଶହ ଟଙ୍କା ମଧ୍ୟ ଆକାଶବାଣୀ ତରଫରୁ ମିଳିଥିଲା। ସେହି ଗୀତ ସେ ସମୟରେ ବହୁତ ପ୍ରସିଦ୍ଧି ଲାଭକଲା। ଆକାଶବାଣୀ ତରଫରୁ ଦିଲ୍ଲୀ ପ୍ରତିଯୋଗିତା ପାଇଁ ତାଙ୍କଠାରୁ ଏକ ଗୀତ ‘କି ଦେଇ ପୂଜିବି ମା’ ତୁମରି ଚରଣ’କୁ ପଠାଗଲା। ସୁରେଶ ଓ୍ବାଦେକରଙ୍କ ପରେ ସେ ସେହି ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ହାସଲ କରିଥିଲେ। ଏହାପରେ ସେ ଅନେକ ଓଡ଼ିଆ ଆଲବମ୍‌ ଗୀତରେ କଣ୍ଠଦାନ କରିଥିଲେ।

ପ୍ରଥମ ସିନେମା ଭାବେ ‘ମାନସୀ’ରେ ତାଙ୍କୁ କଣ୍ଠଦାନ କରିବାର ସୁଯୋଗ ମିଳିଥିଲା। ଆକାଶବାଣୀରେ ଗୀତ ଗାଇବା ସମୟରେ ତାଙ୍କ ସହ ଭେଟ ହୋଇଥିଲା ପ୍ରଫୁଲ୍ଲ କରଙ୍କର। ସେ ତାଙ୍କୁ ସିନେମାରେ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ।ଏହି ରେକର୍ଡିଂଟି କଲିକତାର ଟେକ୍ନିସିଆନ୍‌ ଷ୍ଟୁଡିଓରେ ହୋଇଥିଲା। ଗୀତର ନାଁ ଥିଲା ”ଝୁମ୍‌ ଝୁମ୍‌ ଝୁମ୍‌ ଲୋ ଗୋରୀ“। ତାଙ୍କ ସହ ଏହି ଗୀତରେ କଣ୍ଠଦାନ କରିଥିଲେ ସିପ୍ରା ବୋଷ। ଏହା ପରେ ପରେ ଏଯାବତ୍‌ ‘ସତୀ ଅନସୂୟା’, ‘ସମର୍‌ ସଲିମ୍‌ ସାଇମନ୍‌’ ଆଦି ୧୪୬ଟି ସିନେମାରେ ଗାଇଛନ୍ତି। ଏଥିସହ ସେ ହିନ୍ଦୀ ରାମାୟଣରେ ମଧ୍ୟ କଣ୍ଠଦାନ କରିଥିଲେ।

ଓଡ଼ିଆ ଚଳଚ୍ଚିତ୍ର ‘ଯା ଦେବୀ ସର୍ବଭୂତେଷୁ’ (୧୯୮୯)ର ବଙ୍ଗଳା ସିନେମା କରାଯାଇଥିଲା, ଯାହାର ନାମ ଥିଲା ‘ନ୍ୟାୟଚକ୍ର’। ‘ଯାଦେବୀ ସର୍ବଭୂତେଷୁ’ରେ ଶ୍ରୀ ଦାଶ ସ୍ବର ଦେଇଥିବାରୁ ବଙ୍ଗଳାରେ ମଧ୍ୟ ତାଙ୍କୁ ‘ନ୍ୟାୟଚକ୍ର’ରେ ଗୀତ ଗାଇବାର ସୁଯୋଗ ମିଳିଲା। ଏହା ପରେପରେ ଭୋଜପୁରୀ, ଅସାମୀୟ ଆଦି ଭାଷାରେ ବି ଗୀତ ଗାଇଥିଲେ।

ବିବାହ: ରାଉରକେଲାରେ ଏକ ଭଜନ କାର୍ଯ୍ୟକ୍ରମରେ ସୁବାସଙ୍କ ସହ ଭେଟ ହୋଇଥିଲେ ଶୁଭଲକ୍ଷ୍ମୀ ସାସ୍‌ମଲ। ସେଠାରେ ଉଭୟ ମିଶି ଏକ ଗୀତ ମଧ୍ୟ ଗାନ କରିଥିଲେ। ସେହି ଗୀତଟି ଥିଲା, ”ଶ୍ୟାମ୍‌ ତେରି ବଂଶୀ ପୁକାରେ ରାଧା ନାମ“। ସେହିଠାରୁ ହିଁ ଆରମ୍ଭ ହୋଇଥିଲା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ। ଯାହାପରେ ବିବାହର ରୂପ ନେଇଥିଲା। ଉଭୟ ପରିବାରର ସମ୍ମତିକ୍ରମେ ବିବାହ କାର୍ଯ୍ୟ ବିନା ଯୌତୁକରେ, ବିନା ପ୍ରୋସେସନରେ ସମାପ୍ତ ହୋଇଥିଲା। ସୁବାସ କୁହନ୍ତି, ତାଙ୍କ ସଂଗୀତ ଯାତ୍ରାର ଏକ ପ୍ରଧାନ ପ୍ରେରଣାର ଉତ୍ସ ହେଉଛନ୍ତି ତାଙ୍କ ପତ୍ନୀ ଶୁଭଲକ୍ଷ୍ମୀ।

ପୁରସ୍କାର ଓ ସମ୍ମାନ: ସେ ସଂଗୀତ କ୍ଷେତ୍ରରେ ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି। ୧୯୯୦ ମସିହାରେ ‘ଦଇବ ଦଉଡ଼ି’ ସିନେମାର ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ପ୍ଲେବ୍ୟାକ୍‌ ସିଙ୍ଗର) ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ କରିଥିଲେ। ଏହାପରେ ୧୯୯୯ରେ ପୁନର୍ବାର ‘ମନ ରହିଗଲା ତୁମରି ଠାରେ’ ସିନେମାର ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଭାବେ ପୁରସ୍କୃତ ହୋଇଥିଲେ। ଏଥିସହ ୨୦୧୨ରେ ପ୍ରଣବ ପରମ୍ପରା ସମ୍ମାନ, ୨୦୧୫ରେ ଅକ୍ଷୟ ସ୍ମୃତି ସମ୍ମାନ ଆଦି ଅନେକ ପୁରସ୍କାର ପାଇଛନ୍ତି ।

ଦୃଷ୍ଟିଭଙ୍ଗୀ: ସଂଗୀତ ବ୍ୟତୀତ ସୁବାସ ଥିଲେ ଜଣେ ମେଧାବୀ ଛାତ୍ର। ଏତଦ୍‌ବ୍ୟତୀତ ସେ ଭଲ ଫୁଟବଲ ମଧ୍ୟ ଖେଳୁଥିଲେ। ସଂଗୀତ ଜଗତକୁ ନ ଆସିଥିଲେ ସେ ହୋଇଥା’ନ୍ତେ ଜଣେ ଇଞ୍ଜିନିୟର କିମ୍ବା ସୈନିକଟିଏ। କାରଣ ତାଙ୍କ ଭିତରେ ଦେଶପ୍ରେମର ମାନସିକତା ପୂର୍ଣ୍ଣରୂପେ ଭରିରହିଛି। ଦେଶକୁ ନେଇ ସେ ଢେର ସ୍ବପ୍ନ ଦେଖନ୍ତି। ବର୍ତ୍ତମାନର ସଂଗୀତ ସଂସ୍କୃତିକୁ ଏଡ଼ାଇ ଦେଇଛି ବୋଲି ସେ କ୍ଷୋଭ ପ୍ରକାଶ କରନ୍ତି। ଓଡ଼ିଆ ସଂଗୀତ ଜଗତରେ ଆଦର୍ଶକୁ ବଜାୟ ରଖିବା ପାଇଁ ସେ ଅନେକ ସଂଗୀତପ୍ରେମୀ ପିଲାଙ୍କୁ ମଧ୍ୟ ଏବେ ସଂଗୀତ ଶିକ୍ଷା ଦେଉଛନ୍ତି।

ସର୍ବୋପରି କହିବାକୁ ଗଲେ, ସୁବାସ ଦାଶ ହେଉଛନ୍ତି ଓଡ଼ିଆ ସଂଗୀତ ଜଗତର ଏକ ଉଜ୍ଜ୍ୱଳ ତାରକା। ସଂଗୀତକୁ ଉଭୟ ନିଶା ଓ ପେସା କରି ବଞ୍ଚୁଥିବା ଶ୍ରୀ ଦାଶ ଏବେ ମଧ୍ୟ ସଂଗୀତ ମଧ୍ୟରେ ନିଜକୁ ହଜାଇ ଦିଅନ୍ତି ସବୁବେଳେ। ସେ ଓଡ଼ିଆ ଗୀତିକାରଙ୍କ ପାଇଁ ଏକ ପ୍ରେରଣାର ଉତ୍ସ।

-ସ୍ମୃତିରଞ୍ଜନ ସେଠୀ
୯୩୩୭୦୮୯୨୬୨


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ ମହିଳା: ଧୋକା ମିଳିବା ପରେ ପୁଣି ଫେରିଲେ ଶାଶୁଘରକୁ, ତା’ପରେ ଯାହା ଘଟିଲା…

ଇନ୍ଦୋର,୨୦।୧୨: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ପ୍ରଥମେ ତାଙ୍କ ସ୍ବାମୀଙ୍କୁ ପ୍ରତାରଣା କରିଥିଲେ ଏବଂ ପରେ ନିଜେ ପ୍ରତାରଣାର ଶିକାର ହୋଇଥିଲେ। ସେ ତାଙ୍କ ପ୍ରେମିକ...

ବିଶ୍ୱର ଏକମାତ୍ର ବୁଲେଟ୍‌ ପ୍ରୁଫ୍‌ ପ୍ରାଣୀ, AK-47 ଗୁଳି ବି କରିବ ନାହିଁ ପ୍ରଭାବିତ, ଜାଣିଲେ…

ସାରା ବିଶ୍ୱରେ ଲକ୍ଷଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି। କିଛି ଜୀବ ଅନନ୍ୟ ଗଠନ ପାଇଁ ଜଣାଶୁଣା ଥିବାବେଳେ ଆଉ କିଛି ସେମାନଙ୍କର ଆକ୍ରମଣାତ୍ମକତା ପାଇଁ...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri