ଆମେ ଖାଇବା କ’ଣ

ପ୍ରେମାନନ୍ଦ ନାୟକ

ଜଗତର କଲ୍ୟାଣ ତଥା ଜୀବନ ଧାରଣ ପାଇଁ ସୃଷ୍ଟିକର୍ତ୍ତା ତାଙ୍କ ସୃଷ୍ଟିରେ ସୁବନ୍ଦୋବସ୍ତ କରିଛନ୍ତି। ବିଡମ୍ବମନାର ବିଷୟ, ଆଜିର ସ୍ବାର୍ଥାନ୍ବେଷୀ ମଣିଷ କେବଳ ଅଧିକ ଅର୍ଥ ଉପାର୍ଜନ ଲାଳସାରେ ସୃଷ୍ଟିର ସବୁ ପଦାର୍ଥକୁ ଭେଜାଲ ବା ଅପମିଶ୍ରଣ କରି ଚାଲିଛି, ଯାହା ମଣିଷର ସ୍ବାସ୍ଥ୍ୟ ପକ୍ଷରେ ହାନିକାରକ। ପ୍ରଥମେ ଗାଈ କ୍ଷୀରକୁ ନିଆଯାଇପାରେ। ଗାଈର କ୍ଷୀର ବିଭିନ୍ନ ପ୍ରକାର ଖାଦ୍ୟସାରରେ ଭରପୂର। ଏଥିରେ କାଲ୍‌ସିୟମ, ପ୍ରୋଟିନ୍‌, ଆୟୋଡିନ୍‌, ପୋଟାସିୟମ, ଫସ୍‌ଫରସ୍‌, କାର୍ବୋହାଇଡ୍ରେଟ୍ସ, ଭିଟାମିନ୍‌ ବି-୨ ଓ ବି-୧୨ ରହିଛି। ଏଥିରେ ଥିବା ପ୍ରୋଟିନ୍‌, କାର୍ବୋହାଇଡ୍ରେଟ୍ସ ଓ ଫ୍ୟାଟ୍‌ ଶରୀରକୁ ଅଫୁରନ୍ତ ଶକ୍ତି ଯୋଗାଏ। ବିଡମ୍ବନାର ବିଷୟ, ଏବେ ବଜାରରେ ଅସଲି ବା ଖାଣ୍ଟି କ୍ଷୀର ନାମରେ ନକଲି (ସିନ୍ଥେଟିକ) କ୍ଷୀର ବିକ୍ରି ହେଉଛି। ୨୦୧୯ ଜୁଲାଇରେ ମଧ୍ୟପ୍ରଦେଶ ପୋଲିସ ଏକ ବଡଧରଣର ନକଲି (ସିନ୍ଥେଟିକ) କ୍ଷୀର ବିକ୍ରି ର଼୍ୟାକେଟକୁ ଧରିଥିଲା। ଆହୁରି ମଧ୍ୟ କ୍ଷୀର ଉପତ୍ାଦନ ବଢ଼ାଇବାକୁ ଆମେ ଗାଈକୁ ଅକ୍ସିଟୋସିନ୍‌ ହରମୋନ ଦେଇଥାଉ। ହେଲେ ଏହା ଗାଈର ଯେ କେବଳ କ୍ଷତି କରେ ତାହା ନୁହେଁ, ଗାଈର କ୍ଷୀର ମଧ୍ୟ ହୃଦ୍‌ରୋଗ ଓ କର୍କଟରୋଗ ସୃଷ୍ଟି କରିଥାଏ।
‘ଡ୍ରଗ୍‌ସ ଟେକ୍‌ନିକାଲ ଆଡ୍‌ଭାଇଜରି ବୋର୍ଡ’ ଏବଂ କୋଲକାତାର ‘ଅଲ୍‌୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହାଇଜିନ ଆଣ୍ଡ ପବ୍ଲିକ୍‌ ହେଲ୍‌ଥ’ ସହ ସମ୍ପୃକ୍ତ ଗବେଷକମାନେ ଭାରତୀୟ ବଜାରରେ ପ୍ଲାଷ୍ଟିକ୍‌ ବୋତଲରେ ବିକ୍ରି ହେଉଥିବା ପାଞ୍ଚଟି ଲୋକପ୍ରିୟ ବ୍ରାଣ୍ଡ୍‌ର ମୃଦୁ ପାନୀୟରୁ ଲିଡ୍‌, କାଡ୍‌ମିଅମ୍‌ ଓ କ୍ରୋମିଅମ୍‌ ଧାତୁ ପାଇଛନ୍ତି। ଏସବୁ ଧାତୁ କର୍କଟ ରୋଗ ସୃଷ୍ଟି କରିପାରନ୍ତି। ମସ୍ତିଷ୍କ, ସ୍ନାୟୁ ବ୍ୟବସ୍ଥା, ବୃକକ୍‌ ଓ ଶ୍ୱାସକ୍ରିୟା ବ୍ୟବସ୍ଥାକୁ ନଷ୍ଟ କରିପାରନ୍ତି। ଏହି ପାନୀୟରେ ମାତ୍ରାଧିକ କ୍ୟାଲୋରୀ ଥିବାରୁ ମଧୁମେହ ହେବାର ଆଶଙ୍କା ବଢ଼ାଇଥାଏ। ଫସ୍‌ଫରିକ ଏସିଡ୍‌ ଥିବାରୁ ହାଡ଼ଗୁଡ଼ିକ ମଧ୍ୟ ଦୁର୍ବଳ ହୋଇଥାନ୍ତି। ବିଭିନ୍ନ ମୃଦୁ ପାନୀୟରେ କେରେମେଲ ନାମକ ରାସାୟନିକ ପଦାର୍ଥ ଥିବା କାରଣରୁ କର୍କଟ ରୋଗ ହେବାର ଅନ୍ୟତମ କାରଣ ବୋଲି ବିଶେଷଜ୍ଞଙ୍କ ମତ। ଉଲ୍ଲେଖଯାଗ୍ୟ, ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଏକ ନକଲି ମୃଦୁପାନୀୟ କାରଖାନାକୁ ପୋଲିସ ଜବତ କରିଛି।
ଆୟୁର୍ବେଦ ଶାସ୍ତ୍ରରେ ହଳଦୀକୁ ମହୌଷଧି ଭାବେ ବର୍ଣ୍ଣନା କରାଯାଇଛି। ବିଭିନ୍ନ ପରୀକ୍ଷାରେ ପ୍ରମାଣିତ ହୋଇଛି ଯେ, ହଳଦୀଗୁଣ୍ଡରେ ଥିବା ପୋଷକତତ୍ତ୍ୱ କର୍କଟ ରୋଗ ସମ୍ଭାବନାକୁ କମ୍‌ କରିଥାଏ। ନିୟମିତ ଭାବରେ ଅଳ୍ପ ପରିମାଣର ଶୁଦ୍ଧ ହଳଦୀ ସ୍ବାସ୍ଥ୍ୟ ପାଇଁ ହିତକାରୀ ବୋଲି ଆୟୁର୍ବେଦ ବିଶେଷଜ୍ଞଙ୍କ ମତ। କିନ୍ତୁ ହଳଦୀରେ କରତଗୁଣ୍ଡ, ପୋକରା ଚାଉଳ ଗୁଣ୍ଡ, ଅଟା, ନାଲି ରଙ୍ଗ ଅପମିଶ୍ରଣ କରି ତାହାକୁ ମଣିଷର ବ୍ୟବହାର ପାଇଁ ଅନୁପଯୋଗୀ କରାଯାଉଛି। ଆମିଷ ମଧ୍ୟରେ ମାଛ ଏକ ଉପାଦେୟ ଖାଦ୍ୟ ଭାବେ ପରିଚିତ। କିନ୍ତୁ ବିଡମ୍ବନାର ବିଷୟ, ମଲା ମାଛକୁ ସତେଜ ରଖିବାକୁ ରାସାୟନିକ ପ୍ରଲେପ ଦିଆଯାଉଛି। ମଲାମାଛର ଶରୀର ଓ ଗାଲିତଳେ ‘ଫର୍ମାଲଡିହାଇଡ’ ନାମକ ମାରାତ୍ମକ ରାସାୟନିକ ପଦାର୍ଥ ଦିଆଯାଉଛି। ସାଧାରଣତଃ ଏହି ରାସାୟନିକ ପଦାର୍ଥ ଡାକ୍ତରଖାନାରେ ଶବ ସଂରକ୍ଷଣ ପାଇଁ ବ୍ୟବହାର ହୋଇଥାଏ। ସେହିପରି ଆଜିକାଲି ଖାଦ୍ୟ ପାଇଁ ପାଳିତ ପଶୁ ପକ୍ଷୀମାନଙ୍କଠାରେ ମାତ୍ରାଧିକ ପରିମାଣରେ ଅଧିକ ଶକ୍ତିଶାଳୀ ଆଣ୍ଟିବାୟୋଟିକର ପ୍ରୟୋଗ ହେଉଛି, ଯାହା ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ। କଟକରେ ଚାଲୁଥିବା ଭେଜାଲ ଗୁଣ୍ଡି, ଗୁଡାଖୁ ଓ ଜର୍ଦ୍ଦା କାରଖାନାରେ କୋଲକାତାରୁ ଆସୁଥିବା ତରଳ ରାସାୟନିକ ପଦାର୍ଥ ସହିତ ଚାକୁଣ୍ଡା ପତ୍ର, ଅପମିଶ୍ରିତ ସୁଗନ୍ଧିତ ତୈଳ, କାଠଗୁଣ୍ଡ, ଇଟାଗୁଣ୍ଡ ଆଦି ବ୍ୟବହାର କରି ପାନ ମସଲା ଓ ଜର୍ଦ୍ଦା ପ୍ରସ୍ତୁତ ହେଉଥିଲା ଏବଂ ନାମୀ କମ୍ପାନୀ ଜରିରେ ପା୍ୟକେଟ୍‌ କରି ହାଟ ଓ ବଜାରକୁ ବିକ୍ରି ପାଇଁ ଛଡ଼ା ଯାଉଥିଲା। ନିକଟରେ ପୋଲିସ ସେଠାରେ ଚଢ଼ଉ କରି ଉକ୍ତ କାରଖାନାକୁ ଜବତ କରିଛି। ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ଠାବ ହୋଇଥିବା ଏକ ନକଲି ଘିଅ କାରଖାନାରେ ପାମୋଲିନ ତେଲ ବା ଜଡାତେଲରେ କିଛି ରାସାୟନିକ ପଦାର୍ଥ ଓ ରଙ୍ଗ ମିଶାଇ ନକଲି ଘିଅ ପ୍ରସ୍ତୁତ କରାଯାଉଥିଲା। ଘିଅ ବାସ୍ନା ପାଇଁ ଏକପ୍ରକାର ମଞ୍ଜି ଏବଂ ସୁଗନ୍ଧ ତେଲ ବ୍ୟବହାର କରାଯାଉଥିଲା। ପୋଡ଼ା ମୋବିଲ, ରିଫାଇନ ଭଳି ସାମଗ୍ରୀ ମିଶ୍ରଣ କରାଯାଇ ଭେଜାଲ ଘିଅ ପ୍ରସ୍ତୁତ ହେଉଥିଲା। ଜଗତପୁର ଶିଳ୍ପାଞ୍ଚଳରେ ଜବତ ହୋଇଥିବା ଏକ କାରଖାନାରେ ରାସାୟନିକ ଆମୋନିଆ ବାଇକାର୍ବୋନେଟ୍‌ ସାର ଓ ପୋକରା ଚାଉଳ ମିଶ୍ରଣରେ ନକଲି ସୋୟାବିନ ପ୍ରସ୍ତୁତ ହେଉଥିଲା। ଏହି ନକଲି ସୋୟାବିନ ଖାଇବା ଦ୍ୱାରା ଲୋକେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି ବୋଲି ସ୍ବାସ୍ଥ୍ୟ ଅଧିକାରୀଙ୍କ ମତ।
ଆମ୍ବ, ଅମୃତଭଣ୍ଡା, କଞ୍ଚାକଦଳୀକୁ ପଚାଇବା ପାଇଁ ବ୍ୟବହୃତ କ୍ୟାଲ୍‌ସିୟମ କାର୍ବାଇଡ୍‌ ମଧ୍ୟ କର୍କଟ ରୋଗକାରକ। ଅସଲି ପନିର ପରିବର୍ତ୍ତେ ଏବେ ବଜାରରେ ନକଲି (ସିନ୍ଥେଟିକ) ପନିର ମିଳୁଛି। ଏଥିରେ ବିଭିନ୍ନ ଦୁଗ୍ଧ ଉପତ୍ାଦିତ କାରଖାନାରୁ ନଷ୍ଟ ହେଉଥିବା ଦୁଗ୍ଧ, ନରମ କରିବା ଲାଗି ସଲ୍‌ଫ୍ୟୁରିକ୍‌ ଏସିଡ୍‌, ମଇଦା, ସତେଜ ରହିବା ଲାଗି ଫର୍ମାଲିନ୍‌, ସୁନ୍ଦର ତଥା ଆକର୍ଷଣୀୟ ଦେଖାଯିବା ଲାଗି ଗ୍ଲିସେରିନ୍‌ ଓ ଧୋବ ଫରଫର ଦିଶିବା ଲାଗି ୟୁରିଆ ସାର ଭଳି ଘାତକ ସାମଗ୍ରୀ ମିଶାଯାଉଛି। ଏହାକୁ ଖାଇବା ଦ୍ୱାରା ଗ୍ୟାଷ୍ଟ୍ରିକ୍‌ ସମେତ ବହୁ ପ୍ରକାର ପେଟରୋଗ ଦେଖାଦେଇଥାଏ ବୋଲି ବିଶେଷଜ୍ଞଙ୍କ ମତ। ସୋରିଷତେଲର ରଙ୍ଗକୁ ଗାଢ଼ କରିବା ପାଇଁ ଏଥିରେ ମିଶା ଯାଉଥିବା ଆଇସୋଥିଓ ସାଇନେଟ୍‌ ରାସାୟନିକ ପଦାର୍ଥ ଲିଭର କର୍କଟ ରୋଗ ସୃଷ୍ଟିକାରୀ। ଲାଲ୍‌ ଲଙ୍କାଗୁଣ୍ଡରେ କର୍କଟକାରକ ସୁଦାନ-୧ ବିଷାକ୍ତ ପଦାର୍ଥ ମିଶାଯାଉଛି। ଗୋଲମରିଚରେ ଅମୃତଭଣ୍ଡା ମଞ୍ଜି, ସୁଜି, ଚାଉଳଗୁଣ୍ଡରେ ସୋଡିୟମ ବାଇକାର୍ବୋନେଟ୍‌ର ମିଶ୍ରଣ ହେଉଛି।
ଚାଷରେ ବହୁଳ ଭାବରେ ବ୍ୟବହାର ହେଉଥିବା କୀଟନାଶକ ଯୋଗୁ ଆମେ ପ୍ରତ୍ୟହ ଯେଉଁ ଭାତ, ରୁଟି, ଡାଲି, ତରକାରି ଇତ୍ୟାଦି ଖାଉ, ତାହା ମଧ୍ୟ ବିଷମୁକ୍ତ ନୁହେଁ। ଫଳରେ ମଣିଷ ନାନାଦି ଜଟିଳ ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସାରେ ବିପୁଳ ଅର୍ଥ ବ୍ୟୟ କରିବା ସହିତ କ୍ରମେ ମୃତ୍ୟୁମୁଖରେ ପଡୁଛି। ‘ବୋଝ ଉପରେ ନଳିତା ବିଡ଼ା’ ସଦୃଶ ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ପ୍ରସ୍ତୁତ ଅପମିଶ୍ରିତ ଖାଦ୍ୟସାମଗ୍ରୀ ମଣିଷ ପାଇଁ ବିରାଟ ବିପଦ ଭାବରେ ଉଭା ହୋଇଛି। ଏବେ ପ୍ରଶ୍ନ ହେଉଛି, ତେବେ ଆମେ ଖାଇବା କ’ଣ ?
ଏହିସବୁ ଅଖାଦ୍ୟ ଖାଇ ବଞ୍ଚିବା କିପରି ଓ କେତେଦିନ ଅବା ବଞ୍ଚିବା? ଏହା ହିଁ ଆଜିର ମଣିଷ ପାଇଁ ଏକ ବିରାଟ ପ୍ରଶ୍ନବାଚୀ। ସତେଯେପରି ମଣିଷ ହିଁ ଆଜି ପୃଥିବୀପୃଷ୍ଠରୁ ମଣିଷ ଜାତିକୁ ଲୋପ କରିବା ପାଇଁ ଷଡ଼ଯନ୍ତ୍ର ରଚନା କରିବାରେ ଲାଗିଛି।
ଶହୀଦନଗର, ଭୁବନେଶ୍ୱର
ମୋ- ୯୪୩୭୩୮୨୧୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶ୍ରମିକମାନଙ୍କୁ ହଳେ ସ୍ଲିପର ଓ ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲାଗି ଦିବ୍ୟାଂଶୁ ଉପାଧ୍ୟାୟ ଏକ ଅଭିନବ ଅଭିଯାନ ଚଳାଇଛନ୍ତି। ଦିବ୍ୟାଂଶୁ ରହୁଛନ୍ତି ଉତ୍ତରପ୍ରଦେଶ ବନାରସରେ। ସେ...

ବାଲୁଚିସ୍ତାନ ସହ ବିଶ୍ବାସଘାତକତା

ଲଳିତେନ୍ଦୁ ପଲାଉରୀ ପାକିସ୍ତାନର ପ୍ରମୁଖ ପ୍ରଦେଶ ବାଲୁଚିସ୍ତାନ ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି ଅଲଗା ରାଷ୍ଟ୍ର ଦାବି କରୁଥିବା ବେଳେ ଦିନକୁ ଦିନ...

ସମ୍ବିଧାନ ବଦଳାଇବାକୁ ନେଇ ଆଶଙ୍କା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚାଲିଥିବା ବେଳେ ସମ୍ବିଧାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ...

Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri