Posted inଜାତୀୟ

କୃଷି ଆଇନ ସ୍ଥଗିତ ରଖ

ନୂଆଦିଲ୍ଲୀ, ୧୨ା୧: ନୂଆ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ଜାରି ରହିଥିବାବେଳେ ଏହାର ସମାଧାନ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଥିବାରୁ ସୁପ୍ରିମକୋର୍ଟ ସୋମବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୩ ବିବାଦୀୟ ଆଇନକୁ ସ୍ଥଗିତ ରଖିବ ନା ଆମେ ସ୍ଥଗିତାଦେଶ ଜାରି କରିବୁ ବୋଲି ସର୍ବୋଚ୍ଚ ଅଦାଲତ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। ଆନ୍ଦୋଳନଜନିତ ଅଚଳାବସ୍ଥାର ସମାଧାନ ପାଇଁ ପୂର୍ବତନ ସିଜେଆଇ ଆର୍‌.ଏମ୍‌. ଲୋଧାଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ କମିଟି ଗଢ଼ିବା ଲାଗି ଅଦାଲତ ପ୍ରସ୍ତାବ ଦେଇଛନ୍ତି।
ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ଧରି ହଜାର ହଜାର ଚାଷୀ ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ହାଡ଼ଥରା ଶୀତ ଓ ବର୍ଷାରେ ପଡ଼ିରହିଥିବାରୁ ସର୍ବୋଚ୍ଚ ଅଦାଲତ ଉଦ୍‌ବେଗ ପ୍ରକାଶ କରିଥିଲେ। ସରକାର ଯେଉଁଭଳି ଢଙ୍ଗରେ ବୁଝାମଣା ପ୍ରକ୍ରିୟା ଚଳାଇଛନ୍ତି, ତାହା ଅତ୍ୟନ୍ତ ଦୁଃଖଦାୟକ। କୃଷି ଆଇନକୁ ଚ୍ୟାଲେଞ୍ଜ ଓ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନକୁ ବିରୋଧ କରି ଦାଏର ଏକାଧିକ ପିଟିଶନର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହା କହିଛନ୍ତି। ରାଜ୍ୟଗୁଡ଼ିକ କେନ୍ଦ୍ର ଆଇନ ବିରୋଧରେ ବିଦ୍ରୋହ କରୁଛନ୍ତି। ଏସବୁ କ’ଣ ଚାଲିଛି ବୋଲି ଅଦାଲତ ପ୍ରଶ୍ନ କରିଥିଲେ।
ଯଦି କିଛି ଅଘଟଣ ଘଟେ, ସେଥିପାଇଁ ଆମ ସମସ୍ତଙ୍କୁ ଦାୟୀ ରହିବାକୁ ପଡ଼ିବ। ଆମ ହାତରେ କେହି ଆହତ ହୁଅନ୍ତୁ ବା ରକ୍ତପାତ ଘଟୁ, ଏହା ଆମେ ଚାହୁଁନା ବୋଲି ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେ କେନ୍ଦ୍ରକୁ କହିଥିଲେ। ଆନ୍ଦୋଳନର ସମାଧାନ ପାଇଁ ସରକାର ଅଧିକ ସମୟ ମାଗିବାରୁ ସିଜେଆଇ କହିଥିଲେ, ଯଥେଷ୍ଟ ସମୟ ଦିଆଗଲାଣି। ପ୍ରସଙ୍ଗକୁ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କରୁଥିବା ଆମେ ଅନୁଭବ କରୁନାହୁଁ। ପ୍ରକୃତରେ ସରକାର ସମସ୍ୟାର ଅଂଶବିଶେଷ ନା ସମାଧାନର, ତାହା ଆମେ ଜାଣିପାରୁନାହୁଁ। ଏଭଳି ସ୍ଥିତି ଲାଗି ରହିଲେ ଦିନେ ନା ଦିନେ ନିଶ୍ଚୟ ଶାନ୍ତି ଭଙ୍ଗ ହେବ। ରକ୍ତପାତ ପାଇଁ କିଏ ଦାୟୀ ରହିବ ବୋଲି ସିଜେଆଇ ପ୍ରଶ୍ନ କରିଥିଲେ। ସର୍ବୋଚ୍ଚ ଅଦାଲତ ତରବରିଆ ଭାବେ ରାୟ ପ୍ରଦାନ କରିବାକୁ ନେଇ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ପ୍ରଶ୍ନ ଉଠାଇବାରୁ ଜଷ୍ଟିସ୍‌ ବୋବ୍‌ଡେ କହିଥିଲେ, ଧୈର୍ଯ୍ୟ ଉପରେ ଆମକୁ ଭାଷଣ ଦିଅନାହିଁ। ଆନ୍ଦୋଳନ ସ୍ଥଳରୁ ବରିଷ୍ଠ ନାଗରିକମାନେ ଘରକୁ ଫେରିଯିବା ଲାଗି ମଧ୍ୟ ସିଜେଆଇ ବ୍ୟକ୍ତିଗତ ଭାବେ ଅନୁରୋଧ କରିଥିଲେ। ଚାଷୀମାନଙ୍କୁ ଆଶ୍ୱାସନା ଦେଇ ସେ କହିଥିଲେ, ସେମାନଙ୍କ ଉଦ୍‌ବେଗ ଅଶୁଣା ରହିବ ନାହିଁ। ଆପଣମାନଙ୍କର ବିଶ୍ୱାସ ଥାଉ କି ନ ଥାଉ, ଅଦାଲତ ତାଙ୍କର କର୍ତ୍ତବ୍ୟ ନିର୍ବାହ କରିବେ ବୋଲି ସିଜେଆଇ କହିଥିଲେ।
୩ କୃଷି ଆଇନ ପ୍ରତ୍ୟାହାର ଚାଷୀ ସଂଗଠନଗୁଡ଼ିକର ମୁଖ୍ୟ ଦାବି ହୋଇଥିବାବେଳେ ଏଥିପାଇଁ କୃଷି ଆଇନ ଉପରେ ଏକ କମିଟିର ଆବଶ୍ୟକତା ରହିଥିବା ଖଣ୍ଡପୀଠ କହିଥିଲେ। କମିଟି ପରାମର୍ଶ ଦେଲେ, ତେବେ ଅଦାଲତ ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖିବେ। ପୂର୍ବତନ ସିଜେଆଇଙ୍କ ନେତୃତ୍ୱରେ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେବା ସହ ସେଥିରେ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର୍‌)ର ବିଶେଷଜ୍ଞମାନଙ୍କୁ ନେବାକୁ କହିଥିଲେ। କୃଷି ଆନ୍ଦୋଳନର ସମାଧାନ ସୂତ୍ର ଉକ୍ତ କମିଟି ବାହାର କରିପାରିବ ବୋଲି ଖଣ୍ଡପୀଠ କହିଥିଲେ।
ଗତବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ସରକାର ପାର୍ଲାମେଣ୍ଟରେ ଗୃହୀତ କରାଇଥିବା ୩ କୃଷି ଆଇନକୁ ବିରୋଧ କରି ନଭେମ୍ବର ୨୬ରୁ ଦିଲ୍ଲୀ ସୀମାରେ ୪୦ରୁ ଊର୍ଦ୍ଧ୍ୱ କୃଷକ ସଂଗଠନ ଆନ୍ଦୋଳନ ଜାରି ରଖିଛନ୍ତି। ଏହାର ସମାଧାନ ଲାଗି ସରକାର ଚାଷୀ ସଂଗଠନଗୁଡ଼ିକ ସହ ଇତିମଧ୍ୟରେ ୮ ଥର ଆଲୋଚନା କଲେଣି। କିନ୍ତୁ ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ଅଡ଼ିବସିଥିବାବେଳେ ସରକାର ଏହାକୁ ଫେରାଇ ନ ନେବା ଜିଦ୍‌ରେ ଅଟଳ ରହିଥିବାରୁ ସମାଧାନର ସୂତ୍ର ବାହାରିପାରୁନାହଁ। ଗତ ଦୁଇମାସରେ ଅନେକ ଚାଷୀ ପ୍ରାଣ ହରାଇଲେଣି। ଡିଏମ୍‌କେ ଏମ୍‌ପି ତିରୁଚି ଶିବା ଏବଂ ଆରଜେଡି ନେତା ମନୋଜ କେ. ଝାଙ୍କ ସମେତ ଏକାଧିକ ବ୍ୟକ୍ତି ୩ କୃଷି ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିବା ସହ ଦିଲ୍ଲୀ ସୀମାରୁ ଚାଷୀ ଆନ୍ଦୋଳନ ହଟାଇବା ପାଇଁ ଆବେଦନ କରିଥିଲେ। ସିଜେଆଇଙ୍କ ନେତୃତ୍ୱରେ ୩ ଜଣିଆ ବେଞ୍ଚ୍‌ ପିଟିଶନଗୁଡ଼ିକର ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି।

ସୁପ୍ରିମକୋର୍ଟ ରାୟ ମାନିନେବୁ: ତୋମାର

କୃଷି ଆଇନ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଏହା ଉପରେ ମନ୍ତବ୍ୟ ଦିଆଯାଇ ପାରିବ ନାହିଁ। ଏହି ପ୍ରସଙ୍ଗରେ ମଙ୍ଗଳବାର ଶୀର୍ଷ ଅଦାଲତ ଯାହା ନିଷ୍ପତ୍ତି ନେବେ କେନ୍ଦ୍ର ସରକାର ତାକୁ ସହୃଦୟରେ ମାନିନେବେ ବୋଲି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ନୁହନ୍ତି। କେନ୍ଦ୍ରର ମୁକାବିଲା ମନୋଭାବ ଚାଷୀଙ୍କ ପ୍ରତି ଅପମାନ ବୋଲି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ସମାଲୋଚନା କରିଛନ୍ତି।
ବୈଧତାର ଶୁଣାଣି କରାଯାଉ: କଂଗ୍ରେସ

କୃଷି ଆଇନ ଦେଶର ୬୫ ପ୍ରତିଶତ ଜନସଂଖ୍ୟା ଉପରେ ପ୍ରଭାବ ପକାଇଥିବାରୁ ସୁପ୍ରିମକୋର୍ଟ ଏହାର କାର୍ଯ୍ୟକାରିତାକୁ ସ୍ଥଗିତ ରଖିବା ସହ ସାମ୍ବିଧାନିକ ବୈଧତାର ଶୁଣାଣି କରନ୍ତୁ ବୋଲି କଂଗ୍ରେସ ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନିଷ ତିଓ୍ବାରୀ କହିଛନ୍ତି। ଯଦି ସରକାର ଆଇନକୁ ସ୍ଥଗିତ ନ ରଖନ୍ତି, ତେବେ ଆମେ ଏହାର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଦେବୁ ବୋଲି ସୁପ୍ରିମକୋର୍ଟ ଶୁଣାଣି ବେଳେ କହିଥିଲେ। ସର୍ବୋଚ୍ଚ ଅଦାଲତଙ୍କ ଶୁଣାଣି ଓ ମତାମତ ଭାଜପା ସରକାରଙ୍କୁ ସମ୍ପୂର୍ଣ୍ଣ ପଦାରେ ପକାଇଛି ବୋଲି କଂଗ୍ରେସ ମୁଖପାତ୍ର ଜୟବୀର ଶେର୍‌ଗିଲ୍‌ ଟୁଇଟ୍‌ କରିଛନ୍ତି।

ଆଇନ ସ୍ଥଗିତ ରହିଲେ ବି ଜାରି ରହିବ ଆନ୍ଦୋଳନ: ବିକେୟୁ

ନୂଆ କୃଷି ଆଇନ କାର୍ଯ୍ୟକାରିତାକୁ ସ୍ଥଗିତ ରଖିଦେବା ସମାଧାନ ନୁହେଁ। ସରକାର କିମ୍ବା ସୁପ୍ରିମକୋର୍ଟ ଆଇନକୁ ସ୍ଥଗିତ ରଖିଲେ ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ନେତାମାନେ କହିଛନ୍ତି। ସୁପ୍ରିମକୋର୍ଟଙ୍କ ମତାମତକୁ ସ୍ବାଗତ କରୁଛୁ, କିନ୍ତୁ ଆନ୍ଦୋଳନ ବନ୍ଦ କରିବା ଏକ ବିକଳ୍ପ ନୁହେଁ। ସ୍ଥଗିତ ସୀମିତ ସମୟ ପାଇଁ ବୋଲି ହରିୟାଣା ଭାରତୀୟ କିଷାନ ୟୁନିୟନ(ବିକେୟୁ) ସଭାପତି ଗୁର୍‌ନାମ ସିଂ ଚଡୁନି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ଜାଣନ୍ତି କି ସରକାରୀ ଅନୁମୋଦନ ପାଇଥିବା ୨ ବିମାନ କମ୍ପାନୀର ମାଲିକ କିଏ?

ନୂଆଦିଲ୍ଲୀ,୨୫ା୧୨: କେନ୍ଦ୍ର ସରକାର ଇଚ୍ଛା ପ୍ରକାଶ କରୁଥିବା ଏୟାରଲାଇନ୍ସ ସହିତ ଅନେକ ବୈଠକ କରିବା ପରେ ଭାରତରେ ନୂଆ ଏୟାରଲାଇନ୍ସକୁ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି।...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri