ଗାଁ ହିଁ ସ୍ବର୍ଗ

ପ୍ରଭଞ୍ଜନ ଦାଶ

ମୋ ଗାଁ, ଯେଉଁଠି ପ୍ରଥମେ ଶୁଭିଥିଲା ମୋ ପାଟିର ପ୍ରଥମ ସ୍ବର କୁଆଁ କୁଆଁ। ମୋ ଘରର ସେହି ଅନ୍ତୁଡ଼ିଶାଳ ଓ ଷଠିଘର ଆଜି ବି ମୋ ଜନ୍ମର ଚିର ସାକ୍ଷୀ ଏବଂ ଦାଣ୍ଡର ସେହି ଏରୁଣ୍ଡି ବନ୍ଧ କହିବ ମୁଁ କେତେଥର ଝୁଣ୍ଟିଛି ତାକୁ, ଆଜି ଯଦି ସେହି ଗାଁର ମଶାଣି ମୋ ଜୀବନର ଶେଷ ପରିଚୟ ସାଜିବ ତା’ ହେଲେ ଅସୁବିଧା କ’ଣ?

ଆଜିର ଦିନରେ ଆଧୁନିକ ସଭ୍ୟତାର ବ୍ୟୟବହୁଳ ଓ ବୈଷୟିକ ଜୀବନଧାରାରେ ଜୀବନ ଜିଉଥିବା ମଣିଷ ମସ୍ତିଷ୍କରେ ଅନେକ ଭ୍ରାନ୍ତ, ନକାରାତ୍ମକ ଓ କୁଚିନ୍ତା ବସା ବାନ୍ଧି ରହିଛି, ଯାହାର ବଶବର୍ତ୍ତୀ ହୋଇ ମଣିଷ ନିଜର ସାଧାରଣ, ସାମାଜିକ ଓ ନୈତିକ ଜ୍ଞାନ ମଧ୍ୟ ହରାଇ ବସିଛି। ଯୁଗଯୁଗରୁ ବେଦ, ଉପନିଷଦ୍‌ ଓ ଶାସ୍ତ୍ରରେ ଉଲ୍ଲେଖ ରହିଛି, ‘ନିଜ ଗାଁ ମାଟିଠୁ ପବିତ୍ର ସ୍ଥାନ ଏ ଦୁନିଆରେ ନାହିଁ।’ ଯେଉଁ ଗାଁରେ ଆମର ଜନ୍ମ, ଯେଉଁ ମାଟିରେ ଆମେ ବଢ଼ିଛୁ, ସେ ଗାଁ ମଶାଣିରେ ଶବଦାହ ପାଇଁ ଏତେ କୁଣ୍ଠିତ କାହିଁକି? ଗତ କିଛିଦିନ ତଳେ ପୁରୀ ପ୍ରଶାସନ କରୋନା ପ୍ରବାହ ଓ ସଂକ୍ରମଣର ଭୟାବହତାକୁ ଆଖିରେ ରଖି ବାହାର ଜିଲାର ଶବକୁ ସ୍ବର୍ଗଦ୍ୱାରରେ ଦାହ କରିବା ନେଇ ପ୍ରତିବନ୍ଧକ ଲଗାଇବା ସହ ମହୋଦଧିରେ ଅସ୍ଥି ବିସର୍ଜନ ଲାଗି ମଧ୍ୟ ବାରଣ କରିଛି। ଏହି ନିୟମକୁ ନେଇ ବହୁ ଲୋକ ପ୍ରତିବାଦ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ମାତ୍ର ଏହା ଜାଣିରଖିବା ଦରକାର ଯେ ବାସ୍ତବରେ ସ୍ବର୍ଗଦ୍ୱାରରେ ସ୍ବର୍ଗପ୍ରାପ୍ତି ହୁଏନାହିଁ କି ମୋକ୍ଷ ମହୋଦଧିରେ ଅସ୍ଥି ବିସର୍ଜନରେ ମିଳେ ନାହିଁ, ଜୀବନର ପ୍ରକୃତ ସ୍ବର୍ଗପ୍ରାପ୍ତି ଜୀବିତ ଅବସ୍ଥାରେ ହିଁ ହେବା ଦରକାର।

ଏ ସମାଜରେ ବହୁ ଶିକ୍ଷିତ, ସମ୍ଭ୍ରାନ୍ତ ପରିବାରର ଲୋକ ସେମାନଙ୍କର ବୃଦ୍ଧ ପିତାମାତାଙ୍କ ପ୍ରତି ଦୁର୍ବ୍ୟବହାର ଓ ଘୃଣାଭାବ ପୋଷଣ କରୁଛନ୍ତି। ଏପରିକି ସେମାନଙ୍କୁ ଘରେ ନ ରଖି ବୃଦ୍ଧାଶ୍ରମରେ ଛାଡ଼ି ଦେଇ ବହୁ ହତାଦର କରୁଛନ୍ତି। କେଉଁଠି ବୃଦ୍ଧ ଲୋକମାନଙ୍କୁ ଠିକ୍‌ ଖାଦ୍ୟ ମିଳିପାରୁନାହିଁ ତ ଆଉ କେଉଁଠି କେହି ଔଷଧ ଓ ଚିକିତ୍ସାରୁ ବଞ୍ଚତ୍ତ। ଯନ୍ତ୍ରଣାରେ ସେମାନଙ୍କ ଦିନ ବିତୁଛି। ମାତ୍ର ସେମାନଙ୍କ ମୃତ୍ୟୁ ପରେ ସେହି ପିଲାମାନେ ସେମାନଙ୍କ ମୃତଦେହକୁ ସ୍ବର୍ଗଦ୍ୱାରରେ ଶେଷକୃତ୍ୟ ପାଇଁ ନେଇ ଲୋକଙ୍କଠାରୁ ବାଃବାଃ ପାଇବାକୁ ଚାହୁଁଛନ୍ତି। ଏହା କି ପ୍ରକାର ଚିନ୍ତାଧାରା? କଥାରେ ଅଛି, ‘ଦେଖିଲେ କଥା ନ କହି ନ ଦେଖିଲେ ଖୋଜୁଥାଇ’। ଅର୍ଥାତ୍‌ ବଞ୍ଚତ୍ଥିବା ବେଳେ ଯେଉଁମାନେ ପାଣି ଟୋପାଏ ଦେବାକୁ ଅକ୍ଷମ ଓ ଅଯୋଗ୍ୟ, ମଲା ପରେ ସେମାନେ ସ୍ବର୍ଗଦ୍ୱାରଠାରେ ଶବଦାହ ସହିତ ଦଶାହରେ ଖିରି, ପୁରି ଦେବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ ଓ ସୁଯୋଗ୍ୟ। ବୃଦ୍ଧ ମାତାପିତାଙ୍କର ଶଯ୍ୟାଶାୟୀ ଅବସ୍ଥାରେ ସେମାନଙ୍କର ଠିକ୍‌ ଚିକିତ୍ସା ନ କରିବା, ସେବାଶୁଶ୍ରୂଷାରେ ଘୃଣା ମନୋଭାବ ଆଣିବା ଓ ସେମାନଙ୍କୁ ଅବହେଳିତ ଅବସ୍ଥାରେ ଛାଡିଦେବା ଆଜିର ସମାଜର ପ୍ରାୟ ବହୁ କ୍ଷେତ୍ରରେ ପରିଲକ୍ଷିତ। ସେଥିପାଇଁ ବୃଦ୍ଧାଶ୍ରମ ସଂଖ୍ୟା ବଢ଼ିବାରେ ଲାଗିଛି। ମାତ୍ର ବିଶ୍ୱ ପିତୃ, ମାତୃ ଦିବସରେ ସମସ୍ତଙ୍କର ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ହ୍ବାଟ୍ସଆପ୍‌ ଓ ଟୁଇଟରରେ ମା’ବାପାଙ୍କ ପ୍ରତି ପ୍ରେମ ଓ ସମ୍ମାନ ଉଛୁଳି ପଡ଼ୁଛି। ଏହା କ’ଣ ଏକ ମଣିଷର ମାନବିକତାର ପରିଚୟ? ଏ ପ୍ରକାର ମାନସିକତାର ବଶବର୍ତ୍ତୀ ହୋଇ ଆମେ ଆମ ମାତାପିତାଙ୍କ ପ୍ରତି କେତେ ଯେ ଅବହେଳା କରୁଛେ ତାହାର ହିସାବ ନାହିଁ। ଏହି ମାନସିକତାର ପରିବର୍ତ୍ତନ ନିହାତି ଆବଶ୍ୟକ। ବଞ୍ଚତ୍ଥିବା ବେଳେ ପାଣି ଟୋପେ ନ ଦେଇ ମଲା ପରେ କ୍ଷୀର ଢାଳିଲେ ଲାଭ କ’ଣ?

ଆମ ସମାଜ ପ୍ରତ୍ୟେକ ବର୍ଗର ଲୋକଙ୍କର ସୁବିଧା ସୁଯୋଗ ଲାଗି ସରକାର ସବୁ ଗ୍ରାମରେ ଶ୍ମଶାନର ପୁନରୁଦ୍ଧାର ଓ ଉନ୍ନତି କରିବା ସହିତ ହରିଶ୍ଚନ୍ଦ୍ର ଯୋଜନା ପ୍ରଣୟନ କରିଛନ୍ତି। ମାତ୍ର ଗ୍ରାମ ଶ୍ମଶାନ ଆଜି ଅବହେଳିତ ଓ ଅକାମୀ ହୋଇପଡ଼ିଛି। ଗ୍ରାମାଞ୍ଚଳର ଅଧିକାଂଶ ଲୋକ ଗାଁ ଶ୍ମଶାନ ଅପେକ୍ଷା ସ୍ବର୍ଗଦ୍ୱାରରେ ଶବଦାହ ପାଇଁ ପସନ୍ଦ କରୁଛନ୍ତି। ଏହାର କାରଣ କ’ଣ ତାହା ଆଜି ପର୍ଯ୍ୟନ୍ତ ଜାଣିହେଉ ନାହିଁ। ଜାଣି ରଖିବା ଉଚିତ ଯେ, ବଞ୍ଚତ୍ଥିବାବେଳେ ଶାଗ, ପଖାଳରେ ଯେଉଁ ତୃପ୍ତି ମିଳେ ମଲା ପରେ ତା’ର ସ୍ବାଦ ଦଶାହ ଖିରି, ପୁରିରେ ନ ଥାଏ। ଠିକ୍‌ ସେହିପରି ଜୀବନର ବାସ୍ତବ ସୁଖ, ଖୁସି ଓ ଶାନ୍ତି ଏ ସମାଜରେ ଜୀବିତ ଅବସ୍ଥାରେ ହିଁ ମିଳେ, ତାହା ସ୍ବର୍ଗଦ୍ୱାରର ଜୁଇରେ ନ ଥାଏ। ଏଣୁ ସମସ୍ତେ ବୃଦ୍ଧ ମାତା, ପିତାଙ୍କର ସେବାଶୁଶ୍ରୂଷା କରିବା ସହିତ ସେମାନଙ୍କ ପ୍ରତି ଯତ୍ନବାନ୍‌ ହେବା ଆବଶ୍ୟକ। ସେମାନେ ହିଁ ଆମ ଜୀବନର ପ୍ରକୃତ ମୂଲ୍ୟବାନ୍‌ ସମ୍ପଦ। ତାହା ସହିତ ଗାଁ ଓ ଗାଁ ମଶାଣିକୁ ନିଜ ଜୀବନର ଶେଷ ପରିଚୟ ଭାବିବା ଉଚିତ। କାରଣ ଗାଁ ହିଁ ଆମ ପାଇଁ ସ୍ବର୍ଗ ଓ ସିଏ ହିଁ ଆମ ଜୀବନ ସୃଷ୍ଟିର ପ୍ରଥମ ପରିଚୟ ଏବଂ ସେହିଠାରେ ହିଁ ଜୀବନର ଶେଷ ପରିଚୟ ହେବା ଦରକାର।

ମେଘେଶ୍ୱର କଲୋନୀ, ଟଙ୍କପାଣି ରୋଡ୍‌, ଭୁବନେଶ୍ୱର, ମୋ: ୭୩୨୬୯୫୯୯୯୫


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri