ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶକ ମହେଶ ଭଟ୍ଟ ତାଙ୍କର ପ୍ରଥମ ଓ୍ବେବ ସିରିଜ୍ ନିର୍ମାଣ କରିବାକୁ ପ୍ରସ୍ତୁତ ହୋଇଗଲେଣି। ୭୦ ଦଶକର ହିଟ୍ ନାୟିକା ପରବିନ ବାବିଙ୍କ ଉପରେ ଓ୍ବେବ ସିରିଜ ନିର୍ମାଣ କରିବାକୁ ଯାଉଛନ୍ତି ମହେଶ। ମଙ୍ଗଳବାର ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଓ୍ବେବ ସିରିଜର କଳାକାର ଓ ନିର୍ଦ୍ଦେଶକଙ୍କ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିଛନ୍ତି। ସେ ତାଙ୍କ ଟିମ୍ ସହ ଏକ ଫଟୋ ଶେୟାର କରି ଏହି ସୂଚନା ଦେଇଛନ୍ତି। ଏହି ଓ୍ବେବ ସିରିଜ୍ ୭୦ ଦଶକର ବଲିଉଡ୍ ଦୁନିଆ କଥା କହିବ ବୋଲି ସେ କହିଛନ୍ତି। ଏଥିରେ ଅମଲା ପାଲ, ତାହିର ରାଜ ଭସିନ, ଅମୃତା ପୁରି ଆଦି ନଜର ଆସିବେ। ପୁଷ୍ପଦୀପ ଭରଦ୍ୱାଜ ଏହାର ନର୍ଦ୍ଦେଶନା କରିବେ ବୋଲି ମହେଶ କହିଛନ୍ତି। ଏପର୍ଯ୍ୟନ୍ତ ଏହାର ଟାଇଟଲ ଓ ରିଲିଜ୍ ଡେଟ୍ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଏଥିରେ ସାଉଥ୍ ନାୟିକା ଅମଲା ପାଲ, ପରବିନ ବାବିଙ୍କ ଚରିତ୍ରରେ ନଜର ଆସିପାରନ୍ତି ବୋଲି ମହେଶ କହିଛନ୍ତି। ଅନ୍ୟ ଏକ ପ୍ରୋଜେକ୍ଟରୁ ସମୟ ବାହାର କରି ଅମଲା ଏହି ପ୍ରୋଜେକ୍ଟ ପାଇଁ କାମ କରୁଛନ୍ତି। କିଛିଦିନ ତଳେ ଅମଲା ଏ ସମ୍ପର୍କରେ କୌଣସି ସୂଚନା ନ ଦେଇ କେବଳ ଏତିକି କହିଥିଲେ ଯେ ସେ ହିନ୍ଦୀ ସିନେମା ସହ ସମ୍ପର୍କ ଥିବା ଏକ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି। ଯାହାର ଶୁଟିଂ ଖୁବ୍ ଶୀଘ୍ର ଆରମ୍ଭ କରାଯିବ। ୭୦ ଦଶକର ନାୟିକା ପରବିନଙ୍କ ସହ ମହେଶଙ୍କର ଘନିଷ୍ଠ ସମ୍ପର୍କ ଥିବାରୁ ଏହି ଓ୍ବେବ ସିରିଜ ମହେଶଙ୍କ ପାଇଁ ଖୁବ୍ ଗୁରୁତ୍ୱ ରଖେ ବୋଲି କୁହାଯାଉଛି।


