ଫସଲ ବଞ୍ଚାଇବାକୁ ଜୀବନ ବାଜି: ମଞ୍ଚାରେ ବିତୁଛି ମାସ ପରେ ମାସ

ବନ୍ତଳା, ୧୪।୧୨ (ଦିନେଶ ଦେହୁରୀ) – ପରିବାର ପ୍ରତିପୋଷଣ ପାଇଁ ସେମିତି କିଛି ଆୟ ନାହିଁ। ଯେଉଁ ଅଳ୍ପ କିଛି ଜମି ଅଛି ସେଥିରେ ଦିନରାତି ପରିଶ୍ରମ କରି ଚାଷ କରୁଛନ୍ତି। ହେଲେ ସମସ୍ତ ଫସଲ ଯେ ଅମଳ ହୋଇ ଘରକୁ ଆସିବ ସେ ନେଇ ଶତପ୍ରତିଶତ ନିଶ୍ଚିତ ନୁହନ୍ତି ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ୭ ପଞ୍ଚାୟତର ଚାଷୀ। ତେଣୁ ଜୀବନକୁ ବାଜି ଲଗାଇ ସେମାନେ ମାସ ମାସ ଧରି ମଞ୍ଚା ବାନ୍ଧି ଫସଲ ଜଗୁଛନ୍ତି। ବନ୍ୟପ୍ରାଣୀ ମୁହଁରୁ ଯାହା କିଛି ବଳୁଛି ତାହାକୁ ଘରକୁ ଆଣୁଛନ୍ତି। କେତେବେଳେ ହାତୀ, ବର୍‌ହା ଆକ୍ରମଣରେ ମୃତାହତ ମଧ୍ୟ ହେଉଛନ୍ତି। ବର୍ଷ ବର୍ଷ ଧରି ଏପରି ଫସଲ କ୍ଷତିର ସମ୍ମୁଖୀନ ହେଉଥିଲେ ବି ବନ ବିଭାଗ ଉପଯୁକ୍ତ କ୍ଷତିପୂରଣ ଦେଉନାହିଁ। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ ଏକର ପିଛା ସହାୟତା ଦେବାକୁ ସେମାନେ ଦାବି କରିଛନ୍ତି।
ପ୍ରକାଶ ଯେ, ଅଭୟାରଣ୍ୟ ମଧ୍ୟରେ ଥିବା ଅନୁଗୋଳ ଜିଲାର ଟିକରପଡ଼ା, ପୁରୁଣାକୋଟ, ଜଗନ୍ନାଥପୁର, ବଲଙ୍ଗ, ଟାଇଁସି, ଅନ୍ତୁଳିଆ ଓ କୋଠଭୂଇଁ ପଞ୍ଚାୟତର ଚାଷୀମାନେ ବର୍ଷ ତମାମ ବିଭିନ୍ନ ଫସଲ କରିଥାନ୍ତି। ଧାନ, ମୁଗ, ବିରି, ବାଦାମ, ହରଡ଼, କନ୍ଦମୂଳ ଆଦି ଚାଷ କରିବା ସହ ତାହାକୁ ବନ୍ୟପ୍ରାଣୀଙ୍କ ମୁହଁରୁ ରକ୍ଷା କରିବାକୁ ଜଗି ରହିଥାନ୍ତି। ଦିନକୁ ଦିନ ଏଠାର ହାତୀ, ବାର୍‌ହା ଉପଦ୍ରବ ବଢ଼ୁଥିବାରୁ ଚାଷୀମାନେ ଆଉ ପୂର୍ବପରି ଅଧିକ ଜମିରେ ଚାଷ କରିପାରୁ ନାହାନ୍ତି। କାରଣ ବନ ବିଭାଗର ସହାୟତା ବିନା ଏତେ ଫସଲକୁ ସୁରକ୍ଷା ଦେବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ। ତେଣୁ ଅଳ୍ପ ଜମିରେ କରୁଥିବା ଫସଲକୁ ମଞ୍ଚା ବାନ୍ଧି ସେମାନେ ଜଗି ବସୁଛନ୍ତି। ହାତୀ ପଲ ଆସିଲେ ଘଉଡ଼ାଇବାକୁ ବନ ବିଭାଗ କେବଳ କିଛି ବାଣ ଯୋଗାଉଥିବାବେଳେ ଚାଷୀମାନେ ରାତିରେ ନିଅଁାହୁଳା ଓ ଦିନରେ ଟିଣ ବାଜା ବଜାଇ ବନ୍ୟଜନ୍ତୁଙ୍କୁ ଦୂରେଇବାକୁ ଉଦ୍ୟମ କରୁଛନ୍ତି। ସେହିପରି ନଷ୍ଟ ହେଉଥିବା ଫସଲର କ୍ଷତିପୂରଣ ବାବଦରେ ବନ ବିଭାଗ କେବଳ କିଛି ଅନୁକମ୍ପାମୂଳକ ସହାୟତା ପ୍ରଦାନ କରୁଛି, ଯେଉଁଥିରେ କ୍ଷତିଭରଣା ସମ୍ଭବ ନୁହେଁ ବୋଲି ଚାଷୀମାନେ କହିଛନ୍ତି। ଏ ନେଇ ସାତକୋଶିଆ ଅଧିବାସୀମାନେ ବାରମ୍ବାର ଆନ୍ଦୋଳନ କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବା କହିଛନ୍ତି। ଟିକରପଡ଼ା ପଞ୍ଚାୟତ ହାତିବାରୀ ଗ୍ରାମର ରମେଶ ସାହୁ, କଇରା ସାହୁ, ଧୀର ବେହେରା, ବିଜୁ ନାଏକ, ନୀଳକଣ୍ଠ ସାହୁ, ଧୁବେଇ ସାହୁଙ୍କ ସମେତ ଗ୍ରାମର ଚାଷୀମାନେ ଜମିରେ ୩୦ଟି ମଞ୍ଚା କରି ଫସଲକୁ ସୁରକ୍ଷା ଦେଉଛନ୍ତି। ସେହିପରି ଟିକରପଡ଼ା ଗଁାର ଚାଷୀ ୧୫ଟି ମଞ୍ଚା, ବେହେରାସାହିର ଚାଷୀ ୩୦ଟି, କଟରଙ୍ଗରେ ୩୫, କୁଶଖଳିରେ ୧୦, କରଡ଼ାପଡ଼ାରେ ୨୫ଟିକୁ ମିଶାଇ ଏହି ପଞ୍ଚାୟତର ଚାଷୀମାନେ ମୋଟ୍‌ ୧୪୮ଟି ମଞ୍ଚାରେ ଜୀବନକୁ ବାଜି ଲଗାଇ ଫସଲକୁ ସୁରକ୍ଷା ଦେଉଛନ୍ତି। ସେହିପରି ପୁରୁଣାକୋଟ ପଞ୍ଚାୟତ ପୁରୁଣାକୋଟ ଗ୍ରାମର ବିଜି ବିଶୋଇ, ପ୍ରଫୁଲ୍ଲ ବିଶୋଇ, ଗୋକୁଳ ବିଶୋଇ, ନୀର ବିଶୋଇ ପ୍ରମୁଖ ୩୫ଟି ମଞ୍ଚା କରିଛନ୍ତି। ଗୋପାଳପୁର ଗ୍ରାମର ନୀର ପଧାନ, ଅଦେଇ ମହାରଥୀ, ବସନ୍ତ ନାଏକ, କ୍ଷେତ୍ର ନାଏକ, କୁମୁଦ ଦାସ, ଶରତ ଦାସ ପ୍ରମୁଖ ୧୨ଟି ମଞ୍ଚା କରିଛନ୍ତି। ଛୋଟକେଇରେ ୨୫ଟି, ଟୁଲୁକାରେ ୩୦, ସାଲରରେ ୨୦, ଭ୍ରୁକୁଣ୍ଡିରେ ୩୨, ବଡ଼କ୍ଷେତାରେ ୧୩ଟିକୁ ନେଇ ପୁରୁଣାକୋଟ ପଞ୍ଚାୟତରେ ୧୩୭ଟି ମଞ୍ଚା କରାଯାଇଛି। ଜଗନ୍ନାଥପୁର ପଞ୍ଚାୟତର ଜଗନ୍ନାଥପୁର ଗ୍ରାମରେ ୨୫ଟି, ବୃତ୍ତିରେ ୨୦, ଟାକରିସିଂହାରେ ୩୨, ହିଂସିରିଡ଼ାରେ ୧୦, କୁଲାଙ୍ଗୀରେ ୨୫, ତରଭାରେ ୨୦, ଅଶନବାହାଳରେ ୨୪ଟିକୁ ନେଇ ମୋଟ୍‌ ୧୩୪ଟି ମଞ୍ଚା ଜଗନ୍ନାଥପୁର ପଞ୍ଚାୟତର ଚାଷୀମାନେ କରିଛନ୍ତି। ଟାଇଁସିରେ ୧୪୧ଟି ମଞ୍ଚା, କୋଠଭୂଇଁରେ ୧୨୩, ଅନ୍ତୁଳିଆରେ ୧୧୭, ବଲଙ୍ଗ ପଞ୍ଚାୟତରେ ୧୨୦ଟି ମଞ୍ଚାରେ ଚାଷୀ ଫସଲ ଜଗୁଛନ୍ତି। ଏପରି ଭାବେ ଅଭୟାରଣ୍ୟ ମଧ୍ୟରେ ଥିବା ୭ଟି ପଞ୍ଚାୟତରେ ମୋଟ୍‌ ୯୨୦ଟି ମଞ୍ଚା କରାଯାଇଥିବା ସୂଚନା ମିଳିଛି। ହାତୀବାରିର ଚାଷୀ ମୀନତି ସାହୁ ଓ ସୋମନାଥ ଗଡ଼ତିଆ କୁହନ୍ତି, ଧାନ ବିଲ ହୁଡ଼ାରେ ମଞ୍ଚା କରି ୪୫ ଦିନ ଜଗି ରହୁଛୁ। ତଥାପି ବାର୍‌ହା ଓ ହାତୀ ଆସି ଫସଲ ନଷ୍ଟ କରୁଛି। ସାତକୋଶିଆବାସୀଙ୍କ ଏପରି କ୍ଷୟକ୍ଷତିର ଉପଯୁକ୍ତ ତଦନ୍ତ କରି ବନ ବିଭାଗ ଏକର ପିଛା କ୍ଷତିପୂରଣ ସହ ବନ୍ୟଜନ୍ତୁ ଆକ୍ରମଣରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଓ ଜଣକୁ ଚାକିରି, ଗଁା ଚାରିପଟେ ଟ୍ରେଞ୍ଚ ଖୋଳୁ ବୋଲି ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତି ସଭାପତି ଜନାର୍ଦ୍ଦନ ସାହୁ, ସମ୍ପାଦକ ବିରାଜ ଜାନି, ପୁରୁଣାକୋଟ ସରପଞ୍ଚ ଅନନ୍ତ ବାସୁଦେବ ମହାନ୍ତି, ଆଇନଜୀବୀ ବୀରେନ୍‌ ନାଏକ, ଟିକରପଡ଼ା ସରପଞ୍ଚ ସୁମତି ଦଳବେହେରା, ସମିତି ସଭ୍ୟ ବିଦ୍ୟାଧର ପଧାନ, ଜଗନ୍ନାଥପୁର ସରପଞ୍ଚ ବିନୋଦ ସାହୁ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri