ମିଛ ଦେଶପ୍ରେମ

ଆକାର ପଟେଲ
ଇଂଲିଶ ଡିକ୍ସନାରି ଲେଖିଥିବା ସାମୁଏଲ ଜନ୍‌ସନ କହିଥିଲେ: ”ଦେଶପ୍ରେମ ହେଉଛି ଖଳବ୍ୟକ୍ତିିମାନଙ୍କର ଶେଷ ଆଶ୍ରୟସ୍ଥଳୀ।“ ତାଙ୍କ କହିବାର ଅର୍ଥ ହେଲା, ଆଜିଯାଏ ନିଜକୁ ଦେଶଭକ୍ତ ବୋଲି ଚିତ୍କାର କରୁଥିବା ଲୋକ ଯେକୌଣସି ଅପରାଧ ବା ଅଶିଷ୍ଟାଚରଣ କଲେ ମଧ୍ୟ ତାକୁ ସହ୍ୟ କରାଯାଇ ଆସିଛି। ଅନ୍ୟ ପକ୍ଷରେ ଜଣେ ବ୍ୟକ୍ତି ଯଦି ଦେଶ ବା ସରକାରଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ କରିଛି, ତେବେ ସେ ଲୋକଟି ଯେତେ ମହତ୍‌ ହୋଇଥାନ୍ତୁ ନା କାହିଁକି, ତାଙ୍କୁ ଦେଶଦ୍ରୋହୀ ଭାବେ ଅଭିହିତ କରାଯାଇଛି। ଏ କଥାଟି ଆମ ଦେଶ ଓ ଆମ ସମୟ ପାଇଁ ମଧ୍ୟ ପ୍ରଯୁଜ୍ୟ। ମୁଁ ସେ ପ୍ରସଙ୍ଗକୁ ପଛେ ଆସିବି, କିନ୍ତୁ ପ୍ରଥମେ ଆମେ ଦେଖିବା ଆମେରିକାରେ କ’ଣ ଚାଲିଛି।
ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସ (ଆମେରିକାର ଲୋକ ସଭା) ଦ୍ୱାରା ମହାଭିଯୋଗର ସମ୍ମୁଖୀନ ହେବାକୁ ଯାଉଛନ୍ତି। ତା’ପରେ ଆମେରିକାର ସିନେଟ ନିଷ୍ପତ୍ତି ନେବ ତାଙ୍କୁ ଛାଡ଼ିଦିଆଯିବ ବା ଦୋଷୀ ସାବ୍ୟସ୍ତ କରାଯିବ। ରାଷ୍ଟ୍ରପତିମାନେ କ୍ଷମତାରେ ଥିବାବେଳେ ସେ ଯେତେ ଅପରାଧ କଲେ ବି ତାଙ୍କର କିଛି ହୁଏ ନାହିଁ, କିନ୍ତୁ ମହାଭିଯୋଗ ମାଧ୍ୟମରେ ତାଙ୍କୁ ଗାଦିଚ୍ୟୁତ କରାଯାଇପାରେ। ଦୁଇ ଦଶନ୍ଧି ତଳେ ବିଲ୍‌ କ୍ଲିଣ୍ଟନ ମହାଭିଯୋଗର ସମ୍ମୁଖୀନ ହୋଇଥିଲେ। କିନ୍ତୁ ସିନେଟ ତାଙ୍କୁ ଦୋଷୀ ସାବ୍ୟସ୍ତ ନ କରି ଛାଡ଼ିଦେଇଥିଲା। ନିର୍ବାଚିତ ହେବା ପରଠାରୁ ହିଁ ଟ୍ରମ୍ପଙ୍କ ବିରୋଧରେ ଭ୍ଲାଡିମିର ପୁଟିନଙ୍କ ସହ ଗୁପ୍ତ ବୁଝାମଣା କରିଥିବା ନେଇ ଅଭିଯୋଗ ରହିଆସିଛି। ଏବେ ରୁଷିଆ ମନ୍ଦ ଉଦ୍ଦେଶ୍ୟ ନେଇ ଆମେରିକାର ଗଣତାନ୍ତ୍ରିକ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା, ପ୍ରଭାବିତ କରିବା ଓ ବାଧାସୃଷ୍ଟି କରୁଥିବା ନେଇ ଆଉ କାହାରି ଦ୍ୱିମତ ନାହିଁ। ସାମାଜିକ ଗଣମାଧ୍ୟମ ଓ ମିଛ ଖବରର ସାହାରା ନେଇ ୨୦୧୬ ନିର୍ବାଚନରେ ଏହା ହିଲାରୀ କ୍ଲିଣ୍ଟନଙ୍କୁ ହରାଇବା ଓ ଟ୍ରମ୍ପଙ୍କୁ ଜିତାଇବାରେ ସାହାଯ୍ୟ କରିଥିଲା। ଟ୍ରମ୍ପଙ୍କ ଅଧୀନରେ ଥିବା ଉଭୟ ସିଆଇଏ ଓ ଏଫ୍‌ବିଆଇ ଏକଥା କହିଛନ୍ତି। ବିଭିନ୍ନ କଥା ଜଣାପଡ଼ିବା ପରେ ସ୍ଥିର କରାଗଲା ଯେ ଏଫ୍‌ବିଆଇ ନିର୍ଦ୍ଦେଶକ ରବର୍ଟ ମୁଲରଙ୍କ ନେତୃତ୍ୱରେ ରୁଷିଆର ହସ୍ତକ୍ଷେପ ଉପରେ ଏକ ସ୍ବାଧୀନ ଓ ନିରପେକ୍ଷ ତଦନ୍ତ କରାଯିବ। ମୁଲରଙ୍କ ରିପୋର୍ଟ ମିଳିବା ପରେ ଟ୍ରମ୍ପଙ୍କ ଅନେକ ସହଯୋଗୀ ଭୁଲ୍‌କାମ କରିବା ନେଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଟ୍ରମ୍ପଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକେଲ ଫ୍ଲିନ୍‌ ଏଫ୍‌ବିଆଇକୁ ମିଛ କହି ଜେଲ ଯାଇଥିଲେ। ଟ୍ରମ୍ପଙ୍କ ଉପ ପ୍ରଚାର ପରିଚାଳକ ରିକ୍‌ ଗେଟ୍‌ସ ଏଫ୍‌ବିଆଇକୁ ମିଛ ବିବୃତି ଦେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଟ୍ରମ୍ପଙ୍କ ବିଦେଶ ନୀତି ପରାମର୍ଶଦାତା ଜର୍ଜ ପାପାଡୋପୋଲସ ଏଫ୍‌ବିଆଇକୁ ମିଛ ବିବୃତି ଦେବା ଓ ନିର୍ବାଚନ ପ୍ରଚାର ସମୟରେ ରୁଷିଆ ସହ ଯୋଗାଯୋଗରେ ରହିବା ଅଭିଯୋଗରେ ଜେଲ ଯାଇଥିଲେ। ଟ୍ରମ୍ପଙ୍କ ଓକିଲ ଓ ମଧ୍ୟସ୍ଥ ମାଇକେଲ କୋହେନ ୨୦୧୬ ନିର୍ବାଚନ ବିଷୟରେ କଂଗ୍ରେସକୁ ମିଛ କହିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଟ୍ରମ୍ପଙ୍କ ପ୍ରଚାର ଅଧ୍ୟକ୍ଷ ପଲ୍‌ ମାନାଫୋର୍ଟ ନ୍ୟାୟକୁ ପ୍ରତିବନ୍ଧିତ କରିବା ଅଭିଯୋଗରେ ଜେଲରେ ଅଛନ୍ତି। ଟ୍ରମ୍ପଙ୍କ ପୁଅ ଓ ଜ୍ୱାଇଁ ରୁଷୀୟ ଏଜେଣ୍ଟଙ୍କ ସହ ବୈଠକ କରିଥିଲେ। ଏହି ବୈଠକରେ ଯୋଗ ଦେଇଥିବା କେତେକ ରୁଷୀୟ ଗୁପ୍ତଚର ବୃତ୍ତି କରୁଥିବା ନେଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଟ୍ରମ୍ପ ନିଜେ କେତେକ ମହିଳାଙ୍କ ସହ ରାତି ବିତାଇବା ପାଇଁ ପ୍ରଚାର ଟଙ୍କାରୁ ସେମାନଙ୍କୁ ଦେଇଥିବାର ଅଭିଯୋଗ ରହିଛି। ବର୍ତ୍ତମାନ ସ୍ପଷ୍ଟ ହୋଇଯାଇଛି ଯେ, ଟ୍ରମ୍ପ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ୟୁକ୍ରେନ୍‌କୁ କଂଗ୍ରେସ ଦ୍ୱାରା ମଞ୍ଜୁର ହୋଇଥିବା ସତ୍ତ୍ୱେ ସାମରିକ ସାହାଯ୍ୟ ପ୍ୟାକେଜ୍‌ ନ ଦେଇ ବ୍ଲାକ୍‌ମେଲ କରୁଥିଲେ। ସବୁ ଦୃଷ୍ଟିରୁ ଦେଖିଲେ ସେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଧ୍ୱଂସ କରିବାକୁ ଚେଷ୍ଟା କରିଥିଲେ ଏବଂ ଦେଶର ସ୍ବାର୍ଥ ବିରୋଧରେ କାର୍ଯ୍ୟ କରିଥିଲେ। କିନ୍ତୁ ଏସବୁ ନାଟକ ସତ୍ତ୍ୱେ ଟ୍ରମ୍ପ ନିଜକୁ ଦେଶପ୍ରେମୀ ଓ ଜାତୀୟତାବାଦୀ ବୋଲି ଛଳନା କରିଆସୁଛନ୍ତି। ନିଜେ ଦେଶ ସ୍ବାର୍ଥବିରୋଧୀ କାର୍ଯ୍ୟ କରି ବି ଆମେରିକାକୁ ଆଉଥରେ ମହାନ୍‌ କରିତୋଳିବା ପାଇଁ ସେ ସ୍ଲୋଗାନ ଦେଉଛନ୍ତି। ତାଙ୍କ ପ୍ରଶାସନରେ ଥିବା ହ୍ବିଶିଲ୍‌ବ୍ଲୋୟରମାନେ ୟୁକ୍ରେନ୍‌ ପ୍ରସଙ୍ଗରେ କଂଗ୍ରେସକୁ ଚେତେଇଦେବା ପରେ ସେ ସେମାନଙ୍କ ବିରୋଧରେ ଦେଶବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାର ଅଭିଯୋଗ କରିଛନ୍ତି। ପ୍ରକୃତରେ କିଏ ବେଆଇନ କାର୍ଯ୍ୟ କରୁଛି ତାହା ଏବେ ସ୍ପଷ୍ଟ ହୋଇଯାଇଛି। କିନ୍ତୁ ଟ୍ରମ୍ପଙ୍କୁ ସମର୍ଥନ କରିବା ଭଳି ଲୋକ ବି ଅଛନ୍ତି। ସେମାନେ ଆପ୍ରବାସୀ ଓ ମୁସଲମାନଙ୍କ ବିରୋଧରେ ଘୃଣାଭାବର ପ୍ରସାର କରି ନିଜର ମିଛ ଦେଶଭକ୍ତିର ମୂଳଦୁଆକୁ ମଜଭୁତ କରିବାକୁ ଚେଷ୍ଟା କରୁଛନ୍ତି। ଆମେରିକୀୟ ସମାଜର କିଛି ଅଂଶରେ ବିଶେଷତଃ ଗୋରା ଲୋକଙ୍କ ଭିତରେ ଟ୍ରମ୍ପ ଏବେ ମଧ୍ୟ ଲୋକପ୍ରିୟ ହୋଇ ରହିଛନ୍ତି। ସେମାନେ ଟ୍ରମ୍ପଙ୍କୁ ସୁରକ୍ଷା ଦେଉଛନ୍ତି।
ଭାରତରେ ମଧ୍ୟ ଏପରି ମିଛ ଦେଶପ୍ରେମର ଜୟଯାତ୍ରା ଚାଲିଛି। ସତକଥା ଗୁରୁତ୍ୱହୀନ ଓ ନିରର୍ଥକ ହୋଇପଡ଼ିଛି। ବିରୋଧୀମାନଙ୍କୁ ଦେଶଦ୍ରୋହୀ ଭାବେ ଅଭିହିତ କରାଯାଉଛି। ଗଣମାଧ୍ୟମର ମଧ୍ୟ ଏଥିରେ ଭୂମିକା ରହିଛି। ଟ୍ରମ୍ପ ଯେତେ ଭୁଲ କାମ କଲେ ବି ନିର୍ଦ୍ଦିଷ୍ଟ କେତେକ ନ୍ୟୁଜ୍‌ ଚାନେଲ ପକ୍ଷରୁ ତାଙ୍କ ପ୍ରତି ସମର୍ଥନ ରହିଛି। ଯେଉଁ ଖବରକାଗଜ ସତକଥା ଲେଖୁଛନ୍ତି ସେ ତାଙ୍କ ବିରୋଧରେ ଏକପ୍ରକାର ଯୁଦ୍ଧ ଘୋଷଣା କରୁଛନ୍ତି। ଚଳିତ ସପ୍ତାହରେ ଟ୍ରମ୍ପ ସମସ୍ତ ସଂଘୀୟ କାର୍ଯ୍ୟାଳୟରେ ନ୍ୟୁୟର୍କ ଟାଇମ୍ସ ଓ ଓ୍ବାଶିଂଟନ ପୋଷ୍ଟକୁ ନିଷିଦ୍ଧ କରିଛନ୍ତି। ପ୍ରକୃତ ଦେଶପ୍ରେମ ବଦଳରେ ଏହି ମିଛ ଦେଶପ୍ରେମ ଅଧିକ ଗ୍ରହଣୀୟ ହୋଇଛି, ଯାହାକୁ ବ୍ୟବସ୍ଥା ଭିତରୁ କାଢ଼ି ବାହାର କରିଦେବା ଅତ୍ୟନ୍ତ କଷ୍ଟକର।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri