ପାରଳାଖେମୁଣ୍ଡି,୨୯ା୧୨ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ସ୍ବାସ୍ଥ୍ୟସେବା ବିଗିଡ଼ିବାରେ ଲାଗିଛି। ଜଣଙ୍କର ମୃତ୍ୟୁ ଘଟିଥିଲେ ସୁଦ୍ଧା ତାକୁ ଉଚ୍ଚ ଚିକିତ୍ସା ପାଇଁ ଡାକ୍ତର ଅନ୍ୟତ୍ର ସ୍ଥାନାନ୍ତର କରିବା ପରି ଘଟଣା ଜିଲାର ଆର୍.ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି। ଏହି ଖବର ଜଣାପଡ଼ିବା ପରେ ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତରଙ୍କ ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଆର. ଉଦୟଗିରି ବ୍ଲକ ଭାଲିଆସାହି ଡଳକୋଟା ଗ୍ରାମର ସରସ୍ବତୀ ମଣ୍ଡଳ ତାଙ୍କ ତିନି ମାସର ଶିଶୁପୁତ୍ରର ସ୍ବାସ୍ଥ୍ୟ ଖରାପ ଥିବାରୁ ରବିବାର ସକାଳେ ରାମଗିରି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ଶିଶୁପୁତ୍ରର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଥିବା କହି କାର୍ଯ୍ୟରତ ଡାକ୍ତର ତାଙ୍କୁ ପାରଳାଖେମୁଣ୍ଡିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଶିଶୁର ଚିକିତ୍ସା ଆରମ୍ଭ କରିବାବେଳକୁ ତା’ର ଦୀର୍ଘ ଘଣ୍ଟା ପୂର୍ବରୁ ମୃତ୍ୟୁ ହୋଇଯାଇଥିବା ସରସ୍ବତୀଙ୍କୁ କହିଥିଲେ। ଡାକ୍ତରଙ୍କଠାରୁ ଏପରି ଶୁଣି ସରସ୍ବତୀ ତାଙ୍କ ଶିଶୁପୁତ୍ରକୁ ରାମଗିରି ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ବା ପୂର୍ବରୁ ତା’ର ମୃତ୍ୟୁ ହୋଇ ସାରିଥିବା ସନ୍ଦେହ କରୁଛନ୍ତି। ସେ ଅତି ଗରିବ ଶ୍ରେଣୀର ହୋଇଥିବାବେଳେ ତାଙ୍କ ସ୍ବାମୀ ପ୍ରଦୀପ ରଇତ ବାହାର ରାଜ୍ୟରେ ଦାଦନ ଖଟି ପରିବାର ଚଳାଉଛନ୍ତି। ଯଦି ରାମଗିରି ଡାକ୍ତର ତାଙ୍କ ଶିଶୁଟିର ମୃତ୍ୟୁ ହୋଇଥିବା ଜାଣିଥିଲେ, ତେବେ କାହିଁକି ଆମକୁ ପାରଳାଖେମୁଣ୍ଡି ପଠାଇଲେ ବୋଲି ସରସ୍ବତୀ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ଏ ସମ୍ପର୍କରେ ରାମଗିରି ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସୁବ୍ରତ କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ସମ୍ପୃକ୍ତା ମହିଳା ଶିଶୁଟିକୁ ଶନିବାର ରାତିରେ ରାମଗିରି ଡାକ୍ତରଖାନା ଆଣିଥିଲେ। ଶିଶୁଟିର ଚିକିତ୍ସା କରାଯାଇଥିଲା। ରବିବାର ଶିଶୁଟିର ସୁଗାର ଲେବଲ କମିଥିଲା। ଶିଶୁଟି କିଛି ଖାଉ ନ ଥିଲା କି କାନ୍ଦୁ ନ ଥିଲା। ଫଳରେ ତା’ର ଅଧିକ ଚିକିତ୍ସା ପାଇଁ ତାକୁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟକୁ ରବିବାର ସକାଳ ୮ଟା ୪୦ରେ ପଠାଯାଇଥିଲା। ସେତେବେଳକୁ ଶିଶୁଟି ଜୀବିତ ଥିଲା ବୋଲି ଡାକ୍ତର ସାହୁ କହିଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ମୁବାରକ ଅଲ୍ଲିଙ୍କୁ ପଚାରିବାରେ, ଯଦି ଏପରି ଘଟଣା ଘଟିଛି ତେବେ ଏହାର ତଦନ୍ତ ହେବ। ଯିଏ ଦୋଷୀ ହେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


