ଭଞ୍ଜନଗର,୧୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ
ପଡ଼ିଆରେ ଗୁରୁବାର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ ହୋଇଯାଇଛି। ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯନ୍ତ୍ରପାତି ମେଳାକୁ ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏହି ମେଳା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଠାରେ କୃଷକମାନେ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି, ଉପକରଣ ଆଦିର ବ୍ୟବହାର କିଭଳି କରିବେ ସେ ଉପରେ ଜ୍ଞାନ ଆହୋରଣ କରି ପାରିବେ ଏବଂ ବିଭିନ୍ନ ସହାୟତା ଓ ଯୋଜନା ଉପରେ ମଧ୍ୟ ତଥ୍ୟ ପାଇ ପାରିବେ। ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ, ଗଞ୍ଜାମ ଜିଲା ମୁଖ୍ୟ କୃଷି ଅଧିକାରୀ ଡ.ଅଜୟ କୁମାର କର, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବିନାରାୟଣ ମିଶ୍ର ବ୍ରହ୍ମପୁର କୃଷି ଜିଲା ଅଧିକାରୀ ହେମନ୍ତ ଦାସ, ଆସିକା କୃଷି ଜିଲା ଅଧିକାରୀ ସତ୍ୟବ୍ରତ ଦାସ, ଦିଗପହଣ୍ଡି ଜିଲା କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ, ଭଞ୍ଜନଗର କୃଷି ଜିଲା ଅଧିକାରୀ ବ୍ୟୋମକେଶ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିବା ବେଳେ କୃଷି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରି ଚାଷ ସହିତ ଚାଷୀଙ୍କୁ କିଭଳି ଆଗକୁ ବଢ଼ାଇବା, ଚାଷୀମାନଙ୍କୁ ସହଯୋଗ କରିବା, ଚାଷୀମାନେ କିଭଳି ସରକାରଙ୍କ ସମସ୍ତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଲାଭ ପାଇବେ ତାହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ଏହା ସହ ଏହି ମେଳାରେ କୃଷି ତଥା ଆନୁସଙ୍ଗିକ ବିଭାଗ ଦ୍ବାରା ବିଭିନ୍ନ ଷ୍ଟଲ ଖୋଲାଯାଇଛି। ମେଳାରେ ଟ୍ରାକ୍ଟର, ପାଓ୍ବାରଟ୍ରିଲର, ଧାନ ଅମଳ, ଧାନ ରୁଆ, ମଞ୍ଜି ସଫା, ରୋଟାଭେଟର, ଘାସ ଛେଦନ, କୋଡ଼ାଖୁସା, ଘାସ କଟା, ଗାତ ଖୋଳା,ଧାନ କଳ, ମକା ଛଡ଼ା, ଡାଲି କଳ, ତେଲ କଳ, ମୁଢ଼ି ମିଲ, ବିହନ ବୁଣା, ସାର ବୁଣା ଓ ଔଷଧ ସିଞ୍ଚନ ଭଳି ବିଭିନ୍ନ କୃଷି ଯନ୍ତ୍ରପାତି ରିହାତି ଦରରେ ବିକ୍ରି ହେବା ସହ ପ୍ରଦର୍ଶନ ହେଉଛି।


