ରାଇକିଆ,୧୬।୧୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ଜିଲାପାଳ ବେଦ ଭୂଷଣଙ୍କ ଦ୍ବାରା ଜନସାଧାରଣଙ୍କ ଦାରା ଅଭିଯୋଗ ଗୁଡ଼ିକର ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି। ବ୍ଲକର ବିଭିନ୍ନ ପଞ୍ଚାୟତ ରୁ ଜନ ସାଧାରଣଙ୍କ ପକ୍ଷରୁ ମାତ୍ର ୨୬ ଗୋଟି ବ୍ୟକ୍ତିଗତ, ୩ ଗୋଟି ସାମୁହିକ ଏହିପରି ମାତ୍ର ମୋଟ ୨୯ ଗୋଟି ଅଭିଯୋଗ ଗୁଡ଼ିକର ଶୁଣାଣି ହୋଇଥିଲା। ପାଖାପାଖି ତିନିମାସରେ ଥରେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହେଉଥିବାବେଳେ ଜିଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ସମସ୍ୟାର ସମାଧାନ କରିଥାନ୍ତି ।
ଗତ କେତୋଟି କାର୍ଯ୍ୟକ୍ରମକୁ ନଜର ଦେଲେ ପୂର୍ବ ବର୍ଷ ମାନଙ୍କ ତୁଳନାରେ ଅଭିଯୋଗ ପତ୍ର ସଂଖ୍ୟା କମିବାରେ ଲାଗିଛି। ଗତ ସେପ୍ଟେମ୍ବର ମାସରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୨୬ ଗୋଟି ସାମୁହିକ ଏବଂ ୧୯ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିଲା । ମାର୍ଚ୍ଚ ମାସରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୭ ଗୋଟି ସାମୁହିକ ଏବଂ ୧୯ଟି ବ୍ୟକ୍ତିଗତ ଅଭିଯୋଗ ଶୁଣାଣୀ ହୋଇଥିଲା।
କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରୀନା ପ୍ରଧାନ, ଉପଜିଲାପାଳ ପ୍ରଣିତା ଦାସ, ଆରକ୍ଷୀ ଅଧିକ୍ଷକ ହରିଶ ବିଶି, ସିଡି ଏମ ଓ ସନ୍ତୋଷ ପାଢ଼ୀ, ଜିଲା ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦି,ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ଏସଡିପିଓ ବିଜୟ ବିଶିଙ୍କ ସମେତ ଜିଲା ସ୍ତରୀୟ ସରକାରୀ କର୍ମଚାରୀମାନେ ଏବଂ ସ୍ଥାନୀୟ ବିଡିଓ ସବ୍ୟସାଚୀ ସାହୁ ଓ ତହସିଲଦାର ବରିୟାଲ ମୁର୍ମୁ ଉପସ୍ଥିତ ଥିଲେ ।
Dharitri – Odisha’s No.1 Odia Daily


