ମାଲକାନଗିରି, ୮।୩ (ନୃସିଂହ ଚରଣ ମହାନ୍ତି): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ପୋଲିସ ନିକଟରେ ଶନିବାର ୨ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ମାଲାଙ୍ଗୀର ମାଓବାଦୀ ଏରିଆ କମିଟିରେ ସକ୍ରିୟ ଥିଲେ। ଉଭୟ ମହିଳା ମାଓବାଦୀ ହେଲେ ପ୍ଲାଟୁନ ନମ୍ବର ୨୦ର ସଦସ୍ୟା ତଥା ୨ ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ କୁମାରୀ ଭୀମେ ବେଟ୍ଟି ଓ ଏଲ୍ଓଏସ୍ ସଦସ୍ୟା ୧ ଲକ୍ଷ ପୁରସ୍କାର ଘୋଷିତ କୁମାରୀ ଯୋଗୀ କୁଞ୍ଜମ। ତେବେ ଭୀମେ ଓଡ଼ିଶାର ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଗୁଗାପଦର ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ଛତିଶଗଡ଼ରେ ମାଓବାଦୀ ଦମନ ଲାଗି ପୋଲିସ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଥିବା ବେଳେ ଅନେକ ମାଓବାଦୀ ପୋଲିସର ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ଏବଂ ମାଓବାଦୀ ସଙ୍ଗଠନ ନୀତି ଆଦର୍ଶ ହରାଉଥିବାରୁ ସାଧାରଣ ଜୀବନଯାପନ ପାଇଁ ପୋଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି।
ଦାନ୍ତେୱାଡା ପୋଲିସ ଉପ ନିରୀକ୍ଷକ କମଳଲୋଚନ କଶ୍ୟପ, ପୋଲିସ ଅଧୀକ୍ଷକ ଗୌରବ ରାୟ, ଅତିରିକ୍ତ ପୋଲିସ ଅଧୀକ୍ଷକ ସ୍ମୃତିକ ରାଜନାଲା, ଅତିରିକ୍ତ ପୋଲିସ ଅଧୀକ୍ଷକ ପୂଜା କୁମାର ଏବଂ ଅତିରିକ୍ତ ପୋଲିସ ଅଧୀକ୍ଷକ ରାମକୁମାର ବର୍ମନଙ୍କ ସମ୍ମୁଖରେ ଏହି ୨ଜଣ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ନୀତି ଅନୁଯାୟୀ ସେମାନଙ୍କୁ ଥଇଥାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।


