ନୀରବ ମହାମାରୀ

ଭାରତ ଏକ ଯୁବ ଦେଶ। ଏହାର ଜନସଂଖ୍ୟାର ମୋଟ ୫୩.୭% ହେଉଛନ୍ତି ଯୁବକ। ତେବେ ଚିନ୍ତାର ବିଷୟ ହେଉଛି, ସେମାନେ ଏବେ ଏକ ନୀରବ ମହାମାରୀର ସମ୍ମୁଖୀନ ହେଉଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ‘ଭାରତରେ ଦୁର୍ଘଟଣାଜନିତ ମୃତ୍ୟୁ ଏବଂ ଆତ୍ମହତ୍ୟା ୨୦୨୨’ ଶୀର୍ଷକ ରିପୋର୍ଟ ଅନୁଯାୟୀ, ଉକ୍ତ ବର୍ଷ ୧୩ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଥିଲେ, ଯାହା ସେହି ବର୍ଷର ମୋଟ ଆତ୍ମହତ୍ୟାର ୭.୬% ଥିଲା। ୧୮ ବର୍ଷରୁ କମ୍‌ ବୟସର ଛାତ୍ରୀଛାତ୍ରଙ୍କ ମଧ୍ୟରେ ୧୧୨୩ ଆତ୍ମହତ୍ୟାର କାରଣ ଥିଲା ପରୀକ୍ଷାରେ ବିଫଳତା, ଯେଉଁଥିରେ ୫୭୮ ଛାତ୍ର ଓ ୫୭୫ ଛାତ୍ରୀ ଶିକାର ହୋଇଥିଲେ।
୨୦୨୧ ରୁ ୨୦୨୨ ମଧ୍ୟରେ ଛାତ୍ର ଆତ୍ମହତ୍ୟା ୬% ହ୍ରାସ ପାଇଥିବାବେଳେ ଛାତ୍ରୀ ଆତ୍ମହତ୍ୟା ୭% ବୃଦ୍ଧି ପାଇଛି। ୨୦୨୧ରେ ୧୩,୦୮୯ ଶିକ୍ଷାର୍ଥୀ ଆତ୍ମହତ୍ୟା ରିପୋର୍ଟ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୮% ବୃଦ୍ଧି ପାଇଛି। ଗତ ୨ ଦଶନ୍ଧି ମଧ୍ୟରେ ଭାରତରେ ଶିକ୍ଷାର୍ଥୀ ଆତ୍ମହତ୍ୟା ବାର୍ଷିକ ୪% ହାରରେ ବୃଦ୍ଧି ପାଇଛି, ଯାହା ମୋଟ ଆତ୍ମହତ୍ୟା ହାରର ୨ଗୁଣ। ଆତ୍ମହତ୍ୟା ହାରରେ ଉଲ୍ଲେଖନୀୟ ବୃଦ୍ଧି ସହ ଓଡ଼ିଶା ମଧ୍ୟ ଶୀର୍ଷ ରାଜ୍ୟଗୁଡ଼ିକ ଭିତରେ ସ୍ଥାନ ପାଇଛି।
ଶିକ୍ଷାର୍ଥୀ ଆତ୍ମହତ୍ୟା ରୂପକ ନୀରବ ମହାମାରୀ ଦିନକୁ ଦିନ ବଢ଼ିଚାଲିଛି। ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ଯୁବ ମନକୁ କେଉଁ କେଉଁ କାରଣ ପ୍ରବର୍ତ୍ତାଇଥାଏ ? ଉତ୍ତରଟି ସରଳ ନୁହେଁ। କେତେଜଣ ଛାତ୍ରୀଛାତ୍ର ହୁଏତ ନିଜର କିମ୍ବା ପରିବାରର ଆକାଂକ୍ଷା ପୂରଣରେ ବିଫଳ ହୋଇଥାନ୍ତି; କେତେକେ ହୁଏତ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୁଅନ୍ତି,ଆଉ କେତେକେ ବ୍ୟକ୍ତିଗତ କିମ୍ବା ପାରିବାରିକ ସମସ୍ୟା ସହ ଯୁଝିଥାଇପାରନ୍ତି; କେହି କେହି ନିର୍ଯାତନା କିମ୍ବା ଭେଦଭାବର ଶିକାର ହୋଇଥାଇପାରନ୍ତି। ବିଶେଷଜ୍ଞ ତଥା ଏଥିରୁ ବର୍ତ୍ତିଥିବା ଛାତ୍ରୀଛାତ୍ରଙ୍କ ଅନୁଯାୟୀ, ଏହି ମହାମାରୀର କେତେକ କାରଣ ରହିଛି।
ଆଜିର ପ୍ରତିଯୋଗିତାମୂଳକ ପାଠ୍ୟକ୍ରମରେ ଘଣ୍ଟା ଘଣ୍ଟା ଅଧ୍ୟୟନ ଓ କ୍ରମାଗତ ପରୀକ୍ଷାର ଚାପ ରହୁଛି। ଅଧିକାଂଶ ଶିକ୍ଷାନୁଷ୍ଠାନ ଛାତ୍ରୀଛାତ୍ରଙ୍କୁ ଦକ୍ଷତା ଆଧାର ର଼୍ୟାଙ୍କିଙ୍ଗ୍‌ କରନ୍ତି। ଏହା ଭଲ ସ୍କୋର କରି ନ ଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ହୀନମନ୍ୟତା ସୃଷ୍ଟିକରେ। ଫଳରେ ସେମାନେ ପାଠପଢ଼ାକୁ ନେଇ ଚାପଗ୍ରସ୍ତ ରହନ୍ତି। ଅନେକ ବାପମାଆ ବହୁ ଅର୍ଥ ଖର୍ଚ୍ଚକରି ପିଲାଙ୍କୁ ପଢ଼ାଇଥାନ୍ତି। ସେମାନେ ପିଲାଠାରୁ ଅଧିକ ଆଶାକରନ୍ତି ଓ ଲକ୍ଷ୍ୟ ହାସଲ ପାଇଁ ଚାପ ପକାଇଥାନ୍ତି। କେତେଜଣ ବାପାମାଆ ନିଜ ପିଲାକୁ ଅନ୍ୟ ପିଲା ସହ ତୁଳନା କରନ୍ତି ଏବଂ ଭଲ ପ୍ରଦର୍ଶନ ନ କଲେ ଅପମାନ ଦେଇଥାନ୍ତି। ଏହାଦ୍ବାରା ସେମାନେ ନିଜକୁ ଅସହାୟ ମନେକରିଥାନ୍ତି।
ଅଧିକାଂଶ ଛାତ୍ରୀଛାତ୍ର ବାହାରେ ରହି ଅଧ୍ୟୟନ କରିଥାନ୍ତି। ସେମାନଙ୍କୁ ଏକ ନୂତନ ପରିବେଶ ସହ ଖାପ ଖୁଆଇବାକୁ ପଡ଼େ। ହଷ୍ଟେଲରେ ସେମାନେ ପର୍ଯ୍ୟାପ୍ତ ସୁବିଧା କି ଯତ୍ନ ମିଳେନାହିଁ। ଅନେକ ଛାତ୍ରୀଛାତ୍ର ସାଙ୍ଗସାଥୀ କିମ୍ବା ଘର ମାଲିକଙ୍କଠାରୁ ନିର୍ଯାତନା ଅବା ଭେଦଭାବର ଶିକାର ହୁଅନ୍ତି। ଅଧ୍ୟୟନ ଚାପ, ପିତାମାତାଙ୍କ ପ୍ରତ୍ୟାଶା ଓ ସାମାଜିକ ସହଯୋଗ ଅଭାବ ଛାତ୍ରୀଛାତ୍ରଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ସେମାନଙ୍କ ମଧ୍ୟରେ ଚିନ୍ତା, ଉଦାସୀନତା, ଅନିଦ୍ରା, ଆତ୍ମସମ୍ମାନ ହାନି କିମ୍ବା ଆତ୍ମହତ୍ୟା ଭାବନା ସୃଷ୍ଟି ହୋଇପାରେ। ତଥାପି ଅନେକ ଛାତ୍ର ଅଜ୍ଞତା ହେତୁ ଆନୁଷ୍ଠାନିକ ସହାୟତା ଲୋଡ଼ନ୍ତି ନାହିଁ। ତେଣୁ ସେମାନେ ଗୁଣାତ୍ମକ ମାନସିକ ସ୍ବାସ୍ଥ୍ୟସେବା ପାଇପାରନ୍ତି ନାହିଁ। ଯଦିଓ ଏହି ନୀରବ ମହାମାରୀର ସହଜ ସମାଧାନ ନାହିଁ, ତେବେ କିଛି ସମ୍ଭାବ୍ୟ ପଦକ୍ଷେପ ନିଆଯାଇପାରେ।
ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ, ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ ଓ ସାଙ୍ଗସାଥୀ ଛାତ୍ରୀଛାତ୍ରଙ୍କ ପାଇଁ ଏକ ସକାରାତ୍ମକ ପରିବେଶ ସୃଷ୍ଟିକରିବା ଉଚିତ। ନିଜ ଆଗ୍ରହ ଅନୁସାରେ ସହ-ଶୈକ୍ଷିକ କାର୍ଯ୍ୟକଳାପରେ ଅଂଶଗ୍ରହଣ, ନୂଆ ଲୋକଙ୍କ ସହ ବନ୍ଧୁତା ଆଉ ମନୋରଞ୍ଜନ ପାଇଁ ସେମାନଙ୍କୁ ଉତ୍ସାହିତ କରାଯିବା କଥା। ଆବଶ୍ୟକ ହେଲେ ସେମାନଙ୍କୁ ଭାବନାତ୍ମକ ସମର୍ଥନ ଓ ମାର୍ଗଦର୍ଶନ ମଧ୍ୟ ଦେବା ଉଚିତ।
ପାଠ୍ୟକ୍ରମକୁ ଅଧିକ ନମନୀୟ ଓ ସନ୍ତୁଳିତକରି ଛାତୀଛାତ୍ରଙ୍କ ଉପରେ ଅଧ୍ୟୟନ ଚାପ ହ୍ରାସ କରାଯାଇପାରିବ। କେବଳ ପରୀକ୍ଷାକୁ ଆଧାରକରି ର଼୍ୟାଙ୍କିଙ୍ଗ୍‌ କରିବା ପରିବର୍ତ୍ତେ ବ୍ୟକ୍ତିଗତ ପାର୍ଥକ୍ୟ ଓ ଦକ୍ଷତାକୁ ସମ୍ମାନ ଦେବା ଦରକାର। ସେମାନଙ୍କ ଦକ୍ଷତା ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ପରାମର୍ଶ ଦିଆଯିବା ଆବଶ୍ୟକ। ଛାତ୍ରୀଛାତ୍ରଙ୍କ ମଧ୍ୟରେ ମାନସିକ ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରାଯିବା ଜରୁରୀ। ମାନସିକ ସ୍ବାସ୍ଥ୍ୟ ସମସ୍ୟାର ଲକ୍ଷଣ ଓ ତାହାର ମୁକାବିଲା ସମ୍ପର୍କରେ ଶିକ୍ଷାଦେବା ସହ ଉଦାସୀନତା କିମ୍ବା ଆତ୍ମହତ୍ୟାପ୍ରବଣତା ଦେଖାଦେଲେ ଆନୁଷ୍ଠାନିକ ସହାୟତା ଓ ପରାମର୍ଶ ନେବାକୁ ଉତ୍ସାହିତ କରିବା ଉଚିତ।
ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତ୍ମହତ୍ୟା ରୋକିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା କରାଯିବା ଆବଶ୍ୟକ। ହଷ୍ଟେଲରେ ସ୍ପ୍ରିଙ୍ଗ୍‌ଯୁକ୍ତ ପଙ୍ଖା ବ୍ୟବହାର ବାଧ୍ୟତାମୂଳକ ହେବା ଜରୁରୀ। ଛାତ୍ରୀଛାତ୍ରଙ୍କ ମାନସିକ ପରୀକ୍ଷା ଓ ପରାମର୍ଶ କେନ୍ଦ୍ର ସ୍ଥାପନକରି ସେମାନଙ୍କ କାର୍ଯ୍ୟକଳାପ ଓ ସ୍ବାସ୍ଥ୍ୟ ଉପରେ ଦୃଷ୍ଟି ରଖିବା ଉଚିତ। ସେମାନଙ୍କ ମଧ୍ୟରେ କୌଣସି ଅସୁବିଧାର ଲକ୍ଷଣ ଦେଖାଦେଲେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ତେବେ ଏହି ନୀରବ ମହାମାରୀର ମୁକାବିଲା ପାଇଁ ଏତକ ପଦକ୍ଷେପ ଯଥେଷ୍ଟ ନୁହେଁ। ଏଥିପାଇଁ ଏକ ସାମଗ୍ରିକ ପାଠ୍ୟକ୍ରମ କାର୍ଯ୍ୟକାରୀ କରାଯିବା ଆବଶ୍ୟକ, ଯାହା କେବଳ ଶୈକ୍ଷିକ ଉତ୍କର୍ଷ ଉପରେ ନୁହେଁ ବରଂ ମାନସିକ ସୁସ୍ଥତା ଉପରେ ମଧ୍ୟ ଧ୍ୟାନ ରଖିବ। ଅଧିକନ୍ତୁ, ପିତାମାତାମାନେ ଫଳାଫଳ ପାଇଁ ଚାପଦେବା ପରିବର୍ତ୍ତେ ପିଲାମାନଙ୍କର ଆକାଂକ୍ଷା ଓ ସୀମିତତା ଉପରେ ଧ୍ୟାନଦେବା ଉଚିତ।
ଏହି ମହାମାରୀର ବିଲୋପ ପାଇଁ ଶିକ୍ଷା ଓ ସଫଳତା ପ୍ରତି ଆମ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ଦକ୍ଷତା ଓ ସଫଳତାର ଏକମାତ୍ର ସୂଚକ ଭାବେ ମାର୍କ ଓ ର଼୍ୟାଙ୍କକୁ ଗୁରୁତ୍ୱ ଦେବା ଅନୁଚିତ। ସେମାନଙ୍କ ଆଗ୍ରହ ଓ ଦକ୍ଷତାକୁ ବିଚାର ନ କରି ପିଲାମାନଙ୍କ ଉପରେ ଆମର ସ୍ବପ୍ନ ଓ ଅଭିଳାଷକୁ ଲଦିଦେବା ବନ୍ଦ କରିବା ଆବଶ୍ୟକ। ପିଲାଙ୍କୁ ଅନ୍ୟମାନଙ୍କ ସହ ତୁଳନା କି ସେମାନଙ୍କ ମନରେ ହୀନମନ୍ୟତା ସୃଷ୍ଟିକରିବା ଅନୁଚିତ।
କେବଳ ଶାରୀରିକ ସ୍ବାସ୍ଥ୍ୟ ଓ ନିରାପତ୍ତା ନୁହେଁ; ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଯତ୍ନନେବା, ସେମାନଙ୍କର ଭାବନା ଓ ଚିନ୍ତାଧାରାକୁ ବୁଝିବା, ମୁକ୍ତ ଆଲୋଚନା କରିବା ସହ ସେମାନଙ୍କ ନିଷ୍ପତ୍ତିକୁ ସମ୍ମାନଦେବା ଆବଶ୍ୟକ। ପିଲାଙ୍କୁ ନିଃସର୍ତ୍ତ ସ୍ନେହ ଦରକାର, ତେବେ ଯାଇ ସେମାନଙ୍କୁ ଏହି ନୀରବ ମହାମାରୀ କବଳରୁ ରକ୍ଷା କରାଯାଇପାରିବ।
ବେହେରା, ଧର୍ମଗଡ଼, କଳାହାଣ୍ଡି
ମୋ: ୮୬୩୭୨୯୯୫୯୫


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri