ସିଡ୍ୟୁଲ-୨ ବନ୍ୟପ୍ରାଣୀ ବେପାରକୁ ଗ୍ରୀନ୍‌ ସିଗ୍‌ନାଲ

ଭୁବନେଶ୍ୱର, ୨୧।୧(ଅସମାପିକା ସାହୁ)ଆଇନଗତ ଉପାୟରେ ଏଣିକି ଭାରତୀୟ ବନ୍ୟପ୍ରାଣୀଙ୍କୁ କିଣାବିକା କରି ହେବ। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଗତ ୧୮ ତାରିଖରେ ଜାରି କରାଯାଇଥିବା ଗେଜେଟ ନଂ. ୪୦ରେ ଏଥିପାଇଁ ଲାଇସେନ୍ସ ପ୍ରଦାନ କରାଯିବା ନେଇ ବିଧିବଦ୍ଧ ଘୋଷଣା କରାଯାଇଛି। ଏଥିସହ ନୂତନ ୱାଇଲ୍ଡ ଲାଇଫ(ପ୍ରୋଟେକ୍ସନ) ଲାଇସେନ୍ସିଂ (ଆଡିଶନାଲ ମ୍ୟାଟର୍ସ ଫର୍‌ କନ୍ସିଡିରେଶନ) ରୁଲ୍‌ସ ୨୦୨୪କୁ ମଧ୍ୟ କାର୍ଯ୍ୟକାରୀ କରାଯାଇଛି। ତେବେ ଏଥିରୁ ସିଡ୍ୟୁଲ-୧ ଅନ୍ତର୍ଭୁକ୍ତ ପ୍ରାଣୀଙ୍କୁ ବାଦ୍‌ ଦିଆଯାଇଥିବାବେଳେ ଅନ୍ୟସବୁ ପ୍ରାଣୀଙ୍କୁ ଟ୍ରେଡିଂ କରିବା ପାଇଁ ଲାଇସେନ୍ସ ମିଳିବାକୁ ନେଇ ଗ୍ରୀନ୍‌ ସିଗ୍‌ନାଲ ଦିଆଯାଇଛି। ଏହି ଗେଜେଟ ପ୍ରକାଶ ପାଇବା ପରେ ପୂର୍ବରୁ ପ୍ରଚଳିତ ଥିବା ୧୯୮୩ ମସିହାର ନିୟମ ଅକାମୀ ହୋଇଯାଇଛି। ଉକ୍ତ ନିୟମ ଅନୁସାରେ, ସିଡ୍ୟୁଲ-୧ କିମ୍ବା ସିଡ୍ୟୁଲ-୨ର ପାର୍ଟ ୨ ପ୍ରାଣୀମାନଙ୍କ ଟ୍ରେଡିଂ ପାଇଁ ଲାଇସେନ୍ସ ଦିଆଯାଉ ନ ଥିଲା। ତେବେ ନୂଆ ନିୟମରେ ବନ୍ୟଜୀବ (ସଂରକ୍ଷଣ) ଆଇନ – ୧୯୭୨ର ସେକ୍ସନ ୪୪, କ୍ଲଜ(ବି) ସବ-ସେକ୍ସନ(୪) ଅଧୀନରେ ଲାଇସେନ୍ସ ଦେବା ପାଇଁ ପ୍ରାବଧାନ ସହ କିଛି ସର୍ତ୍ତାବଳୀ ରଖାଯାଇଛି। ରାଜ୍ୟର ମୁଖ୍ୟ ବନ୍ୟଜୀବ ତତ୍ତ୍ୱାବଧାରକ କିମ୍ବା ତାଙ୍କ ଅଧିକୃତ ଅଧିକାରୀ ଏହି ଲାଇସେନ୍ସ ପ୍ରଦାନ କରିପାରିପାରିବେ ବୋଲି ନିୟମ ଲାଗୁ କରାଯାଇଛି।
ନୂଆ ନିୟମକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ଏହାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି। ଗତବର୍ଷ ଏପ୍ରିଲ ୧ରେ ଦେଶରେ ସଂଶୋଧିତ ବନ୍ୟଜୀବ (ସଂରକ୍ଷଣ) ଆଇନ ୧୯୭୨କୁ ଲାଗୁ କରାଯାଇଥିଲା। ଏଥିରେ ବନ୍ୟପ୍ରାଣୀ, ଉଦ୍ଭିଦ ଓ ବିଦେଶୀ(Exotic) ପ୍ରାଣୀଙ୍କ ପାଇଁ ବ୍ୟାପକ ସଂଶୋଧନ କରାଯାଇଥିଲା। ବିଦେଶୀ(Exotic) ପ୍ରାଣୀଙ୍କୁ ସିଡ୍ୟୁଲ-୪ ତାଲିକାରେ ସ୍ଥାନ ଦିଆଯାଇଥିଲା। ସେହିପରି ଦଣ୍ଡବିଧାନ ବା ଜରିମାନା ପରିମାଣ ୨୫ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏଥିସହ ସମସ୍ତ ବନ୍ୟପ୍ରାଣୀଙ୍କୁ ସିଡ୍ୟୁଲ-୧ ଏବଂ ସିଡ୍ୟୁଲ-୨ରେ ରଖାଯାଇଥିଲା। ଯଦିଓ ସିଡ୍ୟୁଲ-୧ ପ୍ରାଣୀଙ୍କ ଟ୍ରେଡିଂକୁ ଲାଇସେନ୍ସ ପ୍ରକ୍ରିୟାରୁ ବାହାରେ ରଖାଯାଇଛି, କିନ୍ତୁ ସିଡ୍ୟୁଲ-୨ରେ ସର୍ବାଧିକ ପ୍ରାଣୀ ଅଛନ୍ତି। ସିଡ୍ୟୁଲ-୨ ପ୍ରାଣୀ ଭିତରେ ନୀଳଗାଈ, ବାଦୁଡ଼ି, ଚିତ୍ରା ହରିଣ, ଜଙ୍ଗଲି ଠେକୁଆ, ବାର୍‌ହା, ହନୁ ମାଙ୍କଡ଼ ଇତ୍ୟାଦି ସ୍ତନ୍ୟପାୟୀ, ବାର୍‌ବେଟ(Barbets), ବି ଇଟର(Bee-eater), ବିଟର୍ନ (Bittern), ହେରୋନ (Heron), ଇଗ୍ରେଟ (Egret), ବୁଲ୍‌ବୁଲ୍‌ (Bulbul), କୋଇଲି (Cuckoos), ଅନେକ ପ୍ରଜାତିର ବତକଙ୍କ ସମେତ ମୋଟ ୧,୧୩୪ ଟି ପ୍ରଜାତିର ପକ୍ଷୀ, ୩୦୦ରୁ ଊର୍ଦ୍ଧ୍ୱ ସାପ, ଅନେକ ପ୍ରଜାତିର ବେଙ୍ଗ ଆଦି ଅନ୍ତର୍ଭୁକ୍ତ। ଏବେ ଏସବୁ ପ୍ରାଣୀଙ୍କ ପାଇଁ ଟ୍ରେଡିଂ ଲାଇସେନ୍ସ ଦିଆଯିବା ଦ୍ୱାରା କେନ୍ଦ୍ର ସରକାର ପ୍ରତ୍ୟକ୍ଷ ଭାବରେ ବେପାର ଓ ପରୋକ୍ଷ ଭାବରେ ଶିକାର ପାଇଁ ରାସ୍ତା ଫିଟାଇଦେଲେ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହିଲେଣି।
ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି କହିଛନ୍ତି, ସିଡ୍ୟୁଲ-୨ ପ୍ରାଣୀଙ୍କ ପାଇଁ ଟ୍ରେଡିଂ ଲାଇସେନ୍ସ ନିଶ୍ଚୟ ଏକ ଚିନ୍ତାର ବିଷୟ। ଗତ ୪୦ବର୍ଷ ପରେ କେନ୍ଦ୍ର ସରକାର ଏଭଳି ପରିବର୍ତ୍ତନ ଆଣିଛନ୍ତି। ଯେଉଁମାନଙ୍କ ସଂରକ୍ଷଣ ଓ ସୁରକ୍ଷା ପାଇଁ ଚିନ୍ତା କରାଯାଉଥିଲା ଏବେ ସେମାନଙ୍କୁ ଟ୍ରେଡିଂ ପାଇଁ ଅନୁମତି ମିଳିଲା। ପରୋକ୍ଷରେ ଏହାର ଶିକାର ପାଇଁ ସୁଯୋଗ ମିଳିଯିବ। ଏମାନଙ୍କ ଶିକାର ବଢ଼ିଲେ ଆଗକୁ ଏସବୁ ପ୍ରାଣୀ ଲୋପ ପାଇଯିବାର ମଧ୍ୟ ଆଶଙ୍କା ରହୁଛି। ଖୋର୍ଦ୍ଧା ଜିଲାର ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଟ୍ରେଡିଂର ଅର୍ଥ ବେପାର। ହେଲେ ଘରେ ପୋଷିବା ପାଇଁ ଟ୍ରେଡିଂ ହେବ କି ମାଂସ ଖାଇବା ପାଇଁ ଟ୍ରେଡ଼ିଂ ହେବ ସେଇଟା କିଏ କହିବ। ଲାଇସେନ୍ସ ପାଇବା ପରେ ଯାହାର ଯାହା ଇଚ୍ଛା ହେଲା ସିଏ କରିବ। ବନ୍ୟପ୍ରାଣୀଙ୍କୁ ଚୋରା ଶିକାର ଓ ବେପାରରୁ ରକ୍ଷା କରିବା ପାଇଁ ସେମାନଙ୍କୁ ସଂରକ୍ଷଣ ଦେଇ ସିଡ୍ୟୁଲ୍‌-୨ ତାଲିକାରେ ରଖିବାର ବର୍ଷେ ନ ପୂରୁଣୁ କେନ୍ଦ୍ର ସରକାରଙ୍କର ଏବେ ଟ୍ରେଡିଂ ଲାଇସେନ୍ସ ଦେବାର କ’ଣ ଦରକାର ପଡ଼ିଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ବିଦେଶୀ ପ୍ରାଣୀଙ୍କ ବେପାର କରୁଥିବା ପେଟ୍‌ ସପ୍‌ ମାଲିକମାନେ ନୂତନ ନିୟମକୁ ସ୍ବାଗତ କରିଛନ୍ତି। ଏ ଲାଇସେନ୍ସ ବ୍ୟବସ୍ଥା ଦ୍ୱାରା ବିଦେଶରୁ ବନ୍ୟପ୍ରାଣୀ ଆମଦାନୀ କରିବାର ବାଟ ଫିଟିଯିବ। ଭୁବନେଶ୍ୱରର ଏକ ପେଟ୍‌ସପ୍‌ର ମାଲିକ ସତ୍ୟ ଶଙ୍କର ବିଶ୍ୱାଳ କହିଛନ୍ତି, ସିଡ୍ୟୁଲ-୨ରେ ଥିବା ଭାରତୀୟ ବନ୍ୟପ୍ରାଣୀଙ୍କୁ ଟ୍ରେଡିଂ ଲାଇସେନ୍ସ ଭଲ ହେଲା। କିନ୍ତୁ ସିଡ୍ୟୁଲ-୪ ପ୍ରାଣୀଙ୍କ ପାଇଁ ଲାଇସେନ୍ସ ମିଳିଲେ ଆମକୁ ବିଦେଶରୁ ଭଲ ପ୍ରଜାତିର ଏକଜୋଟିକ ପ୍ରାଣୀ ଆମଦାନୀ କରିବା ପାଇଁ ସୁଯୋଗ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri