ବିଜ୍ଞାନ ପ୍ରଚାର ସମିତି: କୃତି ଓ କୀର୍ତ୍ତି

ଆମ ରାଜ୍ୟରେ ଲୋକପ୍ରିୟ ବିଜ୍ଞାନ ଲେଖକମାନେ ବିଜ୍ଞାନକୁ ଲୋକାଭିମୁଖୀ କରିବାରେ ଉଦ୍ୟମୀ ହେବାର ଯଥେଷ୍ଟ ପୂର୍ବରୁ ପାଠ୍ୟପୁସ୍ତକ ମାଧ୍ୟମରେ ବିଜ୍ଞାନ ଶିକ୍ଷା ପ୍ରଦାନ କରି ଜନସାଧାରଣଙ୍କୁ ବିଜ୍ଞାନ ସହ ପରିଚିତ କରାଇବାରେ ଭିତ୍ତି ସ୍ଥାପିତ ହୋଇସାରିଥିଲା। ପ୍ରଥମାବସ୍ଥାରେ ବିଜ୍ଞାନରେ କୌଣସି ଡିଗ୍ରୀ ନ ଥିବା ତଥା ସାଧାରଣ ବିଜ୍ଞାନ ଶିକ୍ଷାର ଭିତ୍ତିଭୂମି ନ ଥିବା ଓଡ଼ିଶାର ବହୁ ପ୍ରଥିତଯଶୀ, ସାହିତି୍ୟକ ବିଜ୍ଞାନ ବିଷୟରେ ଲେଖାଲେଖି କରିଆସୁଥିଲେ। ଏପରିକି ‘ପ୍ରଭାତ’ (୧୯୦୯), ‘ପଞ୍ଚାମୃତ’ (୧୯୨୦) ଓ ‘ଜହ୍ନମାମୁଁ’ (୧୯୩୨) ଭଳି ଶିଶୁ ପତ୍ରିକାରେ ମଧ୍ୟ ପ୍ରକାଶ ପାଇଥିଲା ବିଜ୍ଞାନ ଲେଖା।
ତେବେ ଓଡ଼ିଶାରେ ବିଜ୍ଞାନକୁ ଜନପ୍ରିୟ କରାଇବାର ଧାରାକୁ ଏକ ଆନ୍ଦୋଳନର ରୂପ ଦେଇଥିଲେ ପ୍ରଫେସର ଡ. ଗୋକୁଳାନନ୍ଦ ମହାପାତ୍ର। ଡ. ମହାପାତ୍ରଙ୍କ ପ୍ରଚେଷ୍ଟାରେ ୧୯୪୯ ଅଗଷ୍ଟ ୭ରେ ସ୍ଥାପିତ ହୋଇଥିଲା ‘ବିଜ୍ଞାନ ପ୍ରଚାର ସମିତି’ ନାମକ ଏକ ସାରସ୍ବତ ଅନୁଷ୍ଠାନ। ନଅ ଜଣ ଉତ୍ସାହୀ ଅଧ୍ୟାପକ ଓ ଡାକ୍ତର ଥିଲେ ସମିତିର ପ୍ରତିଷ୍ଠାତା ସଭ୍ୟ। ବିଜ୍ଞାନ ପ୍ରଚାର ସମିତି ହିଁ ଥିଲା ଓଡ଼ିଶାର ଜନପ୍ରିୟ ବିଜ୍ଞାନ ଆନ୍ଦୋଳନର ପରିଚାଳନା ମଞ୍ଚ। ତେବେ କ’ଣ ଥିଲା ସମିତି ଗଠନର ପ୍ରଧାନ ଲକ୍ଷ୍ୟ ତଥା ଉଦ୍ଦେଶ୍ୟ ? ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଶିକ୍ଷିତ ଜନସାଧାରଣ ବୁଝିବା ଭଳି ଭାଷା ଓ ଶୈଳୀରେ ବିଜ୍ଞାନ ପ୍ରବନ୍ଧ ଓ ପୁସ୍ତକ ରଚନା କରିବା, ଅତି ସରଳ ଓ ମନଛୁଅଁା କରି ବିଜ୍ଞାନ ବିଷୟ ବକ୍ତୃତା ଓ ସେମିନାର ଆୟୋଜନ କରିବା ଏବଂ ବିଜ୍ଞାନ ଜ୍ଞାନର ପ୍ରଚାର ଓ ପ୍ରସାର ପାଇଁ ପତ୍ରିକାଟିଏ ପ୍ରକାଶ କରିବା ଥିଲା ସମିତିର ମୂଳ ଲକ୍ଷ୍ୟ। କିନ୍ତୁ ସମିତିର ଏହିସବୁ କାର୍ଯ୍ୟରେ ଓଡ଼ିଆ ଭାଷାକୁ ମାଧ୍ୟମରୂପେ ବ୍ୟବହାର କରିବା ଥିଲା ବାଧ୍ୟତାମୂଳକ।
ଏହି ଲକ୍ଷ୍ୟକୁ ଚରିତାର୍ଥ କରିବାରେ ବିଜ୍ଞାନ ପ୍ରଚାର ସମିତି ସାତ ଦଶକରୁ ଅଧିକ କାଳ ଧରି ନିରନ୍ତର ବ୍ରତୀ ରହିଆସିଛି। କୌଣସି ଏକ ସାରସ୍ବତ ବିଜ୍ଞାନ ଅନୁଷ୍ଠାନ ନିରବଚ୍ଛିନ୍ନ ତଥା ସୁଶୃଙ୍ଖଳିତ ଭାବରେ ଏତେ ବର୍ଷ ଧରି ସକ୍ରିୟ ରହି କାର୍ଯ୍ୟରତ ରହିବା ଏକ ଅସାଧାରଣ କୃତିତ୍ୱ। ଏହି ସମିତିର ଆଜୀବନ ସଦସ୍ୟଙ୍କ ସଂଖ୍ୟା ୩୦୦ରୁ ଅଧିକ। ଓଡ଼ିଶାର ଅଧିକାଂଶ ଜନପ୍ରିୟ ବିଜ୍ଞାନ ଲେଖକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବିଜ୍ଞାନ ପ୍ରଚାର ସମିତି ସହ ସମ୍ପୃକ୍ତ। ସେମାନଙ୍କ ମଧ୍ୟରେ ଅଛନ୍ତି ଡାକ୍ତର, ଇଞ୍ଜିନିୟର, ବିଭିନ୍ନ ବିଜ୍ଞାନ ବିଷୟର ଅଧ୍ୟାପକ, କୃଷି ଓ ପଶୁପାଳନ ବିଶେଷଜ୍ଞ, ବିଜ୍ଞାନ ଶିକ୍ଷକ ଏବଂ ବିଜ୍ଞାନରେ ରୁଚି ରଖିଆସୁଥିବା ବୁଦ୍ଧିଜୀବୀ। ପ୍ରତି ମାସର ଦ୍ୱିତୀୟ ଓ ଚତୁର୍ଥ ରବିବାରର ଅପରାହ୍ନରେ ସମିତିର ଅଧିବେଶନ ବସି ବିଜ୍ଞାନ ପ୍ରବନ୍ଧମାନ ପଠିତ ହୁଏ। କେବେକେବେ ଆୟୋଜିତ ହୁଏ ବିଜ୍ଞାନ ବିଷୟକ ଜନପ୍ରିୟ ବକ୍ତୃତା। ସମିତିର ବାର୍ଷିକ ଅଧିବେଶନରେ ଅନୁଷ୍ଠିତ ହୁଏ ବିଜ୍ଞାନ ସେମିନାର। ଅଦ୍ୟାବଧି ଅନୁଷ୍ଠିତ ହୋଇଥିବା ଅଧିବେଶନ ସଂଖ୍ୟା ୧୮୦୦ରୁ ଅଧିକ ଓ ପଠିତ ପ୍ରବନ୍ଧଗୁଡିକର ସଂଖ୍ୟା ୪୦୦୦ରୁ ବେଶି। ସେହି ପ୍ରବନ୍ଧଗୁଡିକରୁ ଅଧିକାଂଶ ବିଭିନ୍ନ ଖବରକାଗଜ, ପତ୍ରପତ୍ରିକା ଓ ପୁସ୍ତକ ଆକାରରେ ପ୍ରକାଶିତ। ସମିତି ଦ୍ୱାରା ପ୍ରକାଶିତ ଜନପ୍ରିୟ ବିଜ୍ଞାନ ପୁସ୍ତକର ସଂଖ୍ୟା ୬୦ରୁ ବେଶି ଏବଂ ସମିତିର ସଦସ୍ୟମାନଙ୍କ ଦ୍ୱାରା ରଚିତ ଏବଂ ବ୍ୟକ୍ତିଗତ ସ୍ତରରେ ପ୍ରକାଶିତ ଏହି ପୁସ୍ତକର ସଂଖ୍ୟା ୧୦୦୦ରୁ ଅଧିକ। ବହୁ ବର୍ଷ ଧରି ସମିତି ପ୍ରକାଶ କରି ଆସୁଥିବା ‘ବିଜ୍ଞାନାଲୋକ’ ନାମକ ଏକ ଦ୍ୱିମାସିକ ପତ୍ରିକା କେତେକ ଅନିବାର୍ଯ୍ୟ କାରଣରୁ ସ୍ଥଗିତ ରହିଛି। ସମିତି ଅନୁକୂଲ୍ୟରେ ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଆସୁଛି ବିଦ୍ୟାଳୟ ବିଜ୍ଞାନ ବକ୍ତୃତା କାର୍ଯ୍ୟକ୍ରମ। ଦାତାମାନଙ୍କର ଅର୍ଥର ସୁଧରୁ ପ୍ରତିବର୍ଷ ସମିତି ପ୍ରଦାନ କରିଆସୁଛି କୃତୀ ଛାତ୍ରୀଛାତ୍ର, ଜନପ୍ରିୟ ବିଜ୍ଞାନ ଲେଖକ, ବିଜ୍ଞାନ ଗବେଷକ, ପରିବେଶବିତ୍‌, ବିଜ୍ଞାନ ପୁସ୍ତକ ପ୍ରକାଶକ, ବିଜ୍ଞାନ-ବାଗ୍ମୀ, ବିଜ୍ଞାନ ଶିକ୍ଷକ ଇତ୍ୟାଦିଙ୍କୁ ପୁରସ୍କାର, ସମ୍ମାନ ଓ ସମ୍ବର୍ଦ୍ଧନା। ବିଜ୍ଞାନ ବିଷୟକ ତର୍କ, ପ୍ରବନ୍ଧ, ରଚନା ଓ କୁଇଜରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରମାନଙ୍କୁ ପୁରସ୍କୃତ କରାଯାଉଛି।
ସଂକ୍ଷେପରେ କହିଲେ, ବିଗତ ସାଢ଼େ ସାତ ଦଶକ ଧରି ବିଜ୍ଞାନ ପ୍ରଚାର ସମିତି ଓଡ଼ିଶା ବିଜ୍ଞାନ ଲେଖକ ଓ ବକ୍ତାମାନଙ୍କ ପାଇଁ ଏକ ଜନପ୍ରିୟ ବିଜ୍ଞାନ ପ୍ରଶିକ୍ଷଣ ପ୍ରତିଷ୍ଠାନର ଭୂମିକା ନିର୍ବାହ କରିଆସିଛି। ଚଳିତ ବର୍ଷ ଅଗଷ୍ଟ ୭ ତାରିଖ (ଆଜି) ଏହି ସମିତି ପାଳନ କରୁଛି ତାହାର ପ୍ଲାଟିନମ ଜୁବିଲି ବା ୭୫ତମ ଜନ୍ମତିଥି। ସମୟାନୁକ୍ରମିକ ବୟସ ପରିପ୍ରେକ୍ଷୀରେ ବିଚାର କଲେ ଏହି ସମିତି ଏବେ ‘ମଧ୍ୟବୟସ୍କ ବୃଦ୍ଧା’। ହେଲେ ସେ ରହିଆସିଛି ସତତ ସ୍ପନ୍ଦିତ, ସକ୍ରିୟ ଏବଂ ସଦା ପ୍ରଫୁଲ୍ଲ। ଓଡ଼ିଶାରେ ବିଜ୍ଞାନକୁ ସାର୍ବଜନୀନ ତଥା ସାମାଜିକୀକରଣ କରାଇବାରେ ସମିତିର ଅବଦାନ ଅପରିମେୟ। ଏହା ଅନସ୍ବୀକାର୍ଯ୍ୟ ଯେ ବିଜ୍ଞାନ ପ୍ରଚାର ସମିତିର ପ୍ରତିଷ୍ଠାତା ଡ. ଗୋକୁଳାନନ୍ଦ ମହାପାତ୍ରଙ୍କର ମହନୀୟ ଦୂରଦର୍ଶିତା ତଥା ନବ୍ୟ ଚିନ୍ତନର ସମୁଜ୍ଜ୍ୱଳ ପରିପ୍ରକାଶ। ସମିତି ସ୍ବାସ୍ଥ୍ୟବତୀ ରହୁ, ଆୟୁଷ୍ମତୀ ହେଉ।

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡ଼ାନାସୀ, କଟକ
ମୋ: ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri