ଏପଟ ନା ସେପଟ

ଭାରତର ଭୁଲ୍‌ ବୈଦେଶିକ ଓ ଅର୍ଥନୈତିକ ନୀତି ଯୋଗୁ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହେଉଥିବାର ଏକାଧିକ ପ୍ରମାଣ ମିଳିସାରିଲାଣି। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ବେଳେ ଚାଇନା ସହ ଭାରତ ସ୍ବର ମିଳାଇ ପରୋକ୍ଷରେ ରୁଷିଆକୁ ସମର୍ଥନ କରିଥିଲା। ଯୁଦ୍ଧ ହେବା ପରେ ଯେତେବେଳେ ରୁଷିଆ ବିରୋଧରେ ଜାତିସଂଘରେ ବୈଠକ ବସିଲା ସେତେବେଳେ ଭାରତ ଭୋଟଦାନରୁ ବିରତ ରହିଥିଲା। ଆଶା କରିଥିଲା ରୁଷିଆରୁ କମ୍‌ ମୂଲ୍ୟରେ ପେଟ୍ରୋଲିୟମ୍‌ ପଦାର୍ଥ ଆଣି ନିଜ ଅର୍ଥନୀତିକୁ ସୁଦୃଢ଼ କରିବ। କିନ୍ତୁ ତାହା ନ ହୋଇଲା। ନିକଟ ଅତୀତରେ ଯେବେଠାରୁ ରୁଷିଆ ଯୁଦ୍ଧ ହାରୁଛି ବୋଲି ବିଶ୍ୱବ୍ୟାପୀ ଧାରଣା ସୃଷ୍ଟି ହେଲାଣି ସେବେଠାରୁ ଭାରତ ତା’ର ପୂର୍ବ କଥାକୁ ବଦଳାଇବାକୁ ପ୍ରାଣମୂର୍ଚ୍ଛା ଚେଷ୍ଟା କରୁଛି। ଏଭଳି ତ୍ରୁଟିପୂର୍ଣ୍ଣ ବୈଦେଶିକ ନୀତି ଦୂରଦୃଷ୍ଟିହୀନତାକୁ ଦର୍ଶାଉଛି। ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଯେତେ ଦମ୍ଭୋକ୍ତି ଦେଖାଉଛନ୍ତି, ସେତିକି ଦୁର୍ବଳ ଭାରତ ହୋଇଯାଉଛି ବୋଲି ସ୍ପଷ୍ଟ ବୁଝାପଡ଼ୁଛି। ରୁଷିଆ ସହିତ ନିିବିଡ଼ ସମ୍ପର୍କ ରହିଛି ବୋଲି ସବୁ ଭାରତୀୟ ଜାଣନ୍ତି। କାରଣ ଭାବେ, ବାରମ୍ବାର ଦର୍ଶାଯାଉଛି ଭାରତର ପ୍ରତିରକ୍ଷା ସାମଗ୍ରୀ ମୁଖ୍ୟତଃ ରୁଷିଆ ନିର୍ମିତ ହୋଇଥିବାରୁ ଏଭଳି ପଦକ୍ଷେପ ନେବାକୁ ପଡ଼ୁଛି। କିନ୍ତୁ ଟାଣୁଆ ନେତୃତ୍ୱ କଥା ବାରମ୍ବାର ଦୋହରାଉଥିବା ଜୟଶଙ୍କର ସାଧାରଣ ନାଗରିକଙ୍କୁ ବୁଝାଇବାରେ ଅସମର୍ଥ ହେଲା ଭଳି ମନେହେଉଛି। କାରଣ ଟାଣୁଆ ନେତୃତ୍ୱର ମୁଖ୍ୟ ପରିଚୟ ହେଉଛି ଦୂରଦୃଷ୍ଟି। ‘ଅବ୍‌ କି ବାର୍‌ ଟ୍ରମ୍ପ୍‌ ସରକାର’ ଧ୍ୱନିର ପ୍ରାୟଶ୍ଚିତ୍ତ କରିବାର ସୁଯୋଗ ଗତ ଫେବୃୟାରୀରେ ୟୁକ୍ରେନ୍‌ ଯୁଦ୍ଧ ଆଣିଦେଇଥିଲା। ସେତେବେଳେ ୟୁକ୍ରେନ୍‌କୁ ସମର୍ଥନ କରିଥିଲେ ପରିସ୍ଥିତି ସୁଧୁରିବାର ସମ୍ଭାବନା ସୃଷ୍ଟି ହୋଇପାରିଥାଆନ୍ତା। ଆଜି ପାକିସ୍ତାନକୁ ତାହାର ଏଫ୍‌-୧୬ ଲଢ଼ୁଆ ବିମାନକୁ ଅଧିକ ଦିନ କାର୍ଯ୍ୟକ୍ଷମ କରି ରଖିବା ଲାଗି ୪୫୦ ମିଲିୟନ ଆମେରିକୀୟ ଡଲାର ଦେଇଛି ଓ୍ବାଶିଂଟନ। ମନେରଖିବାକୁ ହେବ ଯେ, ପାକିସ୍ତାନର ସଫଳ ବୈଦେଶିକ ନୀତି ଯୋଗୁ କେବଳ ଚାଇନା ନୁହେଁ, ଉଭୟ ଆମେରିକା ଓ ରୁଷିଆ ସେହି ଦେଶକୁ ଆର୍ଥିକ ଓ ସାମରିକ ସାମଗ୍ରୀ ଦେଇ ସାହାଯ୍ୟ କରୁଛନ୍ତି। ଭାରତର ଜୟଶଙ୍କର ନେତୃତ୍ୱର ଟାଣୁଆପଣ ଦେଖାଇବା ସହ କେବଳ କାନ୍ଦୁଛନ୍ତି।
ବାସ୍ତବରେ ଦୂରଦୃଷ୍ଟି ଥିଲେ ବୈଦେଶିକ ନୀତିରେ ସ୍ଥାୟିତ୍ୱ ଥାଏ। ପ୍ରଥମେ ଭାରତର ଅପରିପକ୍ୱ ବୈଦେଶିକ ନୀତି ଧରାପଡ଼ିଥିଲା ଯେତେବେଳେ ଟ୍ରମ୍ପ୍‌ଙ୍କ ପରାଜୟ ହୋଇସାରିବା ପରେ ମଧ୍ୟ ସଙ୍ଗେ ସଙ୍ଗେ ବାଇଡେନ୍‌ଙ୍କୁ ଶୁଭେଚ୍ଛା ଜଣାଇବା ହୋଇ ନ ଥିଲା। ପୁନର୍ବାର ୟୁକ୍ରେନ୍‌ ଉପରେ ଆକ୍ରମଣ ଆରମ୍ଭ କଲା ବେଳକୁ ରୁଷିଆକୁ ସମର୍ଥନ ଜଣାଇଥିବା ଭାରତ ଜାତିସଂଘରେ ରୁଷିଆ ବିରୋଧୀ ସଂକଳ୍ପରେ ଭାଗ ନେଇ ନ ଥିଲା। ଏହା ପରେ ଯେତେବେଳେ ରୁଷିଆର ଦୁର୍ବଳତା ଦେଖାଦେଲାଣି ସେତେବେଳେ ଭାରତ କରଛଡ଼ା କରୁଛି ଏବଂ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କୁ ଜାତିସଂଘରେ ଭାଷଣ ଦେବାର ଅନୁମତିକୁ ସମର୍ଥନ କଲା। ଦଳେ ଦେଶ ରହିଲେ ରୁଷିଆ ବିରୋଧୀ। ଆଉ କିଛି ରହିଲେ ରୁଷିଆ ସମର୍ଥକ। ଭାରତ ପରୋକ୍ଷରେ ରୁଷିଆ ସମର୍ଥକ ଭାବେ ନିଜକୁ ଦର୍ଶାଇବା ପରେ ଏବେ ବିଶ୍ୱାସଘାତକ ଭାବେ ରୁଷିଆଠାରୁ ଦୂରେଇଯାଉଛି। ଏହି ଯୁଦ୍ଧ ଅସରନ୍ତି ନୁହେଁ। ବିଶ୍ୱ ମାନଚିତ୍ରରୁ ରୁଷିଆ ଲିଭିଯିବ ନାହିଁ। କିନ୍ତୁ ରୁଷିଆ ସରକାର ଜାଣିଲା ଭାରତ ବେଇମାନ କଲା। ଅନ୍ୟପଟେ ପାଶ୍ଚାତ୍ୟ ଶକ୍ତି ଜାଣିଲା ଭାରତ ତାଙ୍କ ପଟେ ନାହିଁ। ଅର୍ଥାତ୍‌ ଭାରତ ନା ଏପଟ ନା ସେପଟ ହୋଇ ରହିଯାଇଛି।
ବୈଦେଶିକ ବ୍ୟାପାର ପରିଚାଳନା କରୁଥିବା ବ୍ୟକ୍ତିମାନେ ଉଚିତ ବୁଦ୍ଧି ଖଟେଇବା କଥା। ଗୋଟେ ଦେଶର ବିଦେଶ ନୀତି ତାହାର ଅର୍ଥନୀତିକୁ ପ୍ରଭାବିତ କରିଥାଏ। ଦୁଇ ଦେଶ ମଧ୍ୟରେ ଉତ୍ତମ ସମନ୍ବୟ ରହିଲେ ପୁଞ୍ଜିନିବେଶ, ଆମଦାନୀ ଓ ରପ୍ତାନି ଭଳି କାର୍ଯ୍ୟ ତ୍ୱରାନ୍ବିତ ହୋଇଥାଏ। କିନ୍ତୁ ଏବେ ଭାରତର ଆର୍ଥିକ ସ୍ଥିତି ଦେଖିଲେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ୨୬ ସେପ୍ଟେମ୍ବର ୨୦୨୨ରେ ଆମେରିକାର ଡଲାର ତୁଳନାରେ ଭାରତର ମୁଦ୍ରା ସର୍ବକାଳୀନ ହ୍ରାସ ପାଇଛି। ଅର୍ଥାତ୍‌ ଡଲାର ମୂଲ୍ୟ ୮୧ ଟଙ୍କା ୬୩ ପଇସା ଯାଏ ଯାଇଛି। ଫଳରେ ଡଲାରକୁ ଷ୍ଟାଣ୍ଡାର୍ଡ ବିନିମୟ ମୁଦ୍ରା ଭାବେ ନେଇ ଭାରତ ଯେଉଁସବୁ ରାଷ୍ଟ୍ର ସହ ବାଣିଜି୍ୟକ କାରବାର କରୁଛି, ସବୁଥିରେ କ୍ଷତି ସହିବା ଥୟ। ଏମିତି ଦେଖିଲେ କିଛି ବର୍ଷ ହେବ ଭାରତୀୟ ପୁଞ୍ଜିବଜାରରୁ ବିଦେଶ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ)ମାନେ ଅର୍ଥ ଉଠାଇ ନେଉଛନ୍ତି। କାରଣ ଭାରତୀୟ ବଜାରକୁ ସେମାନେ ଏକ ଅସ୍ଥିର ସ୍ଥିତିରେ ଗତି କରୁଥିବା ଲକ୍ଷ୍ୟ କରୁଛନ୍ତି। ଏଥିପାଇଁ ଆଭ୍ୟନ୍ତରୀଣ ରାଜନୀତି ମୁଖ୍ୟତଃ ଦାୟୀ। ବୈଦେଶିକ ଓ ଆର୍ଥିକ ନୀତିର ଭୁଲ୍‌ ପରିଚାଳନା ଯୋଗୁ ଭାରତ ବଦ୍‌ଗୁଣର ଶିକାର ହେଉଛି ବୋଲି ବୁଝିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri