ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ ସୂଚନା ପ୍ରଦାନକାରୀ କେନ୍ଦ୍ର ଦ୍ୱାରା ବିଗତ ମାର୍ଚ୍ଚ ୨୦୨୬ରେ ପ୍ରଦତ୍ତ ଭବିଷ୍ୟବାଣୀ ଅନୁସାରେ ଆଗାମୀ ଜୁନ୍‌ଠାରୁ ଅଗଷ୍ଟ-ସେପ୍ଟେମ୍ବର ମଧ୍ୟରେ ଏଲ୍‌ ନିନୋ (El Nino) ଆସିବାର ୬୨ ପ୍ରତିଶତ ସମ୍ଭାବନା ରହିଛି। ତେବେ ପରବର୍ତ୍ତୀ ସମୟରେ ଏହି ସମ୍ଭାବନା ୮୦ ପ୍ରତିଶତ ଅତିକ୍ରମ କରିଯିବ ବୋଲି ଆଶା କରାଯାଏ। ଭୂମଧ୍ୟସାଗର କ୍ରମଶଃ ଅଧିକରୁ ଅଧିକ ଉତ୍ତପ୍ତ ହୋଇ ଚାଲିଥିବା ଦୃଷ୍ଟିରୁ ଏ ସୂଚନା ପ୍ରାପ୍ତ ହୋଇଛି।
ସ୍ପେନିସ୍‌ ଭାଷାରେ ‘ଏଲ୍‌୍‌ ନିନୋ’ର ଅର୍ଥ ହେଲା ‘କୁନିପୁଅ’। ୧୬୦୦ ଶତାବ୍ଦୀରେ କିଛି ଦକ୍ଷିଣ ଆମେରିକୀୟ ଧୀବର ଭୂମଧ୍ୟସାଗର ସମୟକୁ ସମୟ ଉଷ୍ମ ହେବା କଥା ଲକ୍ଷ୍ୟ କରିଥିଲେ। ଏହା ପ୍ରାୟତଃ ଜୁଲାଇ-ଅଗଷ୍ଟରୁ ଆରମ୍ଭ ହୋଇ ଡିସେମ୍ବର ବେଳକୁ ଶୀର୍ଷରେ ପହଞ୍ଚୁଥିଲା। ପ୍ରଥମେ ସେଥିରୁ ଏହି ପ୍ରାକୃତିକ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା, ମୁଖ୍ୟତଃ ଏଲ୍‌ ନିନୋ କେନ୍ଦ୍ରୀୟ ଏବଂ ପୂର୍ବ ଭୂମଧ୍ୟ ସାଗରରେ ବିଷୁବରେଖାଠାରେ ଆରମ୍ଭ ହୋଇଥାଏ। ଅଧିକାଂଶ ସମୟରେ ଏହା ସୃଷ୍ଟି ହୋଇଥାଏ ପେରୁ ଉପକୂଳରେ।
ସାଧାରଣ ଅବସ୍ଥାରେ ଏଠାରେ ବାଣିଜ୍ୟବାୟୁ (ଟ୍ରେଡ ଓ୍ବିଣ୍ଡ୍‌) ବିଷୁବରେଖା ଉପରଦେଇ ପଶ୍ଚିମ ଦିଗକୁ ପ୍ରବାହିତ ହୁଏ। ଏହା ସମୁଦ୍ରର ଉଷ୍ମଜଳକୁ ଦକ୍ଷିଣ ଆମେରିକାରୁ ଏସିଆ ଦିଗରେ ଗତି କରାଏ। ଅତଏବ ସେ ସ୍ଥାନ ଅଧିକାର କରିବାକୁ ଗଭୀରତା ମଧ୍ୟରୁ ଶୀତଳ ତଥା ପୁଷ୍ଟିସମୃଦ୍ଧ ଜଳ ଊର୍ଦ୍ଧ୍ୱଗାମୀ ହେବାକୁ ଲାଗେ। ଏହାକୁ କହନ୍ତି ‘ଅପ୍‌ ଓ୍ବେଲିଂ’। ଏଲ୍‌ ନିନୋ ସମୟରେ ଉଷ୍ମଜଳ ଭୂମଧ୍ୟସାଗରରୁ ଜେଟ୍‌ ସ୍ରୋତ ରୂପେ ଏହାର ଦକ୍ଷିଣ ଅଞ୍ଚଳକୁ ଆସେ। ଏହି ଚଳନ ଉତ୍ତର ଆମେରିକା, କାନାଡା ଆଦିକୁ ଅଧିକ ଉଷ୍ମ କରିଦିଏ। କିନ୍ତୁ ଆମେରିକାର ଖାଡ଼ି ଉପକୂଳ ଏବଂ ଦକ୍ଷିଣ ଅଞ୍ଚଳରେ ଏ ସମୟରେ ଅଧିକ ବୃଷ୍ଟିପାତ ଏବଂ ବନ୍ୟା ହୁଏ।
ଭୂମଧ୍ୟସାଗର ଉପକୂଳର ସାମୁଦ୍ରିକ ଜୀବନ ଉପରେ ଏଲ୍‌ ନିନୋର ପ୍ରଭାବ ଅତିମାତ୍ରାରେ ଅନୁଭୂତ ହୁଏ। କାରଣ ଏ ସମୟରେ ‘ଅପ୍‌ ଓ୍ବେଲିଂ’ ଦୁର୍ବଳ ହୋଇପଡ଼େ କିମ୍ବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ। ଏଣୁ ସମୁଦ୍ରର ଗଭୀର ଜଳରେ ଥିବା ପୁଷ୍ଟି ଉପରସ୍ତରକୁ ଆସି ନ ପାରିବାରୁ ତାହା ଉପରେ ନିର୍ଭରଶୀଳ ‘ଫାଇଟୋ ପ୍ଲାଙ୍କ୍‌ଟନ୍‌’ ବଂଶ ହ୍ରାସ ପାଇବାକୁ ଲାଗେ। ଅତଏବ ଏହାକୁ ଖାଦ୍ୟରୂପେ ଗ୍ରହଣ କରୁଥିବା ବିଭିନ୍ନ ପ୍ରକାର ମାଛ ତଥା ଅନ୍ୟାନ୍ୟ ଜଳଜ ପ୍ରଜାତିଙ୍କର ବଂଶହାନି ଘଟେ। ପରିଣାମରେ ପରିସଂସ୍ଥାର ରୂପରେଖ ବଦଳିଯାଏ।
ଏଲ୍‌ ନିନୋର ବିପରୀତ ଜଳବାୟୁ ଅବସ୍ଥା ହେଲା ଲା ନିନୋ (La Nino)। ଏ ଉଭୟ ବିଶ୍ୱର ଜଳବାୟୁ, ପରିସଂସ୍ଥା, ଅର୍ଥନୀତି ଆଦିକୁ ପ୍ରଭାବିତ କରନ୍ତି। ପ୍ରତି ୨ରୁ ୭ ବର୍ଷ ବ୍ୟବଧାନରେ ଏହା ଘଟେ। ତେବେ ଲା ନିନୋ ତୁଳନାରେ ଏଲ୍‌ ନିନୋ ଅଧିକ ଥର ହୋଇଥାଏ।
ସାଧାରଣତଃ ଲା ନିନୋ ଏଲ୍‌ ନିନୋକୁ ଅନୁସରଣ କରେ। ସ୍ପେନିସ୍‌ ଭାଷାରେ ଏହାର ଅର୍ଥ ହେଲା ‘କୁନି ଝିଅ’। ଏହାକୁ ‘ଆଣ୍ଟି-ଏଲ୍‌ ନିନୋ’ ବୋଲି ମଧ୍ୟ କୁହାଯାଏ। କାରଣ ଏହାର ପ୍ରଭାବ ଏଲ୍‌ ନିନୋର ଠିକ୍‌ ଓଲଟା। ଏ ସମୟରେ ବାଣିଜ୍ୟ ବାୟୁ ଅଧିକ ଶକ୍ତିଶାଳୀ ହୋଇପାରେ। ଭୂମଧ୍ୟସାଗରର ଉଷ୍ମଜଳ ଏସିଆ ଦିଗରେ ଠେଲି ହୋଇଯାଏ। ଫଳରେ ସମୁଦ୍ରର ଗଭୀରତାରୁ ପୁଷ୍ଟିଯୁକ୍ତ ଶୀତଳ ଜଳ ପୃଷ୍ଠଦେଶକୁ ଆସେ। ଅନ୍ୟପକ୍ଷରେ ଦକ୍ଷିଣ ଆମେରିକାରେ ମରୁଡ଼ି ଏବଂ ଭୂମଧ୍ୟସାଗର ଉତ୍ତର ପଶ୍ଚିମାଞ୍ଚଳ ଓ କାନାଡ଼ାରେ ଅତ୍ୟଧିକ ବୃଷ୍ଟିପାତର ଏହା କାରଣ ହୁଏ। ଲା ନିନୋ ବର୍ଷମାନଙ୍କରେ ଦକ୍ଷିଣରେ ଶୀତକାଳୀନ ତାପମାତ୍ରା ସାଧାରଣଠାରୁ ଅଧିକ ଏବଂ ଉତ୍ତରରେ ତହିଁରୁ ଶୀତଳ ହୋଇଥାଏ। ଏହା ମଧ୍ୟ ପ୍ରଚଣ୍ଡ ହରିକେନ ଆଣିପାରେ। ଲା ନିନୋ ସମୟରେ ଭୂମଧ୍ୟସାଗର ଉପକୂଳରେ ଜଳ ଅପେକ୍ଷାକୃତ ଶୀତଳ ଓ ପୁଷ୍ଟିଯୁକ୍ତ ହୋଇଥାଏ। ଏଭଳି ପରିବେଶ ସାମୁଦ୍ରିକ ଜୀବଙ୍କ ପାଇଁ ଉପଯୋଗୀ ଓ ତାହା ଶୀତଳ ଜଳରେ ବାସ କରୁଥିବା ଶାମୁକା, ଗେଣ୍ଡା, ସାଲମନମାନ୍ଥ ଆଦି ପ୍ରଜାତିଙ୍କୁ ଆକୃଷ୍ଟ କରେ। ବିଶେଷକରି କାଲିଫର୍ନିଆ ଉପକୂଳରେ ଏହାର ପ୍ରଭାବ ଅଧିକ ଦେଖାଯାଏ।
୧୯୦୦ ମସିହାରୁ ଏପର୍ଯ୍ୟନ୍ତ (୨୦୨୬) ପ୍ରାୟ ୩୦ଟି ପ୍ରଭାବଶାଳୀ ଏଲ୍‌ ନିନୋ ଅନୁଭୂତ ହୋଇଛି। ତେବେ ୧୯୮୦ ପରେ ଏ ପ୍ରକାର ଶକ୍ତିଶାଳୀ ୬ଟି ଘଟିଛି ୧୯୮୨-୧୯୮୩, ୧୯୯୭-୧୯୯୮, ୨୦୦୨-୨୦୦୯, ୨୦୧୫-୨୦୧୬ ଏବଂ ୨୦୨୩-୨୦୨୪ରେ। ପୃଥିବୀର ବିଭିନ୍ନ ଅଞ୍ଚଳ ଉପରେ ଏଗୁଡ଼ିକର ଭିନ୍ନ ଭିନ୍ନ ପ୍ରଭାବ ପଡ଼େ। ଉଦାହରଣ ସ୍ବରୂପ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ ଏବଂ ଏସିଆର ଅନ୍ୟ କିଛି ଅଞ୍ଚଳରେ ଏହା ଭୟଙ୍କର ଶୁଷ୍କ ଅବସ୍ଥା ଓ ମରୁଡ଼ିର କାରଣ ହୋଇ ଫସଲହାନି ଘଟାଇଲା ବେଳେ ଆମେରିକା ଓ କାନାଡ଼ା ଭଳି ଉତ୍ତର ଆମେରିକୀୟ ଦେଶମାନଙ୍କରେ ସାଧାରଣ ଶୀତକାଳଠାରୁ ତାପମାତ୍ରା ଅଧିକ ଏବଂ ଦକ୍ଷିଣ ଆମେରିକା ଓ ଖାଡ଼ି ଅଞ୍ଚଳରେ ଶୀତଳ ତଥା ଆର୍ଦ୍ର ଅବସ୍ଥା ସୃଷ୍ଟି କରେ। ସେହିପରି ପେରୁ ଓ ଇକ୍ୟୁଡର ଭଳି ଦକ୍ଷିଣ ଆମେରିକାର ପଶ୍ଚିମ ଉପକୂଳରେ ଏହା ଅଧିକ ବୃଷ୍ଟିପାତ ଏବଂ ବନ୍ୟାର ସମ୍ଭାବନା ବୃଦ୍ଧି କରିବା ସହିତ ଉତ୍ତର ଅଞ୍ଚଳରେ ଶୁଷ୍କ ଅବସ୍ଥା ସୃଷ୍ଟି କରେ। ଅନ୍ୟପକ୍ଷରେ ଅଧିକାଂଶ ଏଲ୍‌ ନିନୋ କାଳରେ ଦକ୍ଷିଣ ଆଫ୍ରିକା ଶୁଷ୍କ ଏବଂ ପୂର୍ବ ଆଫ୍ରିକା ସାଧାରଣ ଅବସ୍ଥାଠାରୁ ଅଧିକ ଆର୍ଦ୍ର ରହେ।
ଭାରତ ଉପରେ ପଡୁଥିବା ଏହାର ପ୍ରଭାବଗୁଡ଼ିକର ଅନ୍ତର୍ଭୁକ୍ତ ହେଲା ଦୁର୍ବଳ ମୌସୁମୀ ହେତୁ କମ୍‌ ବୃଷ୍ଟିପାତ (ପ୍ରାୟ ୧୦ରୁ ୧୩ ଶତାଂଶ) ଏବଂ ମରୁଡ଼ି (ବିଗତ ଦଶକରେ ଘଟିଥିବା ସବୁଠାରୁ କ୍ଷତିକାରକଗୁଡ଼ିକ ମଧ୍ୟରୁ ଅଧିକାଂଶ ଘଟୁଛି ଏଲ୍‌ ନିନୋ ବର୍ଷରେ)। ଫଳରେ ଫସଲ ହାନି ଘଟେ(୧୨ରୁ ୨୦ ଶତାଂଶ), ଯାହାକି ଦେଶର ଖାଦ୍ୟ ଉତ୍ପାଦନ ଏବଂ ଅର୍ଥନୀତିକୁ ପ୍ରଭାବିତ କରେ। ପୁନଶ୍ଚ କମ୍‌ ବୃଷ୍ଟିପାତ ହେତୁ ଜଳାଭାବ ଘଟିବାରୁ ଜଳ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହୁଏ। ସେହିପରି ତାପମାତ୍ରା ବୃଦ୍ଧି ଏବଂ ଘନଘଟା ଗ୍ରୀଷ୍ମପ୍ରବାହ ସ୍ବାସ୍ଥ୍ୟହାନି ଓ ଅକାଳ ମୃତ୍ୟୁର କାରଣ ହେବା ସଙ୍ଗେ ସଙ୍ଗେ ପରିବେଶ ତଥା ପରିସଂସ୍ଥାକୁ କ୍ଷତି ପହଞ୍ଚାଇଥାଏ। ୨୦୨୩-୨୦୨୪ ବର୍ଷର ଏଲ୍‌ ନିନୋ ଏ ସମସ୍ତ ପ୍ରଭାବ ପକାଇଥିଲା ଏବଂ ଚଳିତବର୍ଷ ତାହା ସେହିପରି କରିବ ବୋଲି ଆଶା କରାଯାଉଛି। ତେବେ କେତେକ ପାଣିପାଗ ବିଶେଷଜ୍ଞଙ୍କ ମତରେ ଏହା ଏକ ସୁପର ଏଲ୍‌ ନିନୋ ହୋଇପାରେ।
ମୋ: ୯୯୩୭୩୦୧୪୬୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?