ଗୁଆହାଟୀ, ୧୪ା୪: ଖରାପ ପାଗ ସତ୍ତ୍ୱେ ଚଳିତ ସିଜନରେ ୩ଟି ଆଇପିଏଲ୍ ମ୍ୟାଚ ସଫଳତା ସହିତ ଆୟୋଜନ କରିପାରିଥିବାରୁ ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ଗ୍ରାଉଣ୍ଡ ଷ୍ଟାଫ୍ଙ୍କ ଲାଗି ୨୫ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି।
ପିଚ୍ ପ୍ରସ୍ତୁତି ଓ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ଦିଗରେ କ୍ୟୁରେଟର ଓ ଗ୍ରାଉଣ୍ଡ୍ସମ୍ୟାନଙ୍କ କାର୍ଯ୍ୟ ପ୍ରଶଂସନୀୟ ଥିଲା ବୋଲି ଏସିଏ ସମ୍ପାଦକ ସନାତନ ଦାସ ଓ ସଭାପତି ତରଙ୍ଗ ଗୋଗୋଇ ପ୍ରକାଶ କରିଛନ୍ତି।
ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଯୋଗୁ ଗୁଆହାଟୀର ବର୍ଷାପରା କ୍ରିକେଟ ଷ୍ଟାଡିୟମରେ ୨୦୨୬ରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚଗୁଡ଼ିକ ପ୍ରଭାବିତ ହୋଇଥିଲା। ଏପ୍ରିଲ ୭ରେ ରାଜସ୍ଥାନ ରୟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚକୁ ୧୧ ଓଭର ବିଶିଷ୍ଟ କରାଯାଇଥିଲା।
ପରେ ଏପ୍ରିଲ ୧୦ରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ବର୍ଷା ଯୋଗୁ ବିଳମ୍ବ ଘଟିଥିଲା। ଗ୍ରାଉଣ୍ଡ୍ସମ୍ୟାନମାନେ ତୁରନ୍ତ ପିଚ୍କୁ କଭର କରିଦେଇଥିଲେ। ବିଭିନ୍ନ ସମସ୍ୟା ସତ୍ତ୍ୱେ ଗ୍ରାଉଣ୍ଡ୍ସମ୍ୟାନମାନେ ଏସିଏ ଷ୍ଟାଡିୟମରେ ମ୍ୟାଚଗୁଡ଼ିକ ଆୟୋଜନ କରାଇବାରେ ବିଶେଷ ଭୂମିକା ଗ୍ରହଣ କରିଥିଲେ।

