ବଲାଙ୍ଗୀର,୧୮ା୧(ସୁନିଲ କୁମାର ମହାନ୍ତି/ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ହିର୍ଲି ନଦୀରୁ ଖଣ୍ଡ ବିଖଣ୍ଡିତ ମୃତଦେହ ରବିବାର ଠାବ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାର କୋଣସି ପରିଚୟ ମିଳିପାରିନାହିଁ। ଲରମ୍ଭା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ନଦୀ ଭିତରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନାନୁସାରେ, ନଦୀକୁ ଗାଁର କିଛି ଲୋକ ରବିବାର ସକାଳେ ଶୌଚ ହେବା ପାଇଁ ଯାଇଥିବା ବେଳେ ନଦୀ ଭିତରୁ ପ୍ରଥମେ ପାଦର ଖଣ୍ଡ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ଲରମ୍ଭା ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ନଦୀ ଭିତରୁ କିଛି ହାଡ଼ ଓ ଖପୁରୀ ମିଳିଥିବା ଜଣାପଡ଼ିଛି। ମୃତକ ଜଣକ କିଏ ଓ କିପରି ଏଠାକୁ ତା’ର ଖଣ୍ଡ ବିଖଣ୍ଡ ମୃତଦେହ କେମିତି ଆସିଲା ବର୍ତ୍ତମାନ ରହସ୍ୟ ଘେରରେ ରହିଛି।
ଅନ୍ୟ ପଟେ ଗତ ୨ ତାରିଖରେ ବଲାଙ୍ଗୀର ଜିଲା ଲରମ୍ଭା ଥାନା କାଦୋପାଣି ଗାଁର ୧୧ ବର୍ଷର ନାବାଳକ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ୧୫ ଦିନ ଧରି ଏହି ଘଟଣାର ତଦନ୍ତ କରୁଥିବା ବେଳେ ତା’ର କୌଣସି ପତ୍ତା ପାଇପାରୁ ନ ଥିଲା। ନଦୀରେ ଖଣ୍ଡ ବିଖଣ୍ଡିତ ଶରୀର ପଡ଼ିଥିବା ପୋଲିସ ଖବର ପାଇବା ପରେ ପୋଲିସ ସାଇଣ୍ଟଫିକ ଟିମ୍ ଓ ଡଗ୍ ସ୍କ୍ବାଡ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ନିଖୋଜ ନାବାଳକଙ୍କ ସ୍କୁଲ ଡ୍ରେସ ନଦୀରୁ ମିଳିଥିବା ଜଣାପଡ଼ିଛି l ଏ ଘଟଣା ସମ୍ପର୍କରେ ପୋଲିସର କୌଣସି ସୂଚନା ମିଳିପାରିନାହିଁ। ଖଣ୍ଡ ବିଖଣ୍ଡତ ମୃତ ଶରୀରରକୁ ନେଇ ପୋଲିସର ତଦନ୍ତ ଜାରି ରହିଥିବା ଏସ୍ଡିପିଓ ସଦାନନ୍ଦ ପୂଜାରୀ କହିଛନ୍ତି।

