ବଲାଙ୍ଗୀର,୧୫ା୧(ସୁନିଲ କୁମାର ମହାନ୍ତି): ଆଉ ଶୁଭିବନି ତାଙ୍କ ଘୁଡ଼କା ବାଦ୍ୟ। ଘୁଡୁକା ବାଦ୍ୟ ସହ ଲୋକଗୀତ ଗାଇ ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ ଗାୟିକା କୁନି ଛତ୍ରିଆ। ସେ ୭ ଦିନ ହେବ ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ସେଠାରେ ସେ ଚିକିତ୍ସିତ ହେଉଥିଲେ। ହେଲେ ତାଙ୍କ ସ୍ବାସ୍ଥାବସ୍ଥାରେ କୌଣସି ପ୍ରକାର ସୁଧାର ନ ଆସିବାରୁ ତାଙ୍କୁ ତିନି ଦିନ ତଳେ ବୁର୍ଲା ଭୀମସାର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ବୁଧବାର ବିଳମ୍ବିତ ରାତିରେ କୁନି ଚିକିତ୍ସିତ ଅବସ୍ଥାରେ ଆଖିବୁଜି ଦେଇଥିଲେ।
ସେ ବଲାଙ୍ଗୀର ଜିଲାର ତୁଷୁରା ଭଳି ଏକ ଛୋଟ ସହରରୁ ଆସି ରାଜ୍ୟ ତଥା ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିଲେ। ତୁଷୁରା ଅଞ୍ଚଳର ସାନ ବଡ଼ ଘୁଡ଼କା ବାଦ୍ୟକୁ ଜାତୀୟ ସ୍ତରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏଥିସହିତ ସେ ‘କୃଷ୍ଣ ପ୍ରିୟା କଳା ପରିଷଦ ତୁଷୁରା’ର ସ୍ଥାୟୀ ସଦସ୍ୟା ମଧ୍ୟ ଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବା ପରେ କଳାକାର ମହଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

