ବ୍ରହ୍ମପୁର,୧୫ା୧(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସ୍ଷ୍ଟାଣ୍ଡ ନିକଟରେ ଗୁରୁବାର ସକାଳେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଛନ୍ତି। ଗୁରୁତର ଯୁବକ ଜଣଙ୍କ ବଡବ୍ଜ଼ାର ଥାନା ଅନ୍ତର୍ଗତ ଧାନମେରା ସାହିର ଅମିତ ମୁଖୀ(୩୮)। ଗୁରୁତର ଅବସ୍ଥାରେ ସେ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି। ତାଙ୍କ ଗୋଡ , ପେଟ ଓ ଶରୀରର ବିଭିନ୍ନ ସ୍ଥାନରେ ଖଣ୍ଡାଚୋଟ ପଡିଛି। ଖବର ପାଇ ବ୍ରହ୍ମପୁର ଏସପି ଡା. ସର୍ଣା ବିବେକ ଏମ. ସେଠାରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛନ୍ତି। ପ୍ରାଥମିକ ତଦନ୍ତରୁ ପୂର୍ବଶତ୍ରୁତାରୁ ଅମିତଙ୍କୁ ଅପର ଗୋଷ୍ଠିର ୧୦ରୁ ଊର୍ଦ୍ଧ୍ୱ ଯୁବକ ଏଭଳି ଭାବେ ହାଣି ହତ୍ୟା ଉଦ୍ୟମ କରିଛନ୍ତି। ପୋଲିସ ସିସିଟିଭି ଜରିଆରେ ତଦନ୍ତ ଜାରି ରଖିଛି। ପୂର୍ବରୁ ଏକ ଆକ୍ରମଣ ମାମଲାରେ ଅମିତ ଜାମିନରେ ଥିବା ବେଳେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଅମିତ ମୁଖୀ ବ୍ରହ୍ମପୁର ମହାନଗର ନିଗମ ର ଅଳିଆ ଆବର୍ଜନା ଉଠାଇବା କାମ ପାଇଁ ସୁପରଭାଇଜର ଭାବେ କାମ କରନ୍ତି। ସେ ଗୁରୁବାର ସକାଳେ ନୂଆ ବସଷ୍ଟାଣ୍ଡ ନିକଟରେ କାମ ତଦାରଖ କରୁଥିବା ବେଳେ ତାଙ୍କୁ ଘାତକ ଆକ୍ରମଣ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

