ବ୍ରହ୍ମପୁର,୨୩ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଏକ କେନାଲ ଭିତରେ ପଡ଼ିଛି ନରକଙ୍କାଳ। ଏହାକୁ ନେଇ ଏବେ ବ୍ରହ୍ମପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନିମଖଣ୍ଡି ଥାନା ପୋଲିସ କଙ୍କାଳ ଜବତ କରି ଘଟଣାର ଛାନ୍ଭିନ୍ କରୁଛି। ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚଳାଇଛି। ଉକ୍ତ ଥାନା ଅନ୍ତର୍ଗତ ହୁଗୁଳାପଟ୍ଟା ଓ ଗୁରୁଣ୍ଠି ମଧ୍ୟ ଦେଇ ଯାଇଥିବା ଏକ କେନାଲ ଭିତରେ ଏକ କଙ୍କାଳ ପଡ଼ିଥିବା ନେଇ ମଙ୍ଗଳବାର ସକାଳେ ପୋଲିସକୁ ଖବର ମିଳିଥିଲା। ପୋଲିସ ପହଞ୍ଚି କଙ୍କାଳ ଜବତ କରିଛି। କଙ୍କାଳର କୌଣସି ପରିଚୟ ମିଳିପାରି ନ ଥିବା ବେଳେ ବୟସ ଆନୁମାନିକ ୩୦ରୁ ୩୫ ବର୍ଷ ହେବ ବୋଲି ପୋଲିସ କହିଛି। ଏହି କଙ୍କାଳରେ ଶର୍ଟ ଏବଂ ପ୍ୟାଣ୍ଟର କିଛି ଅଂଶ ଲାଗିଛି। କଙ୍କାଳଟି ପାଖ ନିକଟର ହୋଇ ନ ଥିବା ବେଳେ ତାହା ୧୦ରୁ ୧୫ ଦିନ ହୋଇଥିବା ସନ୍ଦେହ କରାଯାଉଛି।


