ନୂଆଦିଲ୍ଲୀ,୧୮ା୧୨: ଦିଲ୍ଲୀରେ ପ୍ରତିବର୍ଷ ଶୀତଦିନେ ବାୟୁ ପ୍ରଦୂଷଣ ଏକ ସାଧାରଣ ସମସ୍ୟା ପାଲଟିଛି। ବିଷାକ୍ତ ବାୟୁ, ଘନ କୁହୁଡ଼ି ଏବଂ ଶ୍ୱାସକ୍ରିୟା ଜନିତ ରୋଗରେ ଦିଲ୍ଲୀବାସୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏହି ସମୟରେ ଚାଇନାର ରାଜଧାନୀ ବେଜିଂ, ଯାହାକୁ କେବେ ‘ବିଶ୍ୱର ପ୍ରଦୂଷଣ ରାଜଧାନୀ’ କୁହାଯାଉଥିଲା, ସେଠାରେ ବାୟୁ ମାନରେ ଆଶ୍ଚର୍ଯ୍ୟଜନକ ଉନ୍ନତି ପରିଲକ୍ଷିତ ହୋଇଛି। ଏହି ସଫଳତାକୁ ଦୃଷ୍ଟିରେ ରଖି ଭାରତସ୍ଥିତ ଚାଇନା ଦୂତାବାସ ଦିଲ୍ଲୀ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଜାରି କରିଛି।
ଚାଇନା ଦୂତାବାସର ମୁଖପାତ୍ର ୟୁ ଜିଙ୍ଗ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ତୁଳନାତ୍ମକ ଚିତ୍ର ସେୟାର କରିଛନ୍ତି। ଗତ ଡିସେମ୍ବର ୧୫ ତାରିଖର ତଥ୍ୟ ଅନୁଯାୟୀ, ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୪୭ (ଅତି ଗମ୍ଭୀର) ଥିବାବେଳେ ବେଜିଂରେ ଏହା ମାତ୍ର ୬୭ ଥିଲା। ଏହି ତଥ୍ୟ ଦର୍ଶାଉଛି ଯେ ବେଜିଂ ମାତ୍ର ଗୋଟିଏ ଦଶନ୍ଧି ମଧ୍ୟରେ ନିଜ ବାୟୁ ମାନରେ କିପରି ଉନ୍ନତି ଆଣିପାରିଛି।

ଚୀନ୍ ଦେଇଥିବା କିଛି ପ୍ରମୁଖ ପରାମର୍ଶ:
୧. ଯାନବାହନ ପ୍ରଦୂଷଣ ନିୟନ୍ତ୍ରଣ:
କଠୋର ନିୟମ: ଚାଇନା ୟୁରୋ-୬ (Euro 6) ମାନକ ସହ ସମାନ ‘ଅଲ୍ଟ୍ରା-ଷ୍ଟ୍ରିକ୍ଟ’ ନିୟମ ଲାଗୁ କରିବା ସହ ପୁରୁଣା ଗାଡ଼ିଗୁଡ଼ିକୁ ସମ୍ପୂର୍ଣ୍ଣ ବ୍ୟାନ କରିଛି।
ଡ୍ରାଇଭିଂ କଟକଣା: ଲାଇସେନ୍ସ ପ୍ଲେଟ୍ ଲଟେରୀ, ଅଡ୍-ଇଭେନ୍ (Odd-Even) ନିୟମ ଏବଂ କାର୍ କିଣିବା ଉପରେ କଟକଣା ଲଗାଯାଇଛି।
ବୈଦ୍ୟୁତିକ ପରିବହନ: ମେଟ୍ରୋ ଏବଂ ବସ୍ ନେଟୱାର୍କରେ ବିପୁଳ ପୁଞ୍ଜି ବିନିଯୋଗ ସହ ଇଲେକ୍ଟ୍ରିକ୍ ଗାଡ଼ିର ବହୁଳ ବ୍ୟବହାର କରାଯାଇଛି।
୨. ଶିଳ୍ପ ସଂରଚନାରେ ପରିବର୍ତ୍ତନ:
ବେଜିଂ ପାଖାପାଖି ୩,୦୦୦ ରୁ ଅଧିକ ଭାରି ଶିଳ୍ପକୁ ସହର ବାହାରକୁ ସ୍ଥାନାନ୍ତର କରିଛି। କେବଳ ଚାଇନାର ବୃହତ ଇସ୍ପାତ କମ୍ପାନୀ ‘ଶୌଗାଙ୍ଗ’ର ସ୍ଥାନାନ୍ତର ଦ୍ୱାରା ପ୍ରଦୂଷଣକାରୀ କଣିକା (particulates) ୨୦% ହ୍ରାସ ପାଇଥିଲା। ପୁରୁଣା କାରଖାନା ଅଞ୍ଚଳକୁ ପାର୍କ, ବାଣିଜ୍ୟିକ କେନ୍ଦ୍ର ଏବଂ ସାଂସ୍କୃତିକ ହବ୍ରେ ପରିଣତ କରାଯାଇଛି।

୩. ଆଞ୍ଚଳିକ ସମନ୍ୱୟ: ବେଜିଂ-ତିଆଞ୍ଜିନ୍-ହେବେଇ ଅଞ୍ଚଳ ମଧ୍ୟରେ ସମନ୍ୱୟ ରକ୍ଷା କରି ପ୍ରଦୂଷଣ ରୋକାଯାଇଛି। ଭାରତରେ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ନଡ଼ା ପୋଡ଼ି ଏକ ବଡ଼ ସମସ୍ୟା ହୋଇଥିବା ବେଳେ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱୟର ଅଭାବ ଦିଲ୍ଲୀର ପ୍ରଦୂଷଣକୁ ଦ୍ୱିଗୁଣିତ କରୁଛି।

ଯଦିଓ ଚାଇନାର ଏହି ପଦକ୍ଷେପଗୁଡ଼ିକ ପ୍ରଶଂସନୀ, କିନ୍ତୁ ଭାରତୀୟ ବିଶେଷଜ୍ଞଙ୍କ ମତରେ ଏହାକୁ ଦିଲ୍ଲୀରେ କାର୍ଯ୍ୟକାରୀ କରିବା ସେତେ ସହଜ ନୁହେଁ। ଦିଲ୍ଲୀରେ ଅଡ୍-ଇଭେନ୍ ଭଳି ନିୟମ ପୂର୍ବରୁ ପରୀକ୍ଷା କରାଯାଇଥିଲେ ମଧ୍ୟ ଏହା ଆଶାନୁରୂପ ସଫଳତା ଦେଇନାହିଁ। ଏଥିସହ ନଡ଼ା ପୋଡ଼ି ରୋକିବା ପାଇଁ ରାଜ୍ୟଗୁଡ଼ିକ ମଧ୍ୟରେ ଚାଲିଥିବା ରାଜନୈତିକ ବାଦବିବାଦ ଏକ ବଡ଼ ପ୍ରତିବନ୍ଧକ ସାଜିଛି।
ଚାଇନା ଦୂତାବାସର ଏହି ତଥ୍ୟ ଅନୁଯାୟୀ, ବାୟୁ ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ କେବଳ ସାମୟିକ ପଦକ୍ଷେପ ନୁହେଁ, ବରଂ ଏକ ଦୀର୍ଘକାଳୀନ ଓ କଠୋର ଯୋଜନାର ଆବଶ୍ୟକତା ରହିଛି।


