କେପ୍ ଟାଉନ୍,୬ା୫:ଆଫ୍ରିକାର ପଶ୍ଚିମ ଉପକୂଳରେ ଏକ ବିଳାଶପୂର୍ଣ୍ଣ କ୍ରୁଜ୍ ଜାହାଜରେ ହାନ୍ତା ଭାଇରସ୍ ବ୍ୟାପିବାରୁ ୩ ଜଣଙ୍କ ମୃତ୍ୟୁ ହେବା ସହିତ ୫ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଜର୍ମାନୀ ନାଗରିକ ଏବଂ ଏକ ଡଚ୍ ଦମ୍ପତି ରହିଛନ୍ତି। ଏହି ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ରିଟିଶ ନାଗରିକଙ୍କ ସମେତ ଅନ୍ୟ ୪ ଜଣ ଏବେ ଜୋହାନ୍ସବର୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଅନ୍ତର୍ଜାତୀୟ ସ୍ତରରେ ଚିନ୍ତାପ୍ରକଟ କରାଯିବା ପରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ହାନ୍ତା ଭାଇରସ୍କୁ ନେଇ ଚିନ୍ତା ନ କରିବାକୁ କୁହାଯାଇଛି। ଏହି ଭାଇରସ୍ ମଣିଷଠାରୁ ଅନ୍ୟକୁ ସଂକ୍ରମିତ ହୋଇ ନ ଥାଏ , କେବଳ ବିଭିନ୍ନ ପ୍ରଜାତିର ମୂଷାଙ୍କ ଦ୍ୱାରା ଏହା ମଣିଷଙ୍କୁ ଆକ୍ରାନ୍ତ କରିଥାଏ ବୋଲି ‘ହୁ ’କହିଛି। କ୍ରୁଜ୍ ଜାହାଜଟି ଆଫ୍ରିକାର ପଶ୍ଚିମ ଉପକୂଳସ୍ଥିତ କେପ୍ ଭର୍ଡେ ଦ୍ୱୀପରେ ପହଞ୍ଚିବା ପରେ ଏହି ବିଷୟ ଜଣାପଡ଼ିଥିଲା। ଏହାପରେ ଏହାର କୌଣସି ଯାତ୍ରୀଙ୍କୁ ବାହାରକୁ ଯିବାକୁ ଦିଆଯାଉ ନାହିଁ। ଏଥିରେ ବିଭିନ୍ନ ଦେଶର ପ୍ରାୟ ୧୫୦ ଯାତ୍ରୀ ରହିଛନ୍ତି।

