ଭୁବନେଶ୍ୱର,୨୮ା୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ରେ ଭାରତର ୦-୨ରେ ଶୋଚନୀୟ ପରାଜୟ ସତ୍ତ୍ୱେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ତିନି ଫର୍ମାଟ୍ରେ ନିଜ ଦାୟିତ୍ୱ ଜାରି ରଖିବେ। ଏ ନେଇ କୌଣସି ପରିବର୍ତ୍ତନ ଉପରେ ବିସିସିଆଇ ବିଚାର କରୁନାହିଁ ବୋଲି ସୂତ୍ରରୁ ଖବର ମିଳିଛି।
ଦକ୍ଷିଣ ଆଫ୍ରିକାଠାରୁ ଗୌହାଟୀରେ ଦ୍ୱିତୀୟ ଟେଷ୍ଟ୍ରେ ଭାରତ ୪୦୮ ରନ୍ରେ ଲଜ୍ଜାଜନକ ପରାଜୟ ବରଣ କରିଥିଲା, ଯାହାକି ରନ୍ ବ୍ୟବଧାନରେ ଏପର୍ଯ୍ୟନ୍ତ ଭାରତର ସବୁଠାରୁ ବଡ଼ ପରାଜୟ। ଏହା ଗୌତମ ଗମ୍ଭୀରଙ୍କ କୋଚିଂରେ ୧୬ ମାସ ମଧ୍ୟରେ ଦ୍ୱିତୀୟ ଘରୋଇ ଟେଷ୍ଟ ସିରିଜ୍ ପରାଜୟ। ଏହାପୂର୍ବରୁ ୨୦୨୪ ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୦-୩ରେ ପରାଜିତ ହୋଇଥିଲା।
ବିସିସିଆଇର ଜଣେ ବରିଷ୍ଠ ସୂତ୍ରରୁ ଜଣାପଡିଛି, “ସେ ତିନୋଟି ଫର୍ମାଟରେ ମୁଖ୍ୟ କୋଚ୍ ହୋଇ ରହିବେ, କୌଣସି ନିଷ୍ପତ୍ତି ଉପରେ ବିଚାର କରାଯାଉ ନାହିଁ।” ବିସିସିଆଇ ଏହି ସମୟକୁ ଦଳ ପାଇଁ ଏକ ପରିବର୍ତ୍ତନକାରୀ ପର୍ଯ୍ୟାୟ ଭାବରେ ଦେଖୁଛି ଏବଂ ୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ଗମ୍ଭୀରଙ୍କ ଚୁକ୍ତି ଥିବାରୁ କୌଣସି ତରବରିଆ ନିଷ୍ପତ୍ତି ନେବାକୁ ଚାହୁଁନାହିଁ।
ଅନ୍ୟପକ୍ଷରେ, ଦଳର ଖରାପ ପ୍ରଦର୍ଶନକୁ ନେଇ କ୍ରିକେଟ୍ ପ୍ରଶଂସକମାନେ ଅସନ୍ତୁଷ୍ଟ ଅଛନ୍ତି ଏବଂ ଗୌହାଟୀ ଷ୍ଟାଡିୟମ୍ ବାହାରେ ସେମାନେ “ଗୌତମ ଗମ୍ଭୀର ହାଏ ହାଏ” ନାରା ଦେବାର ଶୁଣାଯାଇଥିଲା। ଗମ୍ଭୀରଙ୍କ ଟେଷ୍ଟ୍ ରେକର୍ଡ ଦୁର୍ବଳ ଥିବାବେଳେ ଦିନିକିଆ ଏବଂ ଟି ୨୦ ଫର୍ମାଟ୍ରେ ଭାରତର ପ୍ରଦର୍ଶନ ଭଲ ରହିଛି।
ଟେଷ୍ଟ୍ ସିରିଜ୍ରେ ପରାଜୟ ପରେ ଭାରତ ବର୍ତ୍ତମାନ ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପ୍ (WTC) ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନକୁ ଖସି ଆସିଛି।


