ଦେବଗଡ,୨୦।୧୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ରିଆମାଳ ପୋଲିସକୁ ସଫଳତା । ବାନ୍ଧବୀଙ୍କ ସହ ଜଣେ ଯୁବକ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଗୋଡାଇ ଗୋଡାଇ ଧରିଲା ପୋଲିସ । ୫୮ କେଜି ଗଞ୍ଜେଇ ସମେତ ସ୍ବିିପ୍ଟ ଡିଜାୟାର କାର ଏବଂ ମୋବାଇଲ ଫୋନ ଜବତ ହୋଇଛି । ଏଥିରେ ବାରକୋଟ ଥାନା ସରୁଆଳି ଗ୍ରାମର ସସ୍ମିତା ପ୍ରଧାନ ଏବଂ ଲକ୍ଷ୍ମୀପୁର ଗ୍ରାମର ହରିହର ପ୍ରଧାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଗଞ୍ଜେଇ ଭର୍ତ୍ତି କାର୍ଟି ସୋନପୁର ପଟୁ ଦେବଗଡ ଆସୁଥିବା ପୋଲିସ ସୂଚନା ପାଇଥିଲା । ଦେବଗଡ ଏସଡିପିଓଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ଗଠନ କରି ରିଆମାଳ ଥାନା ତାରଙ୍ଗ ସାମପାଳି ଜଙ୍ଗଲରେ ପୋଲିସ ଛକି ରହିଥିଲା । ପୋଲିସକୁ ଦେଖି କାର୍ ନେଇ ଚମ୍ପଟ ମାରୁଥିବା ବେଳେ ଗୋଡାଇ ଗୋଡାଇ ଧରିଥିଲା ପୋଲିସ । ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ଅତିରିକ୍ତ ଏସ୍ପି ଧିରଜ ଚୋପଦାର ସୂଚନା ଦେଇଛନ୍ତି ।


