ଦିଗପହଣ୍ଡି,୧୫ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦୌରା ଜଜ୍ ଅଶାନ୍ତ କୁମାର ଦାସ ଶନିବାର ଅପରାହ୍ନରେ ଦିଗପହଣ୍ଡି-ପୁଡ଼ାମାରୀ ରାସ୍ତାରେ ନିର୍ମାଣାଧୀନ ଦିଗପହଣ୍ଡି କୋର୍ଟ କୋଠା ପରିଦର୍ଶନ କରିଛନ୍ତି। ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ. ସୋମନାଥ ତ୍ରିପାଠୀ, ନିର୍ବାହୀ ଯନ୍ତ୍ରୀ ଇଂ.ତାପସ କୁମାର ଦାସ , ସହକାରୀ ଯନ୍ତ୍ରୀ ଇଂ.ମନୋଜ କୁମାର ମହାରଣା ପ୍ରମୁଖ ଉପସ୍ଥିତ ରହି କୋର୍ଟ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଜିଲା ଜଜ୍ଙ୍କୁ ସୂଚନା ଦେଇଥିଲେ। ଜିଲା ଜଜ୍ଙ୍କ ଗସ୍ତ ସମୟରେ ଦିଗପହଣ୍ଡି ସବଜଜ୍ କୋର୍ଟର ମାଜିଷ୍ଟ୍ରେଟ୍ ମହାଶ୍ୱେତା ପରିଜା, ଜେଏମ୍ଏଫ୍ସି କୋର୍ଟର ମାଜିଷ୍ଟ୍ରେଟ୍ ନିଳିମା ଷଡ଼ଙ୍ଗୀ, ଖେମୁଣ୍ଡି ଓକିଲ ସଂଘର ସଭାପତି ହୃଦୟ ରଞ୍ଜନ ମେକାପ, ସମ୍ପାଦକ ପ୍ରଦୀପ କୁମାର ନାୟକ, ପ୍ରାକ୍ତନ ସଭାପତି ହରପ୍ରସାଦ ରଥ, ପରେଶ ଚନ୍ଦ୍ର ରଥ, ଚନ୍ଦ୍ରଧ୍ବଜ ସିଂହ, ସରକାରୀ ଓକିଲ ନକୁଳ ପ୍ରଧାନ, ଆଇନଜୀବୀ ବିଜୟ କୁମାର ପ୍ରଧାନ, ଟୁକୁନା ପ୍ରଧାନଙ୍କ ସମେତ ଠିକାଦାର ଅନୁପ କୁମାର ଦାସ, ସରୋଜ କୁମାର ପାତ୍ର ଏବଂ ବିଚାର ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ। ଜିଲା ଜଜ୍ ଅସମ୍ପୂର୍ଣ୍ଣ କୋଠା କାମକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ କହିଥିଲେ। ଏହା ପୂର୍ବରୁ ଜିଲା ଜଜ୍ ଦିଗପହଣ୍ଡି ସବଜେଲ୍ ପରିଦର୍ଶନ କରି ସେଠାକାର ଅନ୍ତେବାସୀଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିବା ଜଣାପଡ଼ିଛି।


