କୋରାପୁଟ,୩ା୧୧(ଅମିତାଭ ବେହେରା): ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନରୁ କୋରାପୁଟ ଆରପିଏଫ୍ ଓ ଜିଆରପି ପୋଲିସ ୯ କିଲୋ ଗଞ୍ଜେଇ ଜବତ କରି ଜଣେ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରିଛି। ଅଭିଯୁକ୍ତ ହେଲେ ଯାଜପୁର ଅଞ୍ଚଳର ବିନୋଦ କୁମାର ସାମଲ।
ସୂଚନା ଅନୁଯାୟୀ, ବିନୋଦ ହୀରାଖଣ୍ଡ ଏକ୍ସପ୍ରେସରେ ଜୟପୁରଠାରୁ ଗଞ୍ଜେଇ ନେଇ ଭୁବନେଶ୍ବର ଯାଉଥିବା ଜିଆରପି ଏବଂ ଆରପିଏଫ ପୋଲିସ ଖବର ପାଇଥିଲା। ଟିମ କୋରାପୁଟ ଷ୍ଟେଶନରେ ସଜାଗ ରହି ଟ୍ରେନ ପହଞ୍ଚିବା ପରେ ଯାଞ୍ଚ କରିଥିଲେ। ବିନୋଦଙ୍କ ହାବଭାବ ଦେଖି ପୋଲିସ ତାଙ୍କୁ ସନ୍ଦେହ କରି ବ୍ୟାଗ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଜିଆରପି ଥାନାରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଭବାନୀ ଶଙ୍କର ପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରିବାରୁ ତାହା ୯ କିଲୋ ବୋଲି ଜଣାପଡିଥିଲା। ଏ ନେଇ ପୋଲିସ ମାମଲା ରୁଜୁ କରିଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜିଆରପି ଥାନାଧିକାରୀ ସନ୍ତୋଷୀ ମହନ୍ତ ସୂଚନା ଦେଇଛନ୍ତି।


