ଉନ୍ନତି ଅପେକ୍ଷାରେ ଯୁବ ଭୋଟର

ନୂଆପଡ଼ା,୨ା୧୧(ପୀତାମ୍ବର ସାହୁ): ଆସନ୍ତା ୧୧ ତାରିଖରେ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହେବ ଉପନିର୍ବାଚନ। ଏଥିରେ ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବା ମତଦାତାଙ୍କ ସମେତ ଯୁବ ଭୋଟରମାନେ ଏହି ନିର୍ବାଚନକୁ ନେଇ କ’ଣ ଭାବୁଛନ୍ତି ଏବଂ କେଉଁ ପ୍ରସଙ୍ଗ ଉଠାଉଛନ୍ତି ତାହା ଜାଣିବା ପାଇଁ ଆମେ ଉଦ୍ୟମ କରିଛୁ। ଏଥିପାଇଁ ଆମେ ବିଭିନ୍ନ କଲେଜର ଛାତ୍ରୀଛାତ୍ରଙ୍କୁ ଭେଟି ଆଲୋଚନା କରିଛୁ। ନୂଆପଡ଼ାସ୍ଥିତ ନ୍ୟାଶନାଲ କଲେଜର ଯୁକ୍ତ୩ ଶେଷ ବର୍ଷର ଛାତ୍ରୀ ସାନୁ ଠାକୁର ଓ ଅନ୍ୟ କେତେଜଣ ଛାତ୍ରୀଙ୍କ ସହିତ ଶନିବାର ଅପରାହ୍ନ ୧ଟାରେ ବିଭିନ୍ନ ପ୍ରସଙ୍ଗରେ ପ୍ରାୟ ଅଧଘଣ୍ଟା ଧରି ଆଲୋଚନା ହୋଇଥିଲା। ଏହି ଯୁବ ମତଦାତାଙ୍କ କହିବା କଥା ହେଉଛି, ଯେତେବେଳେ ବି ନୂଆପଡ଼ା କଥା ଆଲୋଚନା କରାଯାଏ, ସେତେବେଳେ ଏହା ଦାଦନ ପ୍ରବଣ ଓ ପଛୁଆ ଅଞ୍ଚଳ ବୋଲି ବିଚାର କରାଯାଏ। ଜିଲାକୁ ନେଇ ଏଭଳି ଟ୍ୟାଗଲାଇନ୍‌ ଥିବାବେଳେ ଛାତ୍ରୀଛାତ୍ର ଓ ଯୁବ ମତଦାତା ଭାବେ ତାହା ସେମାନଙ୍କୁ ଭଲ ଲାଗୁ ନାହିଁ। ସେମାନେ ବିକଶିତ ଓ ସମୃଦ୍ଧ ନୂଆପଡ଼ା ଚାହୁଁଥିବା ମତଦେଇଛନ୍ତି।
ଉପନିର୍ବାଚନରେ ଭାଜପାରୁ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ, ବିଜେଡିରୁ ପୂର୍ବତନ ମନ୍ତ୍ରୀ ତଥା ଅତାବିରା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସରୁ ଆଦିବାସୀ ନେତା ଘାସିରାମ ମାଝୀଙ୍କ ସମେତ ୧୪ଜଣ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏଥିପାଇଁ ନୂଆପଡ଼ା ଏବେ ନେତାଙ୍କ ଛାଉଣି। ୨୪ ବର୍ଷ ଧରି ଶାସନରେ ଥିବା ଏବକାର ମୁଖ୍ୟ ବିରୋଧୀ ଦଳ ବିଜେଡି ସମେତ ବର୍ତ୍ତମାନର ଶାସକ ଭାଜପା ଏବଂ କଂଗ୍ରେସର ଅନେକ ନେତା ନିଜ ଦଳ ପାଇଁ ପ୍ରଚାର କରୁଛନ୍ତି। ହେଲେ ସେମାନେ ନୂଆପଡ଼ାର ବାସ୍ତବ ସମସ୍ୟାଠାରୁ ଦୂରରେ ରହୁଥିବା ଯୁବ ଭୋଟରମାନେ ମତ ଦେଉଛନ୍ତି।
ନୂଆପଡ଼ା କଲେଜରେ ପଢ଼ୁଥିବା କାଦୋମେରି ପଞ୍ଚାୟତ ଗୁଡାପତେରା ଗ୍ରାମର ଶୈଳେଶ ପଟେଲ ଚଳିତ ଉପନିର୍ବାଚନରେ ପ୍ରଥମ ଥର ଭୋଟ ଦେବେ। ସେ କୁହନ୍ତି ‘ଆମ ଅଞ୍ଚଳ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ। ମାତ୍ର ଆମେ ଏବେ ବି ଅବହେଳିତ ଓ ପଛୁଆ ହୋଇପଡିଛୁ। ବର୍ତ୍ତମାନ ଯେହେତୁ ଉପନିର୍ବାଚନ ହେଉଛି, ଏଥିରେ ଜଣେ ଉପଯୁକ୍ତ ବ୍ୟକ୍ତିଙ୍କୁ ମତଦାନ କରି ବିଜୟୀ କରାଇବୁ।’ ସେହିପରି ବେଲଟୁକୁରୀ ଗ୍ରାମର ନିଶାନ୍ତ ଚନ୍ଦ୍ରକାର, ଯିଏକି ନୂଆପଡ଼ା କଲେଜରେ ପଢ଼ନ୍ତି, ସେ କହିଛନ୍ତି, ‘ଆମ ଅଞ୍ଚଳରେ ଯେଉଁ କେତୋଟି ପ୍ରମୁଖ ସମସ୍ୟା ରହିଛି, ତାହା ମଧ୍ୟରେ ଦାଦନ, ବେରୋଜଗାର, ଶିକ୍ଷା ଓ ଯୋଗାଯୋଗର ଅଭାବ ଏବଂ ସରକାରୀ ଯୋଜନା ଅପହଞ୍ଚ ଆଦି ଅନ୍ତର୍ଭୁକ୍ତ। ମାତ୍ର ଏସବୁ ପ୍ରତି କୌଣସି ଦଳର ନଜର ପଡ଼ୁନାହିଁ। ତେଣୁ ଏସବୁ କାମ କରିପାରିବା ଭଳି ପ୍ରାର୍ଥୀଙ୍କୁ ହିଁ ଆମେ ମତଦାନ କରିବୁ।’
ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସମୁଦାୟ ମତଦାତାଙ୍କ ମଧ୍ୟରୁ ପ୍ରାୟ ୧୦ ହଜାରରୁ ଅଧିକ ଯୁବ ମତଦାତା। ୨୦୨୪ ନିର୍ବାଚନରେ ବିଜେଡିର ରାଜେନ୍ଦ୍ର ଢୋଲକିଆ ବିଜୟୀ ହୋଇଥିଲେ ମଧ୍ୟ ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ ସେତେବେଳର ସ୍ବାଧୀନ ପ୍ରାର୍ଥୀ ତଥା ବର୍ତ୍ତମାନର କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀଙ୍କଠାରୁ ପ୍ରାୟ ୧୦ ହଜାର ୮୮୧ ଖଣ୍ଡ ଅଧିକ ଭୋଟ ପାଇଥିଲେ। ବିଜୟୀ ଭୋଟ ବ୍ୟବଧାନ ଅଳ୍ପ ଥିବାରୁ ଏବଂ ଏବେ ଯୁବ ମତଦାତାଙ୍କ ସଂଖ୍ୟା ପ୍ରାୟ ୧୦ ହଜାର ଥିବାରୁ ସେମାନେ ଯେକୌଣସି ଦଳର ବିଜୟରେ ପ୍ରମୁଖ ଭୂମିକା ନେଇପାରନ୍ତି। ତେଣୁ ସବୁ ଦଳର ପ୍ରାର୍ଥୀ ଯୁବ ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରୁଥିବା ଲକ୍ଷ୍ୟ କରାଯାଉଛି।
ଟାନୱାଟ ଗ୍ରାମର ଜଣେ ଛାତ୍ର ପୂର୍ଣ୍ଣଚନ୍ଦ୍ର ଦୁରିଆ କୁହନ୍ତି, ‘ଆମ ଅଞ୍ଚଳରେ ଆହୁରି ସ୍କୁଲ, କଲେଜ ହେବା ଆବଶ୍ୟକ। ଶିକ୍ଷାକୁ ସୁଦୃଢ଼ କରାଇବାର ଆବଶ୍ୟକତା ରହିଛି। ଯିଏ ତୃଣମୂଳ ସ୍ତରର ଲୋକଙ୍କ କଥା ଶୁଣିବ, ଆମ ଭୋଟ ସିଏ ପାଇବେ।’ ଖରିଆର ରୋଡ୍‌ର ଯୁକ୍ତ୩ ଶେଷ ବର୍ଷର ଛାତ୍ରୀ ବର୍ଷା ରାଣା ଚଳିତ ନିର୍ବାଚନରେ ପ୍ରଥମ ଥର ମତଦାନ କରିବେ। ସେ ସ୍ଥାନୀୟ ଅଞ୍ଚଳର ସମସ୍ୟା କଥା କହିଛନ୍ତି। ତାଙ୍କ କହିବାନୁଯାୟୀ ତାଙ୍କ ଅଞ୍ଚଳରେ ପିଜି, ବିଏଡ ଭଳି ପାଠ୍ୟକ୍ରମ ପଢ଼ିବାର ସୁବିଧା ନାହିଁ। ସ୍କୁଲ ଓ କଲେଜର ଶିକ୍ଷାଦାନ ପ୍ରଣାଳୀ ଉଚ୍ଚମାନର ହୋଇପାରୁ ନାହିଁ। ଏସବୁ ନେତାମାନେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହା ସହିତ ସରକାର ଅନେକ ଲୋକାଭିମୁଖୀ ଯୋଜନା କରିଛନ୍ତି, ମାତ୍ର ଏହାର ସୁଫଳ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ଯୋଜନାର ଅଧା ଅନେକ ସମୟରେ ହରିଲୁଟ୍‌ ହୋଇଯାଉଥିବା ସେ କହିଛନ୍ତି। ଚଳିତ ନିର୍ବାଚନରେ ସେ ସ୍ଥାନୀୟ ଅଞ୍ଚଳର ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରିବେ ବୋଲି କହିଛନ୍ତି।
ଦୁମେରପାଣି ପଞ୍ଚାୟତର ସିଲଦା ଗ୍ରାମର ଜଣେ ଛାତ୍ରୀ କରିନା ପାଣ୍ଡେ କୁହନ୍ତି , ‘ଆମ ଜିଲାରେ ଅନେକ ପ୍ରତିଭାବାନ ପିଲା ଅଛନ୍ତି, ମାତ୍ର ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ସୁଯୋଗ ମିଳିପାରୁ ନାହିଁ। ଏହି ଅଞ୍ଚଳର ପ୍ରାୟ ୯୫ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରନ୍ତି, ମାତ୍ର ଆବଶ୍ୟକ ଜଳସେଚନର ସୁବିଧା କରାଯାଇନାହିଁ। ଏହାସହିତ ଅନେକ ନାମମାତ୍ର ଚାଷୀ ଅଟନ୍ତି। ସେମାନେ ଚାଷ କାମ ସରିଲେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଏହା ଆମ ଅଞ୍ଚଳ ପାଇଁ ସବୁଠୁ ବଡ଼ ସମସ୍ୟା।’ ଚଳିତ ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ଦଳକୁ ନୁହେଁ, ବ୍ୟକ୍ତିତ୍ୱକୁ ଦେଖି ମତଦାନ କରିବେ ବୋଲି ସେ ପ୍ରକାଶ କରିଛନ୍ତି। ସିଲଭା ପଞ୍ଚାୟତର ଲଖନା ଛିନ୍ଦପାଣିର ରଘୁରାମ ସିଂ ମାଝୀ ସୁନସୁନିଆ, ଦର୍ଲ୍ଲିମୁଣ୍ଡା ସ୍ଥିତ ମହାମାୟା ଶିକ୍ଷା ସଂସ୍ଥାରେ ବିବିଏ ପଢୁଛନ୍ତି। ସେ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଯୋଗାଯୋଗ (ନେଟୱର୍କ) ସମସ୍ୟା ଥିବା କହିଛନ୍ତି। ସେ କହୁନ୍ତି, ‘ନୂଆପଡ଼ାରେ ଶିଳ୍ପ ସ୍ଥାପନ କରି ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ପୂର୍ବ ସରକାର ଆମ ଅଞ୍ଚଳ ପାଇଁ ଅନେକ କାମ କରିଛନ୍ତି। ଧୀରେ ଧୀରେ ନୂଆପଡ଼ାର ବିକାଶ ହେଉଛି। ତେଣୁ ଯିଏ ବିକାଶର କଥା କହିବେ, ତାଙ୍କୁ ଆମେ ଭୋଟ ଦେବୁ।’
ଗୋଡ଼ଫୁଲାସ୍ଥିତ ଗୋପୀନାଥ କଲେଜ ଅଫ୍‌ ନର୍ସିଂରେ ପଢୁଥିବା ବେଲଟୁକୁରୀ ଅଞ୍ଚଳର ଭୀମକାନ୍ତ ଧରୁଆ ଚାଷୀଙ୍କ ସମସ୍ୟା କଥା କହିଛନ୍ତି। ଚାଷ ବେଳେ କୃତ୍ରିମ ସାରର ଅଭାବ, ମଣ୍ଡିରେ ଧାନ ବିକ୍ରି ବେଳେ ହେଉଥିବା ସମସ୍ୟା, କଟନିଛଟ୍‌ନି ଆଦି ସମସ୍ୟା ହେଉଥିବା କହିଛନ୍ତି। ସେ କହୁନ୍ତି ‘ଆମ ଅଞ୍ଚଳ ଏକ ଆଦିବାସୀ ପ୍ରବଣ। ନିର୍ବାଚନମଣ୍ଡଳୀରେ ପ୍ରାୟ ଅଧାରୁ ଅଧିକ ଆଦିବାସୀ ରହିଛନ୍ତି। ଆଦିବାସୀମାନଙ୍କ ଅଶିକ୍ଷାର ସୁଯୋଗ ନେଇ ସରକାରଙ୍କଠାରୁ ଆସୁଥିବା ଯୋଜନା ହରିଲୁଟ ହେଉଛି। ଯୋଜନା ଥିଲେ ମଧ୍ୟ ତାହା ଠିକ୍‌ ଭାବେ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ନିର୍ବାଚନମଣ୍ଡଳୀର ଆଦିବାସୀମାନଙ୍କ ପାଇଁ କାହାରି ଆନ୍ତରିକତା ନାହିଁ’ ବୋଲି ସେ କହିଛନ୍ତି। ଜଣେ ଆଦିବାସୀଙ୍କ ସପକ୍ଷରେ ତାଙ୍କର ମତଦାନ ହେବ ବୋଲି ସେ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମ ସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri