ଟରଣ୍ଟୋ,୨୯।୧୦: କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଗ୍ୟାଙ୍ଗ କାନାଡାର ଆବଟସଫୋର୍ଡରେ ଜଣେ ଭାରତୀୟ ବଂଶୋଦ୍ଭବ ଶିଳ୍ପପତିଙ୍କ ହତ୍ୟା ଏବଂ ଜଣେ ପଞ୍ଜାବୀ ଗାୟକଙ୍କ ଘରେ ଗୁଳିକାଣ୍ଡ ପାଇଁ ଦାୟୀ ବୋଲି ଦାବି କରିଛି।
ରାଜସ୍ଥାନ ପୋଲିସ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ସକ୍ରିୟ ସଦସ୍ୟ ଜଗଦୀପ ସିଂହ ଓରଫ ଜଗାଙ୍କୁ ଆମେରିକାରେ ଗିରଫ କରିବାର ଗୋଟିଏ ଦିନ ପରେ ଏହି ଦୁଇଟି ଘଟଣା ଘଟିଛି।
ଏକ ସୋସିଆଲ ମିଡିଆ ପୋଷ୍ଟରେ, ବିଷ୍ନୋଇ ଗ୍ୟାଙ୍ଗର ଗୋଲଡି ଢିଲୋନ କହିଛନ୍ତି ଯେ ଭାରତୀୟ ବଂଶୋଦ୍ଭବ ଶିଳ୍ପପତି ଦର୍ଶନ ସିଂହ ସାହାସିଙ୍କ ହତ୍ୟା ପଛରେ ତାଙ୍କ ଗ୍ୟାଙ୍ଗର ହାତ ଅଛି।
ଗ୍ୟାଙ୍ଗ ଦାବି କରିଛି ଯେ ସାହାସି ଏକ ପ୍ରମୁଖ ଡ୍ରଗ୍ସ ବ୍ୟବସାୟରେ ଜଡିତ ଥିଲା ଏବଂ ସେମାନଙ୍କଠାରୁ ଟଙ୍କା ଦାବି କରିଥିଲା। ଯେତେବେଳେ ସେମାନେ ଟଙ୍କା ପାଇଲେ ନାହିଁ, ଗ୍ୟାଙ୍ଗ ତାଙ୍କୁ ହତ୍ୟା କରିଥିଲା।
ପଞ୍ଜାବୀ ଗାୟକ ଚନ୍ନି ନଟ୍ଟନଙ୍କ ଘରେ ଗୁଳିକାଣ୍ଡ ପାଇଁ ମଧ୍ୟ ଗୋଲଡି ଦାୟୀ ବୋଲି ଦାବି କରିଛି। ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ ଲେଖିଛନ୍ତି, ‘ସତ ଶ୍ରୀ ଅକାଳ! ମୁଁ ଗୋଲ୍ଡି ଢିଲୋନ (ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ)। ଗତକାଲି ଗାୟକ ଚନ୍ନି ନଟ୍ଟନଙ୍କ ଘରେ ଗୁଳିକାଣ୍ଡ ହେବାର କାରଣ ହେଉଛି ସର୍ଦ୍ଦାର ଖେଡା।’
ଲରେନ୍ସ ଗେନ୍ସ ସଙ୍ଗୀତ ଶିଳ୍ପକୁ ଏକ କଡ଼ା ଚେତାବନୀ ଦେଇ କହିଛନ୍ତି, ‘ଭବିଷ୍ୟତରେ ସରଦାର ଖେଡାଙ୍କ ସହ କାମ କରୁଥିବା କିମ୍ବା ତାଙ୍କ ସହିତ କୌଣସି ସମ୍ପର୍କ ରଖିଥିବା ଯେକୌଣସି ଗାୟକ ସେମାନଙ୍କର କ୍ଷତି ପାଇଁ ସମ୍ପୂର୍ଣ୍ଣ ଦାୟୀ ରହିବେ। କାରଣ ଆମେ ସର୍ଦ୍ଦାର ଖେଡାଙ୍କୁ ବିପୁଳ କ୍ଷତି ପହଞ୍ଚାଇବୁ।’
Dharitri – The Largest & Most Trusted Odia Daily


