ଭୁବନେଶ୍ୱର,୨୪।୧୦: ବାତ୍ୟା ଉପରେ ପଶ୍ଚିମାଝଡ଼ର ପ୍ରଭାବକୁ ନେଇ ବିଶେଷଜ୍ଞ କରୁଛନ୍ତି ଆକଳନ । ପଶ୍ଚିମାଝଡ଼ ଆସିଲେ ଗତିପଥ ବଦଳାଇପାରେ ବାତ୍ୟା । ଏପରି ହେଲେ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା । ବଢ଼ି ଯାଇପାରେ ପବନର ଗତି । ସମୁଦ୍ର ପତନରେ ପାଣିପାଗ ଉପରେ ନଜର ରଖିଛନ୍ତି ବିଶେଷଜ୍ଞ ।
ପାଣିପାଗ ସଂସ୍ଥା ୱିଣ୍ଡିର ଆକଳନ ଅନୁସାରେ ବଙ୍ଗୋପସାଗର ରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ୨୮ ତାରିଖ ବେଳକୁ ସ୍ଥଳଭାଗ ଅତିକ୍ରମ କରିପାରେ । ଆନ୍ଧ୍ର ପ୍ରଦେଶର ବିଶାଖପାଟଣା ନିକଟ ଦେଇ ଅତିକ୍ରମ କରିପାରେ ଉପକୂଳ । ତେବେ ଲଘୁଚାପ ଅବପାତର ରୂପ ନେବା ପରେ ବାତ୍ୟାର ଗତିପଥ ସ୍ପଷ୍ଟ ହେବ ବୋଲି କହିଛି ଆଇଏମଡି । ପାଣିପାଗ ବିଶେଷଜ୍ଞମାନେ ମଧ୍ୟ ସମାନ ଆକଳନ କରିଛନ୍ତି।
ବାତ୍ୟା ପ୍ରଭାବରେ ଓଡ଼ିଶାରେ ୨୬ରୁ ୨୯ପର୍ଯ୍ୟନ୍ତ ବଡ଼ ବର୍ଷା ହୋଇପାରେ । ୨୬ ତାରିଖରେ ଦକ୍ଷିଣ, ଉପକୂଳ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବାର ଆଶଙ୍କା ରହିଛି । ୨୭ରେ ରାୟଗଡ଼ା, ଗଞ୍ଜାମ, ଗଜପତିକୁ ଅରେଞ୍ଜ ଆଲର୍ଟ । ୨୮ରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୨୯ରେ ଉତ୍ତର ଓଡ଼ିଶାରେ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ ।
ଅକ୍ଟୋବର ୨୮ ତାରିଖ (ବୁଧବାର) ସକାଳ ସାଢ଼େ ୮ଟାରୁ ଅକ୍ଟୋବର ୩୦ (ଗୁରୁବାର) ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଂଜାମ, ବାଲେଶ୍ବର, ମୟୂରଭଂଜ ଓ ଭଦ୍ରକ ଜିଲ୍ଲାକୁ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, ମାଲକାନଗିରି, କନ୍ଧାମାଳ, ରାୟଗଡ଼ା, କୋରାପୁଟ, ମୟୂରଭଂଜ, ଢେଙ୍କାନାଳ, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଓ ନବରଂଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

