ଭଞ୍ଜନଗର,୨୩ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାଲେରୀ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ସେ ତାଙ୍କ ଭାଷଣରେ କହିଥିଲେ ଯେ, ଛାତ୍ରୀଛାତ୍ରଙ୍କ ମଧ୍ୟରେ ଲୁକ୍କାୟିତ ଅବସ୍ଥାରେ ଥିବା ବିଭିନ୍ନ ପ୍ରତିଭାକୁ ଖୋଜି ବାହାର କରିବା ଲକ୍ଷ୍ୟ ନେଇ ସୁରଭି କାର୍ଯ୍ୟକ୍ରମ ହେଉଛି। ଏଠୁ ହିଁ ଅନେକ ପ୍ରତିଭାକୁ ଖୋଜି ବାହାର କରାଯାଇ ପାରୁଛି। ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ମଧ୍ୟ ଶିକ୍ଷାକ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ଼ ପାଇଁ ପଦକ୍ଷେପ ନିଆଯାଇଛି ବୋଲି ବିଧାୟକ ନାୟକ କହିଥିଲେ। ଏଥିସହ ସେ କହିଥିଲେ ଯେ, ଶିକ୍ଷକମାନେ ଯେଉଁ ଲକ୍ଷ୍ୟ ନେଇ ନିଯୁକ୍ତି ହୋଇଛନ୍ତି ସେମାନେ ସେମାନଙ୍କ କର୍ତ୍ତବ୍ୟ ପାଳନ କଲେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ। ଏଥିପ୍ରତି ଶିକ୍ଷକମାନେ ଦୃଷ୍ଟି ଦେବାକୁ ବିଧାୟକ ଉପସ୍ଥିତ ଶିକ୍ଷକଙ୍କୁ
ଆହ୍ବାନ କରିଥିଲେ। ଏଥିସହ ସେ କହିଥିଲେ ମୁଁ ବିଧାୟକ ନିର୍ବାଚିତ ହେବା ପୂର୍ବରୁ ଅନେକ ଶିକ୍ଷକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ରାଜନୀତି କରୁଥିଲେ। କିନ୍ତୁ ମୁଁ ନିର୍ବାଚିତ ହେବା ପରେ ଶିକ୍ଷାନୁଷ୍ଠାନରେ ରାଜନୀତି ପ୍ରବେଶକୁ ବିରୋଧ କରୁଛି। ଦିନ ଥିଲା ଆମେ ପାଠ ପଢ଼ିବା ବେଳେ ବିଦ୍ୟାଳୟ କୋଠାଗୁଡ଼ିକର ଅବସ୍ଥା ଭଲ ନ ଥିଲା। କ୍ଲାସରେ ବସିଥିବା ସମୟରେ ବର୍ଷା ପାଣି ଏବଂ ଖରା ପଡୁଥିଲା। ବେଳେବେଳେ ବର୍ଷା ପାଇଁ ବିଦ୍ୟାଳୟ ଛୁଟି ହୋଇଯାଉଥିଲା। ଆଜି କିନ୍ତୁ ସମୟ ବଦଳି ଯାଇଛି। ମୋ’ ନିର୍ବାଚନମଣ୍ଡଳୀର ସମସ୍ତ ବିଦ୍ୟାଳୟର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଇଛି।
ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ, ଭଞ୍ଜନଗର ଦିନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସ୍ବରାଜ କହଁର, ହରିଗଡ଼ ବିଦ୍ୟାଳୟ ପ୍ରଧାନଶିକ୍ଷକ ସରୋଜକାନ୍ତ ଶତପଥୀ, ଗାଲେରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ସୁମିତ୍ରା ଗୌଡ଼, ସମିତିସଭ୍ୟା ମାମାଜିନୀ ଗୌଡ଼ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କବି ସମ୍ରାଟ ବିଦ୍ୟାପୀଠ, କୁଲାଡର ଅଧ୍ୟକ୍ଷ ଗୌରୀ ନନ୍ଦନ ହୋତା ଅତିଥି ପରିଚୟ ପ୍ରଦାନ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ଉଷାରାଣୀ ସାମନ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସହକାରୀ ଶିକ୍ଷକ ସତ୍ୟ ନାରାୟଣ ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ।

