ଭୁବନେଶ୍ୱର,୨୩ା୧୦: ଆସନ୍ତା ୨୪ ତାରିଖରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଦକ୍ଷିଣପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାବେଳେ ଏହାର ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ଲାଗି ରହିବ। ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନାରୁ ଜଣାପଡ଼ିଛି।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଏଯାବତ୍ ରାଜ୍ୟରେ ସମ୍ଭାବ୍ୟ ବାତ୍ୟାର କୌଣସି ସୂଚନା ନାହିଁ। କିନ୍ତୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କାରଣରୁ ସାମୟିକ ଭାବେ ରାଜ୍ୟର କିଛି ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଶେଷ କରି ଉପକୂଳ ଓଡ଼ିଶାରେ କିଛି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ତଦନୁଯାୟୀ ଚାଷୀମାନଙ୍କୁ ପାଣିପାଗ ବିଭାଗର ପରାମର୍ଶକୁ ଅନୁପାଳନ କରିବା ପାଇଁ କୃଷି ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଅନୁରୋଧ କରିଛନ୍ତି।
ଚଳିତ ଖରିଫ ଋତୁରେ (ଜୁନ୍ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ) ରାଜ୍ୟରେ ୧୦୦ ପ୍ରତିଶତ ବର୍ଷା ସାଧାରଣ ଭାବେ ହୋଇଛି ଏବଂ ଏହି କାରଣରୁ ଭଲ ଫସଲ ଅମଳ ଆଶା କରାଯାଉଛି। ଚାଷୀମାନେ କୌଣସି ପ୍ରକାର ବିଭ୍ରାନ୍ତିକର ତଥ୍ୟ ଶୁଣି ଭୟଭୀତ ନ ହେବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆବଶ୍ୟକସ୍ଥଳେ ଚାଷୀମାନେ ୧୫୫୩୩୩ ନମ୍ବରରେ ଯୋଗାଯୋଗ କରିପାରିବେ କିମ୍ବା ନିକଟସ୍ଥ ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର/ କୃଷି ଅଧିକାରୀଙ୍କୁ ଯୋଗାଯୋଗ କରିପାରିବେ। ବୈଠକରେ ବହୁ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

