କ୍ୱାଣ୍ଟମ୍‌ ଟନେଲିଂ

ଅଣୁ ପରମାଣୁ ଭଳି କ୍ଷୁଦ୍ର ବସ୍ତୁଗୁଡ଼ିକର ଆଚରଣ ଆମେ ଦୈନନ୍ଦିନ ଜୀବନରେ ଦେଖୁଥିବା ପଦାର୍ଥଗୁଡ଼ିକର ଆଚରଣ ଠାରୁ ଅନେକ ପୃଥକ। ପୁନଶ୍ଚ ପାରମ୍ପରିକ ପଦାର୍ଥ ବିଜ୍ଞାନର ନିୟମ ସେଗୁଡ଼ିକ ଆଚରଣକୁ ବୁଝାଇବାରେ ଅସମର୍ଥ। ଗତ ଶତାବ୍ଦୀର ଆରମ୍ଭରେ ବିକଶିତ ହୋଇଥିବା କ୍ୱାଣ୍ଟମ୍‌ ପଦାର୍ଥ ବିଜ୍ଞାନର ଏ ସବୁର ଆଚରଣକୁ ବୁଝାଇଥାଏ। କ୍ୱାଣ୍ଟମ୍‌ ତତ୍ତ୍ୱର ଅନେକ ନିଷ୍କର୍ଷ ମଧ୍ୟରୁ ଗୋଟିଏ ହେଉଛି କ୍ୱାଣ୍ଟମ୍‌ ଟନେଲିଂ। ଅଣୁ, ପରମାଣୁଗୁଡ଼ିକର ଗତିପଥରେ ପ୍ରାଚୀର ସଦୃଶ କୌଣସି ପ୍ରତିବନ୍ଧକ ଆସିଲେ ସେମାନେ ସେଥିରେ ସୁଡ଼ଙ୍ଗ କରି ଆଗକୁ ଯାଇପାରନ୍ତି। ଏହାକୁ କ୍ୱାଣ୍ଟମ୍‌ ଟନେଲିଂ କୁହାଯାଏ।
ଇଂଲଣ୍ଡର ଜନ୍‌ କ୍ଲାର୍କ, ଫ୍ରାନ୍ସର ମାଇକେଲ ଡେଭୋରେଟ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଜନ୍‌ ମାର୍ଟିନିସ୍‌ ୧୯୮୪ ଓ ୧୯୮୫ ମସିହାରେ ଆମେରିକାର ବେର୍କେଲସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଗବେଷଣା ଓ ପରୀକ୍ଷା କରି ଦର୍ଶାଇଥିଲେ ଯେ, କୋଟିକୋଟି କ୍ଷୁଦ୍ର କଣିକାକୁ ନେଇ ଗଠିତ ଗୋଟିଏ ବଡ଼ ସିଷ୍ଟମ ମଧ୍ୟ ନିୟନ୍ତ୍ରିତ ଅବସ୍ଥାରେ କ୍ୱାଣ୍ଟମ୍‌ ଟନେଲିଂ ଆଚରଣ ଦେଖାଇଥାଏ। ଏହି ତିନିଜଣ ବୈଜ୍ଞାନିକଙ୍କୁ ଚଳିତ ବର୍ଷ ନିମିତ୍ତ ‘ବୈଦ୍ୟୁତିକ ପରିପଥରେ ମାକ୍ରୋସ୍କୋପିକ୍‌ କ୍ୱାଣ୍ଟମ୍‌ ଯାନ୍ତ୍ରିକ ଟନେଲିଂ ଏବଂ ଶକ୍ତି କ୍ୱାଣ୍ଟାକରଣ ଆବିଷ୍କାର’ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯିବା ପାଇଁ ରୟାଲ ସୁଇଡେନ ବିଜ୍ଞାନ ଏକାଡେମୀ ଘୋଷଣା କରିଛି। ଆବିଷ୍କାର ସମୟରେ ମାର୍ଟିନିସ୍‌ ପିଏଚ୍‌ଡି ଛାତ୍ର, ଡେଭୋରେଟ୍‌ ପୋଷ୍ଟ ଡକ୍ଟରାଲ ଛାତ୍ର ଏବଂ କ୍ଲାର୍କ ସେମାନଙ୍କର ପ୍ରଫେସର ତଥା ମାର୍ଗଦର୍ଶକ (ଗାଇଡ୍‌) ଥିଲେ।
କ୍ୱାଣ୍ଟମ୍‌ ଟନେଲିଂର ଇତିହାସ ହେଉଛି ଆହୁରି ପୁରୁଣା। ଇଂଲଣ୍ଡର ପଦାର୍ଥ ବିଜ୍ଞାନୀ ବ୍ରିଆନ୍‌ ଯୋସେଫସନ୍‌ ଦୁଇଟି ସୁପର କଣ୍ଟକ୍ଟର ମଝିରେ ଗୋଟିଏ ପତଳା ଇନ୍‌ସୁଲେଟର ରଖି ଗୋଟିଏ ବିଦ୍ୟୁତ୍‌ ପରିପଥ ନିର୍ମାଣ କରି ପରୀକ୍ଷା କରିଥିଲେ। ସୁପରକଣ୍ଡକ୍ଟରର କୌଣସି ବିଦ୍ୟୁତ୍‌ ପ୍ରତିରୋଧ ନ ଥାଏ। ସାଧାରଣ ପରିସ୍ଥିତିରେ ଯୋସେଫସନ୍‌ଙ୍କ ପରିପଥରେ ଇନ୍‌ସୁଲେଟର ଥିବାରୁ ବିଦ୍ୟୁତ୍‌ କରେଣ୍ଟ ପ୍ରବାହିତ ହେବ ନାହିଁ। ମାତ୍ର ଏଠାରେ କରେଣ୍ଟ ପ୍ରବାହିତ ହେଲା। ଏଠାରେ ଇନ୍‌ସୁଲେଟର ଭଳି ପ୍ରତିବନ୍ଧକ ଥିବା ସତ୍ତ୍ୱେ ସେଥିରେ ସୁଡ଼ଙ୍ଗ କରି ପରିପଥରେ ଇଲେକଟ୍ରନ୍‌ ପ୍ରବାହିତ ହେଲା। ଏହା ଥିଲା ଟନେଲିଂ ପ୍ରଭାବର ଆବିଷ୍କାର। ଏଣୁ କ୍ୱାଣ୍ଟମ୍‌ ଟନେଲିଂ ହେଉଛି ଏପରି ଏକ ଘଟଣା ଯେଉଁଥିରେ ଗୋଟିଏ ଶକ୍ତି ପ୍ରତିବନ୍ଧକକୁ ଅତିକ୍ରମ କରିବା ପାଇଁ କଣିକାର ଯଥେଷ୍ଟ ଶକ୍ତି ନ ଥିଲେ ସୁଦ୍ଧା ଏହା ପ୍ରତିବନ୍ଧକ ମଧ୍ୟ ଦେଇ ଯାଇପାରେ। ପାରମ୍ପରିକ ପଦାର୍ଥ ବିଜ୍ଞାନ ଅନୁସାରେ ଏହାକୁ ବୁଝିହୁଏ ନାହିଁ।
ଯୋସେଫସନ୍‌ ପ୍ରସ୍ତୁତ କରିଥିବା ପରିପଥ ସେଟ୍‌-ଅପ୍‌କୁ ‘ଯୋସେଫସନ ଜଙ୍କସନ୍‌’ କୁହାଯାଏ। ଏହାକୁ ବ୍ୟବହାର କରି ମୌଳିକ ଭୌତିକ ଧ୍ରୁବାଙ୍କ ଏବଂ ଚୁମ୍ବକୀୟ କ୍ଷେତ୍ରକୁ ସଠିକ୍‌ ଭାବେ ମାପ କରିହେଲା। ସେ ଏହାକୁ ୧୯୬୨ ମସିହାରେ ଆବିଷ୍କାର କରିଥିଲେ। ସେ ସେତେବେଳକୁ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପିଏଚଡି ଛାତ୍ର ଥିଲେ ଓ ତାଙ୍କୁ ୨୨ ବର୍ଷ ହୋଇଥିଲା। ଏହି ଆବିଷ୍କାର ପାଇଁ ତାଙ୍କୁ ୧୯୭୩ରେ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।
୨୦୦୩ ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିବା ବ୍ରିଟିଶ ଜନ୍ମିତ ଆମେରିକୀୟ ବୈଜ୍ଞାନିକ ଆଣ୍ଟୋନି ଲେଗେଟ୍‌ ପୂର୍ବାନୁମାନ କରିଥିଲେ ଯେ ଯୋସେଫସନ୍‌ ଜଙ୍କସନ୍‌ ପ୍ରକାରର ସେଟ୍‌-ଅପ୍‌ରେ ମାକ୍ରୋସ୍କୋପିକ୍‌ (ଅଣୁ, ପରମାଣୁ ଠାରୁ ବହୁତ ବଡ଼) ସ୍ତରରେ କ୍ୱାଣ୍ଟମ୍‌ ଆଚରଣକୁ ଦେଖିହେବ। ଏହି ପୂର୍ବାନୁମାନକୁ ପରୀକ୍ଷା ଦ୍ୱାରା ଦର୍ଶାଇବା ପାଇଁ ଚଳିତ ବର୍ଷର ତିନି ନୋବେଲ ବିଜ୍ଞାନୀ କାର୍ଯ୍ୟ କଲେ। ସେମାନେ ସେଣ୍ଟିମିଟର ଆକାରର ଗୋଟିଏ ଚିପ୍‌ରେ ଯୋସେଫସନ୍‌ ଜଙ୍କସନ୍‌ ଭଳି ଗୋଟିଏ ସେଟ୍‌-ଅପ୍‌ ବକ୍ସ ପ୍ରସ୍ତୁତ କଲେ, ମାତ୍ର କୌଣସି ପ୍ରକାର ବ୍ୟତିକରଣକୁ ଏଡାଇବା ପାଇଁ ସେମାନେ ଏହାକୁ ପରିବେଶଠାରୁ ଅଲଗା କରି ରଖିଲେ। ସେମାନେ ଦେଖିପାରିଲେ ଯେ, କେବଳ ପ୍ରବାହିତ ଇଲେକ୍‌ଟ୍ରନ୍‌ ନୁହେଁ, ବରଂ ସମଗ୍ର ପରିପଥ କ୍ୱାଣ୍ଟମ୍‌ ଆଚରଣ ପ୍ରଦର୍ଶନ କରୁଛି। ଏଠାରେ ସୁପରକଣ୍ଡକ୍ଟରର ସମସ୍ତ ଚାର୍ଜ କଣିକା ଗୋଟିଏ କଣିକା ଭଳି ଆଚରଣ ଦେଖାଇଲା।
ସେମାନେ ପୁନର୍ବାର ଦର୍ଶାଇଲେ ଯେ ପରିପଥରେ କରେଣ୍ଟ ଅବିରତ ପ୍ରବାହିତ ନ ହୋଇ ନିର୍ଦ୍ଦିଷ୍ଟ ବିବିକ୍ତ ଶକ୍ତିି ଅବସ୍ଥାରେ ଗତି କରୁଛି ଏବଂ ପ୍ରତ୍ୟେକ ଅବସ୍ଥାରେ କରେଣ୍ଟର ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ଅଛି। ଅର୍ଥାତ୍‌ ଏଥିରେ କରେଣ୍ଟ ପ୍ୟାକେଟ୍‌ ବା କ୍ୱାଣ୍ଟା ଭାବରେ ଗତି କରୁଛି। ଏହା ମଧ୍ୟ ହେଉଛି ଗୋଟିଏ କ୍ୱାଣ୍ଟମ୍‌ ଆଚରଣ। ଇନସୁଲେଟର ପ୍ରତିବନ୍ଧକ ଦେଇ ଏହି ବିବିକ୍ତ ଶକ୍ତି ଅବସ୍ଥା ମଧ୍ୟରେ କରେଣ୍ଟ ଲମ୍ଫ ପ୍ରଦାନ କରିପାରେ।
ନୋବେଲ ବିଜ୍ଞାନୀମାନଙ୍କର ଏହି ଆବିଷ୍କାର କ୍ୱାଣ୍ଟମ୍‌ ବିଜ୍ଞାନକୁ ବୁଝିବା ପାଇଁ ସାହାଯ୍ୟ କଲା। ଏଥିରୁ କ୍ୱାଣ୍ଟମ୍‌ ବିଟ୍‌ ବା କ୍ୟୁବିଟ୍‌ ନିର୍ମାଣ ହେଲା ଯାହା ହେଉଛି କ୍ୱାଣ୍ଟମ୍‌ କମ୍ପ୍ୟୁଟରର ସୂଚନା ଏକକ। କ୍ୱାଣ୍ଟମ୍‌ କମ୍ପ୍ୟୁଟର ବର୍ତ୍ତମାନ ନିର୍ମାଣାଧୀନ ଅବସ୍ଥାରେ ଅଛି ଏବଂ ଏହାର ଗଣନ କ୍ଷମତା ଗୋଟିଏ ସୁପର କମ୍ପ୍ୟୁଟରର ଗଣନ କ୍ଷମତାର ଅନେକ ଗୁଣ ହେବ।
ଜନ୍‌ କ୍ଲାର୍କ ଇଂଲଣ୍ଡର କେମ୍ବ୍ରିଜ ଠାରେ ୧୯୪୨ ମସିହାରେ ଜନ୍ମଗ୍ରହଣ କରିଛନ୍ତି ଏବଂ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ, ସ୍ନାତକତ୍ତୋର ଏବଂ ପିଏଚଡି ଡିଗ୍ରୀ ଲାଭ କରିଛନ୍ତି। ସେ ବର୍ତ୍ତମାନ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ପ୍ରଫେସର ଅଛନ୍ତି।
ମାଇକେଲ ଡେଭୋରେଟ୍‌ ୧୯୫୩ ମସିହାରେ ଫ୍ରାନ୍ସର ପ୍ୟାରିସରେ ଜନ୍ମଗ୍ରହଣ କରିଛନ୍ତି। ସେ ପ୍ୟାରିସର ଇକୋଲେ ନ୍ୟାଶନାଲ ସୁପରିୟରରୁ ସ୍ନାତକ ଡିଗ୍ରୀ ଏବଂ ପ୍ୟାରିସ ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ଲାଭ କରିଛନ୍ତି। ସେ ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକାର ୟାଲେ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନରେ ପ୍ରଫେସର ଏଲିଗେଟସ୍‌ ଅଛନ୍ତି।
ଜନ୍‌ ମାର୍ଟିନିସ୍‌ ଯୁକ୍ତରାଷ୍ଟ୍ର ଆମେରିକାରେ୧୯୫୮ ମସିହାରେ ଜନ୍ମଗ୍ରହଣ କରିଛନ୍ତି। ସେ ବେର୍କେଲେସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଓ ପିଏଚଡି ଡିଗ୍ରୀ ଲାଭ କରିଛନ୍ତି। ସେ ବର୍ତ୍ତମାନ ଆମେରିକାର ସାନ୍ତା ବାର୍ବରାସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ପ୍ରଫେସର ଅଛନ୍ତି।
ତିନି ନୋବେଲ ବିଜ୍ଞାନୀ ମୋଟ ପୁରସ୍କାର ରାଶି ୧୧ ମିଲିୟନ ସୁଇଡେନ୍‌ କ୍ରୋନର (ପ୍ରାୟ ୧୦.୪ କୋଟି ଟଙ୍କା)କୁ ସମାନ ଭାବରେ ବାଣ୍ଟି ନେବେ। ସେମାନଙ୍କୁ ଚଳିତ ବର୍ଷର ଡିସେମ୍ବର ୧୦ ତାରିଖରେ ନୋବେଲ ପୁରସ୍କାରss ପ୍ରତିଷ୍ଠାତା ଆଲଫ୍ରେଡ ନୋବେଲଙ୍କ ମୃତ୍ୟୁବାର୍ଷିକୀରେ ସ୍ବିଡେନ୍‌ର ଷ୍ଟକହୋମ୍‌ଠାରେ ପ୍ରଦାନ କରାଯିବ।

ଇଂ.ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର,
ଫେଜ୍‌-୧, ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri