ମାଲକାନଗିରି/ଖଇରପୁଟ,୮ା୧୦(ଦୁର୍ଯ୍ୟୋଧନ ପାତ୍ର/ଜଗନ୍ନାଥ ମାଝି): ବୟସ ମାତ୍ର ୧୦ ବର୍ଷ। ଜୀବନ କ’ଣ ଭଲ ଭାବେ ଜାଣିନାହାନ୍ତି। ମୋବାଇଲ ଦେଖିବାକୁ ଜିଦ୍ ଧରିଲେ। ବାପା ମନା କରିବାରୁ ଏଥିରେ ଉତ୍କ୍ଷିପ୍ତ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣା ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ଗୋବିନ୍ଦପାଲି ଢେପସାହିରୁ ସାମ୍ନାକୁ ଆସିଛି। ମୃତା ହେଲେ ଢେପସାହି ବାସିନ୍ଦା ଅର୍ଜୁନ କିର୍ସାନୀଙ୍କ ଝିଅ ରୂପାଲୀ। ସୂଚନାନୁଯାୟୀ, ସୋମବାର ରାତିରେ ରୂପାଲୀ ବାପାଙ୍କୁ ମୋବାଇଲ ମାଗିଥିଲେ। ଅର୍ଜୁନ ଝିଅଙ୍କୁ ମୋବାଇଲ ଦେବାକୁ ମନା କରିଦେଇଥିଲେ। ଏଥିରେ ସେ ରାଗିଯାଇ ଏକ ରୁମ୍ରେ ନିଜକୁ ବନ୍ଦ କରି ଦେଇଥିଲେ। ମା’ବାପା ଏହାକୁ ଅଣଦେଖା କରି ଶୋଇବାକୁ ଚାଲିଯାଇଥିଲେ। ଅର୍ଜୁନ ଘର ବାହାରେ ଶୋଇଥିବା ବେଳେ ତାଙ୍କ ସ୍ତ୍ରୀ ଅନ୍ୟ କୋଠରିରେ ଶୋଇଥିଲେ। ଏହାପରେ ବିଳମ୍ବିତ ରାତିରେ ରୂପାଲୀ ଦୁଆରବନ୍ଧରେ ଗାମୁଛା ବାନ୍ଧି ଝୁଲିପଡ଼ିଥିବା ଅନୁମାନ କରାଯାଉଛି। ମଙ୍ଗଳବାର ଭୋର ୪ଟାରେ ଝିଅଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଅର୍ଜୁନ ଉଦ୍ଧାରକରି ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମାଥିଲି ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ଏ ନେଇ ନଂ.୪୯/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁକରିଛି। ମାଥିଲି ଥାନାଧିକାରୀ ପଦ୍ମନ ପୂଜାରି ଘଟଣାର ତଦନ୍ତ କରୁଛନ୍ତି।
Dharitri – Odisha’s No.1 Trusted Odia Daily


