ପାଟଣା,୨୮ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଖଡ଼ିକାପଦା ପଞ୍ଚାୟତ ଗୋହିରା ସାହି ଜଙ୍ଗଲ ନିକଟରେ ଥିବା ମହୁଲ ଗଛରୁ ରବିବାର ସକାଳୁ ପାଟଣା ପୋଲିସ ଜଣେ ୧୯ ବର୍ଷୀୟା ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ବିଦ୍ୟାଧର ମୁଣ୍ଡାଙ୍କ ସ୍ତ୍ରୀ ଜାନକୀ। ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡ଼ି ନ ଥିବା ବେଳେ ଘଟଣାସ୍ଥଳରେ ପାଟଣା ଥାନାଧିକାରୀ ମାନସ କୁମାର ମହାକୁଡ଼ ଏସ୍ଆଇ ଲକ୍ଷ୍ମଣ ମାଝୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ବିଦ୍ୟାଧରଙ୍କ ସୂଚନା ଅନୁଯାୟୀ, ଜାନକୀ ବାପଘରକୁ ଯିବାକୁ ଗାଡ଼ିଭଡ଼ା ପାଇଁ ଟଙ୍କା ମାଗିବାରୁ ରବିବାର ଘରୁ ରାଗି ଚାଲି ଯାଇଥିଲେ। ଅନ୍ୟପକ୍ଷରେ ଜାନକୀଙ୍କ ମା’ ଅଭିଯୋଗ କରିଛନ୍ତି ଯେ, ତାଙ୍କର ଝିଅଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରି ଗଛରେ ଝୁଲାଇ ଦେଇ ଆତ୍ମହତ୍ୟାର ରୂପ ଦିଆଯାଇଛି।

