ଧର୍ମଶାଳା ୨୫।୯(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲା ୧୬ ଜାତୀୟ ରାଜପଥ ବୁଦ୍ଧଛକଠାରୁ ଧର୍ମଶାଳା ବଜାର ଦେଇ ବ୍ରାହ୍ମଣୀ ନଦୀବନ୍ଧ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଛି। ୪ ଥାକିଆ ରାସ୍ତା ପାଇଁ ଦୀର୍ଘ ଦିନ ହେବ କାମ ଆରମ୍ଭ ହୋଇଥିଲେ ମଧ୍ୟ ଏହା ଶେଷ ହେବାର ନାଁ ଧରୁ ନାହିଁ। ଫଳରେ ଶାନ୍ତିବଜାରଠାରୁ ଛକ ପର୍ଯ୍ୟନ୍ତ ରାସ୍ତା ବିପଦ ପୂର୍ଣ୍ଣ ଭାବେ ରହିଛି। ଏନେଇ ଯାତାୟତରେ ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।
ରାସ୍ତା ମଝିରେ ଡିଭାଇଡର ନିର୍ମାଣ କରି ଠିକାଦାର ବସିପଡି ଥିବା ବେଳେ ରାସ୍ତାର ପିଚୁ ଖୋଲାହୋଇ ଯାଇଛି। ଏନେଇ ରାସ୍ତାରେ ଖାଲ ଖମା ସୃଷ୍ଟି ହୋଇଛି। ବର୍ତ୍ତମାନ ବର୍ଷା ହେବାରୁ ଛୋଟ ଛୋଟ ଚିପ୍ସ, ଗୋଡ଼ି ରାସ୍ତା ଉପରେ ଉଠି ଯାଇଛି। ଯାହାକି ଖାଲି ପାଦରେ ଯିବା ସମ୍ଭବ ହେଉନାହିଁ।
ଏପରିକି ସକାଳ ଭ୍ରମଣରେ ଯାଉଥିବା ଲୋକେ ରକ୍ତାକ୍ତ ହୋଇ ଫେରିବାକୁ ପଡ଼ୁଥିବା କହିଛନ୍ତି। ରାସ୍ତାରେ ଖାଲ ଯୋଗୁ ବାଇକ୍ ଓ ସାଇକେଲ ଆରୋହୀ ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।
ଅନ୍ୟପକ୍ଷେ ରାତିରେ କୌଣସି ଲାଇଟ ବ୍ୟବସ୍ଥା ହୋଇ ନ ଥିବା ବେଳେ ରାସ୍ତା କାର୍ଯ୍ୟ ଚାଲୁଥିବା ନେଇ କୌଣସି ସର୍ତକ ସୂଚନା ଦିଆଯାଇ ନାହିଁ। ଦୈନିକ ସକାଳୁ ଛୋଟ ଛୋଟ ପିଲାମାନେ ଏହି ରାସ୍ତା ଦେଇ ପାଠ ପଢିବାକୁ ଯିବା ବେଳେ ରାସ୍ତାରେ ହୋଇଥିବା ଖାଲ ଯୋଗୁ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏଥିପ୍ରତି ସ୍ଥାନୀୟ ବିଧାୟକ ଏବଂ ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।


