ଧର୍ମଶାଳା,୮।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଜେଡି ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଆଗକୁ ବିଜେଡି ଗଡ ଭୁଷୁଡି ଯିବ ବୋଲି ଆଲୋଚନା ଜୋର୍ ଧରିଛି। ନିର୍ବାଚନ ପରଠାରୁ ମିଶ୍ରଣ ପ୍ରକ୍ରିୟା ମାଧ୍ୟମରେ ବିଜେଡି କର୍ମୀମାନେ ଆସି ଭାଜପାରେ ସାମିଲ ହେଉଛନ୍ତି। ଆସନ୍ତା ୧୦ ତାରିଖ ଦିନ ଏକ ବଡ଼ ମିଶ୍ରଣ ପର୍ବ ପାଇଁ ପ୍ରସ୍ତୁତି ଜୋର୍ ସୋର ଚାଲିଛି। ନିର୍ବାଚନ ମାହୋଲ ପରି ପଞ୍ଚାୟତ ଓ ଗାଁ ଗାଁରେ କର୍ମୀମାନଙ୍କ ମଧ୍ୟରେ ଘନଘନ ବୈଠକ ଦେଖିବାକୁ ମିଳୁଛି। ଗତ ମାସରେ ୭୫ରୁ ଊଦ୍ଧର୍ବ ସରପଞ୍ଚ ଓ ସମିତି ସଭ୍ୟ ବିଜେଡି ଶିବିର ଛାଡ଼ି ବିଧାୟକ ହିମାଂଶୁ ସାହୁଙ୍କ ଶିବିରରେ ସାମିଲ ହେବା ପରେ ବ୍ଳକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ବାଧ୍ୟ ହୋଇ ଅନାସ୍ଥା ଭୋଟିଂ ପୂର୍ବରୁ ନିଜ ପଦବିରୁ ଇସ୍ତଫା ଦେଇଥିଲେ। ଦଳରେ ସାମିଲ ହୋଇ ଥିବା ଜନ ପ୍ରତିନିଧିଙ୍କ ସମର୍ଥକମାନେ ଆସନ୍ତା ୧୦ ତାରିଖ ରେ ମଧ୍ୟ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଶିବିରରେ ସାମିଲ ହେବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ୫୦ହଜାରରୁ ଊର୍ଦ୍ଧ୍ୱକର୍ମୀମାନଙ୍କୁ ନେଇ ସଭା ଆୟୋଜନ କରାଯିବ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତି ରହିବେ ବୋଲି ମଧ୍ୟ ସୂଚନା ମିଳିଛି। ଅନ୍ୟପଟେ ବିଜେଡି ଦଳର ବହୁ ଟାଣୁଆ ନେତା କର୍ମୀ , ସଭାପତି, ସରପଞ୍ଚ , ସମିତି ସଭ୍ୟ ମାନେ ମଧ୍ୟ ହିମାଂଶୁଙ୍କ ଶିବିରରେ ସାମିଲ ହେବେ ବୋଲି ବିଧାୟକ କହିଛନ୍ତି ଏବଂ ଧର୍ମଶାଳାରୁ ବିଜେଡି ଦଳ ସମ୍ପୂର୍ଣ୍ଣ ସଫା ହୋଇ ଯିବ ବୋଲି ଜୋରଦାର ଆଲୋଚନା ଚାଲିଛି।


