ଘରୁ ଦୂରାନ୍ତୁ ଝିଟିପିଟି ଝିଟିପିଟି ପ୍ରାୟ ଅଧିକାଂଶଙ୍କ ଘରେ ଥିବା ଦେଖିବାକୁ ମିଳିଥାଏ। କେହି କେହି ଏହାକୁ ଦେଖିଲେ ଭୟ ମଧ୍ୟ କରିଥାନ୍ତି। ଯଦି ଆପଣଙ୍କ ଘରେ ବି ଅଧିକ ଝିଟିପିଟି ଅଛନ୍ତି ଏବଂ ତାଙ୍କୁ ନ ମାରି ଘରୁ ବାହାର କରିବାକୁ ଚାହାନ୍ତି ତେବେ ଜାଣିରଖନ୍ତୁ କେତୋଟି ସହଜ ଉପାୟ…
କର୍ପୂରର ଗନ୍ଧ ଝିଟିପିଟିକୁ ପସନ୍ଦ ନୁହେଁ। ତେଣୁ ୪ଟି କର୍ପୂରକୁ ଗୁଣ୍ଡକରି ୧୫୦ମି.ଲି. ପାଣିରେ ମିଶାନ୍ତୁ। ସେଥିରେ ଅଳ୍ପ ଡେଟଲ ମିଶାଇ ସ୍ପ୍ରେ ବଟଲରେ ରଖି ଘରର ସବୁ କାନ୍ଥରେ ସ୍ପ୍ରେ କରନ୍ତୁ, ଝିଟିପିଟି କିମ୍ବା ଅନ୍ୟ ପୋକ ମଧ୍ୟ ଆସିବେ ନାହିଁ।
ଯଦି କେମିକାଲ ବ୍ୟବହାର ପସନ୍ଦ ନୁହେଁ ତେବେ ପିଆଜ ଏବଂ ରସୁଣ ଆପଣଙ୍କ ପାଇଁ ସବୁଠୁ ସହଜ ପ୍ରାକୃତିକ ଉପାୟ। ଗୋଟିଏ ବଡ଼ ପିଆଜକୁ କାଟି ଦିଅନ୍ତୁ। ସେଥିରେ ଗୋଟିଏ ରସୁଣର ୧୦-୧୨ କୋଲା ମିଶାଇ ଗ୍ରାଇଣ୍ଡ କରିଦିଅନ୍ତୁ। ଏହାକୁ ଏକ କପଡ଼ାରେ ଚିପୁଡି ରସ ବାହାର କରନ୍ତୁ। ସେଥିରେ ସମ ପରିମାଣର ପାଣି ମିଶାଇ ସ୍ପ୍ରେ ବଟଲ୍ରେ ରଖି ଘରେ ସ୍ପ୍ରେ କରନ୍ତୁ। ଏହାର ତୀବ୍ର ଗନ୍ଧରେ ଘରୁ ଝିଟିପିଟି ଚାଲିଯିବେ।
ସେହିପରି ପିପରମିଣ୍ଟ ଅଏଲ ୧୦-୧୫ ଟୋପା ନେଇ ପାଣିରେ ମିଶାଇ ସ୍ପ୍ରେ ବଟଲ୍ରେ ରଖି ଝିଟିପିଟି ହେଉଥିବା ସ୍ଥାନରେ ସ୍ପ୍ରେ କରନ୍ତୁ ଦେଖିବେ ଝିଟିପିଟି ଆଉ ଆସିବେ ନାହିଁ।
ଘରର ବିଭିନ୍ନ ସ୍ଥାନରେ ଅଣ୍ଡା ଖୋଳ ରଖିଲେ ବି ଝିଟିପିଟି ଘରକୁ ଆସି ନ ଥାନ୍ତି। ଝିଟିପିଟି ନ ଆସିବା ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଘରକୁ ସଫା ରଖିବା। ତେଣୁ ନିୟମିତ ସମୟ ଅନ୍ତରାଳରେ ଘରର ଛାତ, ଆଲମିରା ଓ କପ୍ବୋର୍ଡ ପଛପଟ, ବିଭିନ୍ନ ଫର୍ନିଚରର ପଛପଟ ଆଦିକୁ ସଫା କରନ୍ତୁ।


