ଅତାବିରା,୧୦ା୭(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ହିର୍ଲିପାଲି ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗତ ୫ଦିନ ମଧ୍ୟରେ ୬୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୭ଜଣଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେଥିରୁ ୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ୩ଜଣ ଲଳିତ ସାହୁ(୬୨), ସମାରୁ ଅଡ଼ା (୬୩) ଏବଂ କୁନି ମହାନନ୍ଦ(୧୮) ବୁର୍ଲା ଭିଏସ୍ଏସ୍ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବୁଧବାର ୬ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ ହେଲେ ଚିତ୍ରା ମହାନନ୍ଦ(୭), ବୁଇ ସାହୁ(୮୦), ଅର୍ଚ୍ଚନା ଛୁରିଆ (୧୫), ଲକ୍ଷ୍ମୀପ୍ରିୟା ଭୋଇ(୭), ସୁରେଶ୍ୱରୀ ପ୍ରଧାନ(୭୦), ରାସେଶ୍ୱରୀ ପ୍ରଧାନ(୭୦)। ଏମାନଙ୍କୁ ଗ୍ରାମର ମନ୍ଦିରପଡ଼ା ବ୍ଲକ ଘରେ ତିଆରି ହୋଇଥିବା ଅସ୍ଥାୟୀ କ୍ୟାମ୍ପକୁ ଅଣାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡା. ସୀମାରାଣୀ ନନ୍ଦ କହିଛନ୍ତି।
ବରଗଡ଼ ସିଡିଏମ୍ଓ, ଗ୍ରାମ୍ୟ ଜଳଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଆଶା, ସ୍ବାସ୍ଥ୍ୟକର୍ମୀ ଘରକୁ ଘର ବୁଲି ସଚେତନ କରାଇବା ସହ ଔଷଧ ଦେଉଛନ୍ତି ଏବଂ ବ୍ଲିଚିଂ ପାଉଡର ସିଞ୍ଚନ କରୁଛନ୍ତି। ପଞ୍ଚାୟତ ପକ୍ଷରୁ ୫ଟି ଏବଂ ଆଶା କର୍ମୀମାନେ ୨ଟି ଖଟର ବ୍ୟବସ୍ଥା କରିଥିବା ସରପଞ୍ଚ କବିତା ସାହୁ କହିଛନ୍ତି। ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ରବିନାରାୟଣ ମିଶ୍ର ଗ୍ରାମରେ ସ୍ଥିତି ସୁଧୁରୁଥିବା କହିଛନ୍ତି। ଏହା ପାନୀୟ ଜଳ ଯୋଗୁ ସଂକ୍ରମଣ ହୋଇଥାଇପାରେ ବୋଲି ସେ କହିଛନ୍ତି। ଆବଶ୍ୟକ ଔଷଧ ମହଜୁଦ ରହିଛି। ଗ୍ରାମର ଯୁବକମାନେ ସହଯୋଗ କରୁଥିବା ମଧ୍ୟ ମିଶ୍ର ପ୍ରକାଶ କରିଛନ୍ତି।
ବିଭିନ୍ନ ସ୍ଥାନରେ ପାଇପ୍ ଫାଟିଥିବା ଏବଂ ଦୂଷିତ ପାଣି ପାଇପ୍ରେ ପଶି ତାହାକୁ ବ୍ୟବହାର ଯୋଗୁ ଏପରି ସମସ୍ୟା ଦେଖାଦେଇଛି ବୋଲି ଗ୍ରାମବାସୀ କହିଛନ୍ତି। ଗ୍ରାମରେ ଥିବା ନଳକୂପଗୁଡ଼ିକରେ ନାଲିଆ ପାଣି ବାହାରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଆଗକୁ ସଂକ୍ରମଣ ଯେମିତି ଅଧିକ ନ ହୁଏ, ଏଥିପାଇଁ ଶୀଘ୍ର ସ୍ଥାୟୀ ପ୍ରତିକାର କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ତେବେ ଝାଡ଼ାବାନ୍ତିର କାରଣ ଜଣାପଡ଼ିନଥିବା ବେଳେ ପାଣିର ନମୁନା ପରୀକ୍ଷା ପାଇଁ ନିଆଯାଇଛି ବୋଲି ଅତାବିରା ଗ୍ରାମ୍ୟ ଜଳଯୋଗାଣ ବିଭାଗ ଯନ୍ତ୍ରୀ ସାଇମନ ଟପୋ କହିଛନ୍ତି।


