Posted inଜାତୀୟ

ଲୋକ ସଭା ପରେ ରାଜ୍ୟ ସଭାରେ ଓ୍ବକ୍‌ଫ ବିଲ୍‌ ପାରିତ: ସପକ୍ଷରେ ୧୨୮, ବିରୋଧରେ ୯୫

ନୂଆଦିଲ୍ଲୀ,୪ା୪(ପି.ଟି./ଏଜେନ୍ସି):୨୦୨୪ ଲୋକ ସଭା ନିର୍ବାଚନ ପରେ ଭାଜପାର ଆସନ ସଂଖ୍ୟା ପୂର୍ବାପେକ୍ଷା ଊଣା ହୋଇଛି। କିନ୍ତୁ ଶାସକ ଦଳ ସଂସଦରେ ନିଜ ଶକ୍ତି ବଜାୟ ରଖିଛି। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ବହୁଚର୍ଚ୍ଚିତ ତଥା ବିବାଦୀୟ ଓ୍ବକ୍‌ଫ (ସଂଶୋଧନ) ବିଲ୍‌, ୨୦୨୫କୁ ସଂସଦରେ ପାରିତ କରାଇବାରେ ସଫଳ ହେବା ଏହାକୁ ପ୍ରମାଣିତ କରିଛି। ମୁସଲମାନ ସମ୍ପ୍ରଦାୟର ଦାନ ସମ୍ପତ୍ତି ପରିଚାଳନାରେ ସଂସ୍କାର ଆଣିବା ସକାଶେ ଉଦ୍ଦିଷ୍ଟ ଏହି ବିଧେୟକ ଲୋକ ସଭାରେ ଗୃହୀତ ହେବାର ଦିନକ ପରେ ଗୁରୁବାର ରାଜ୍ୟ ସଭାର ଅନୁମୋଦନ ଲାଭ କରିଛି। ଉଚ୍ଚ ସଦନରେ ବିଲ୍‌ ସପକ୍ଷରେ ୧୨୮ ଭୋଟ ପଡ଼ିଥିବାବେଳେ ବିରୋଧୀ ଦଳଗୁଡ଼ିକର ୯୫ ସଦସ୍ୟ ଏହା ବିରୋଧରେ ମତଦାନ କରିଛନ୍ତି। ଏବେ ଚୂଡ଼ାନ୍ତ ମୋହର ପାଇଁ ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଯିବ। ରାଷ୍ଟ୍ରପତି ବିଧେୟକରେ ସ୍ବାକ୍ଷର କରିବା ପରେ ଏହା ଆଇନରେ ପରିଣତ ହେବ।

ଓ୍ବକ୍‌ଫ (ସଂଶୋଧନ) ବିଧେୟକ, ୨୦୨୫ ମୁସଲମାନମାନଙ୍କ ଅଧିକାରଗୁଡ଼ିକୁ ଛଡ଼ାଇନେବ ବୋଲି ବିରୋଧୀ ଆଣୁଥିବା ଅଭିଯୋଗକୁ ଗୁରୁବାର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ଖଣ୍ଡନ କରିିଥିଲେ। ଲୋକ ସଭାରେ ଓ୍ବକ୍‌ଫ (ସଂଶୋଧନ) ବିଲ୍‌ ପାରିତ ହେବାର ଦିନକ ପରେ ରାଜ୍ୟ ସଭାରେ ଉକ୍ତ ବିଧେୟକକୁ ଆଗତ କରି ରିଜିଜୁ କହିଥିଲେ, ଏହା ଏକ ସମାବେଶୀ ବିଲ୍‌। ଏଥିରେ ମୁସଲିମ ମହିଳାଙ୍କ ସଶକ୍ତୀକରଣ ଲକ୍ଷ୍ୟ ରଖାଯାଇଛି। ସେହିପରି ମୁସଲମାନ ସମ୍ପ୍ରଦାୟର ସବୁ ବର୍ଗଙ୍କ ଅଧିକାର ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ଲୋକ ସଭାରେ ବୁଧବାର ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବିତର୍କ ଚାଲିବା ପରେ ବିଳମ୍ବିତ ରାତିରେ ଓ୍ବକ୍‌ଫ ସଂଶୋଧନ ବିଲ୍‌ ୨୮୮-୨୩୨ ଭୋଟରେ ପାରିତ ହୋଇଥିଲା। ଉଚ୍ଚ ସଦନରେ ବିଲ୍‌କୁ ବିରୋଧ କରି କେତେଜଣ ବିପକ୍ଷ ସଦସ୍ୟ କଳା ବ୍ୟାଚ୍‌ ପରିଧାନ କରିଥିଲେ। ବିଲ୍‌ ଆଗତ କରି ରିଜିଜୁ କହିଥିଲେ, ଏଥିରେ ଓ୍ବକ୍‌ଫ ସମ୍ପତ୍ତି ପରିଚାଳନାରେ ସ୍ବଚ୍ଛତା, ଉତ୍ତରଦାୟିତ୍ୱ ଓ ଦକ୍ଷତା ଉପରେ ଗୁରୁତ୍ୱ ଦିଆଯାଇଛି। କେବଳ ମୁସଲମାନମାନେ ‘ଓ୍ବକିଫ୍‌’ ହୋଇପାରିବେ। କେନ୍ଦ୍ରୀୟ ଓ୍ବକ୍‌ଫ କାଉନ୍‌ସିଲର ସଂଖ୍ୟାଗରିଷ୍ଠ ସଦସ୍ୟ ଅଣମୁସଲିମ ହେବା ପ୍ରଶ୍ନ ଉଠୁନାହିଁ। ୨୦୦୪ରେ ୪.୯ ଲକ୍ଷ ଓ୍ବକ୍‌ଫ ସମ୍ପତ୍ତି ଥିବାବେଳେ ବର୍ତ୍ତମାନ ଏହା ୮.୭୨ ଲକ୍ଷରେ ପହଞ୍ଚତ୍ଛି। ପୂର୍ବ ସରକାରଗୁଡ଼ିକ ଅମଳରେ ଯେଉଁ କାର୍ଯ୍ୟ ବାକି ରହିଯାଇଥିଲା, ସେଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ନୂଆ ବିଲ୍‌ ଅଣାଯାଇଥିବା ଦର୍ଶାଇ ଏହାକୁ ଗୃହୀତ କରାଇବା ଲାଗି ରିଜିଜୁ ବିରୋଧୀ ଦଳଗୁଡ଼ିକର ସହଯୋଗ ଲୋଡ଼ିଥିଲେ। ପ୍ରାୟ ୧୪ ଘଣ୍ଟା ଧରି ବିତର୍କ ଚାଲିବା ପରେ ବିଧେୟକକୁ ଉଚ୍ଚ ସଦନର ମଞ୍ଜୁରୀ ମିଳିଥିବା ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକର ରାତି ୨ଟା ୩୩ ମିନିଟ୍‌ରେ ଘୋଷଣା କରିଥିଲେ।
ରାଜ୍ୟ ସଭାରେ ବର୍ତ୍ତମାନ ସଦସ୍ୟଙ୍କ ସଂଖ୍ୟା ୨୩୬। ବିଲ୍‌ ପାରିତ ହେବା ପାଇଁ ୧୧୯ ଭୋଟ ଆବଶ୍ୟକ ଥିବାବେଳେ ଏନ୍‌ଡିଏ ସଦସ୍ୟଙ୍କ ସଂଖ୍ୟା ୧୧୭ ରହିଛି। ତେବେ ୨ ଜଣ ମନୋନୀତ ଓ ୬ ସ୍ବାଧୀନ ସଦସ୍ୟଙ୍କୁ ମିଶାଇଲେ ଏନ୍‌ଡିଏର ସଂଖ୍ୟାବଳ ହେଉଛି ୧୨୫। ସେମାନଙ୍କ ମଧ୍ୟରୁ ଭାଜପାର ୯୮, ଜେଡିୟୁ ୪, ଅଜିତ୍‌ ପାଓ୍ବାରଙ୍କ ଏନ୍‌ସିପିର ୩, ଟିଡିପି ୨ ଏବଂ ଅନ୍ୟ ୧୦ ଛୋଟ ସହଯୋଗୀ ଦଳର ଜଣେ ଲେଖାଏ ସଦସ୍ୟ ରହିଛନ୍ତି। ଅନ୍ୟପକ୍ଷେ ଇଣ୍ଡିଆ ବ୍ଲକ୍‌ର ସଦସ୍ୟ ସଂଖ୍ୟା ହେଉଛି ୮୮। ସେମାନଙ୍କ ମଧ୍ୟରୁ କଂଗ୍ରେସର ୨୭ ସଦସ୍ୟ ଥିବାବେଳେ ଟିଏମ୍‌ସିର ୧୩, ଡିଏମ୍‌କେ ୧୦, ଆପ୍‌ ୧୦, ଆର୍‌ଜେଡି ୫, ଏସ୍‌ପି ୪, ସିପିଆଇଏମ୍‌ ୪ ଏବଂ ଜେଏମ୍‌ଏମ୍‌ର ୩ ସଦସ୍ୟ ରହିଛନ୍ତି। ଏମାନଙ୍କ ବ୍ୟତୀତ ବିଜେଡିର ୭, ଓ୍ବାଇଏସ୍‌ଆର୍‌ସିପିର ୭ ସମେତ ଅଣଏନ୍‌ଡିଏ ଏବଂ ଅଣଇଣ୍ଡିଆ ଦଳଗୁଡ଼ିକର ସଦସ୍ୟଙ୍କ ସଂଖ୍ୟା ହେଉଛି ୨୩। ବିଲ୍‌ ଗୃହୀତ କରାଇବାରେ ଏଭଳି ସଦସ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା କୁହାଯାଉଛି।
ବିରୋଧୀଙ୍କ ପକ୍ଷରୁ ପ୍ରଥମେ କଂଗ୍ରେସ ସଦସ୍ୟ ସୟେଦ ନାସିର ହୁସେନ ବକ୍ତବ୍ୟ ରଖିବାକୁ ସୁଯୋଗ ପାଇଥିଲେ। ନାସିର କହିଥିଲେ, ମୁସଲମାନ ସମ୍ପ୍ରଦାୟକୁ ଟାର୍ଗେଟ କରିବା ପାଇଁ ଉଦ୍ଦିଷ୍ଟ ଏହି ବିଲ୍‌ ଅସାମ୍ବିଧାନିକ। ଭାଜପା ନିଜ ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତାବିତ ଆଇନକୁ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ଓ ସମାଜରେ ଧ୍ରୁବୀକରଣ ଲାଗି ବ୍ୟବହାର କରୁଛି। ଯୁଗ୍ମ ସଂସଦୀୟ କମିଟି (ଜେପିସି)ରେ ଥିବା ବିରୋଧୀ ସଦସ୍ୟଙ୍କ କୌଣସି ପ୍ରସ୍ତାବକୁ ଏଥିରେ ସାମିଲ କରାଯାଇ ନାହିଁ। ବରଂ ମୁସଲମାନମାନଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକରେ ପରିଣତ କରିବା ନେଇ ସବୁ ବ୍ୟବସ୍ଥା ଏଥିରେ କରାଯାଇଛି।
ବିରୋଧୀ ଦଳଗୁଡ଼ିକ ଉକ୍ତ ବିଲ୍‌କୁ ସଂଖ୍ୟାଲଘୁଙ୍କୁ ଟାର୍ଗେଟ ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ ଆଣିଥିବାବେଳେ ପରବର୍ତ୍ତୀ ସମୟରେ ବିରୋଧୀ ଏକତାରେ ଫାଟ ଦେଖାଦେଇଥିଲା। ପୂର୍ବରୁ ବିଜେଡି ବିଲ୍‌ ବିରୋଧରେ ଭୋଟ ଦେବ ବୋଲି କହିଥିଲା। କିନ୍ତୁ ପରେ ବିଜେଡି ହୁଇପ୍‌ ଜାରି ନ କରିବାକୁ ନିଷ୍ପତ୍ତି ନେଇଥିଲା। ବିଜେଡି ସଦସ୍ୟମାନେ ନିଜ ବିବେକାନୁମୋଦିତ ଭୋଟ ଦେଇପାରିବେ ବୋଲି ଦଳ ପକ୍ଷରୁ କୁହାଯାଇଥିଲା। ଦଳର ଆଭିମୁଖ୍ୟରେ ଏପରି ପରିବର୍ତ୍ତନ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ରାଜ୍ୟ ସଭାରେ ଗୃହର ନେତା ଜେ.ପି. ନଡ୍ଡା ବିଲ୍‌ ସପକ୍ଷରେ ମତ ରଖି କହିଥିଲେ, ୨୦୧୩ରେ ଉପା ସରକାର ଅମଳରେ ଗଠିତ ଜେପିସିରେ ମାତ୍ର ୧୩ ସଦସ୍ୟ ରହିଥିଲେ। ମୋଦି ସରକାରଙ୍କ ଯୁଗ୍ମ ସଂସଦୀୟ କମିଟିରେ ୩୧ ସଦସ୍ୟ ରହିଛନ୍ତି। କଂଗ୍ରେସ ମୁସଲମାନ ମହିଳାଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକରେ ପରିଣତ କରିଦେଇଥିଲା। କିନ୍ତୁ ମୋଦି ସରକାର ତିନି ତଲାକ୍‌ ପ୍ରଥାକୁ ନିଷିଦ୍ଧ କରି ସେମାନଙ୍କୁ ମୁଖ୍ୟସ୍ରୋତକୁ ଆଣିଛନ୍ତି। ଗୃହର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ଏହାର ଜବାବରେ କହିଥିଲେ, ସରକାର ଓ୍ବକ୍‌ଫ ସଂଶୋଧନ ବିଲ୍‌ ଜରିଆରେ ସଂଘର୍ଷର ମଞ୍ଜି ବୁଣି ମୁସଲମାନମାନଙ୍କୁ ଦମନ କରିବାକୁ ଉଦ୍ୟମ ଚଳାଇଛନ୍ତି। ଭାଜପା ନେତୃବୃନ୍ଦ ମୁସଲମାନମାନଙ୍କ ସମ୍ପତ୍ତି ଛଡ଼ାଇ ନେଇ ନିଜ କର୍ପୋରଟ ବନ୍ଧୁମାନଙ୍କୁ ହସ୍ତାନ୍ତର କରିବାକୁ ଚାହୁଁଛନ୍ତି। ଶାସକ ଦଳ ଦେଶରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ନଷ୍ଟ ନ କରୁ। କଂଗ୍ରେସ ଅଧ୍ୟକ୍ଷ ଖାର୍ଗେ ଆହୁରି କହିଥିଲେ, ସରକାର ଏହି ତ୍ରୁଟିପୂର୍ଣ୍ଣ ବିଧେୟକକୁ ସମ୍ମାନର ପ୍ରସଙ୍ଗ ନ କରି ପ୍ରତ୍ୟାହାର କରି ନିଅନ୍ତୁ। ଭାଜପା ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବା ପରଠୁ ସଂଖ୍ୟାଲଘୁଙ୍କ ମଙ୍ଗଳ ପାଇଁ ଆବଣ୍ଟିତ ୧୮,୨୭୪ କୋଟି ଟଙ୍କାରୁ ମାତ୍ର ୩,୫୭୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଅବଶିଷ୍ଟ ଅର୍ଥ ରାଜକୋଷକୁ ଫେରିଯାଇଥିବା ଖାର୍ଗେ ସମାଲୋଚନା କରିଥିଲେ। ସମାଜବାଦୀ ପାର୍ଟି (ଏସ୍‌ପି) ସଦସ୍ୟ ରାମଗୋପାଳ ଯାଦବ ବିତର୍କରେ ଭାଗନେଇ କହିଥିଲେ, ସରକାର ସବୁ ଧର୍ମକୁ ସମ୍ମାନ ଦେବା ଜରୁରୀ। ଭାରତକୁ ଏକଚ୍ଛତ୍ରବାଦୀ ରାଷ୍ଟ୍ରରେ ପରିଣତ ହେବାକୁ ଦିଆ ନ ଯାଉ। ଉଭୟ ଏନ୍‌ଡିଏ ଏବଂ ଇଣ୍ଡିଆ ବ୍ଲକ୍‌ର ସଦସ୍ୟମାନେ ବିତର୍କରେ ଭାଗନେବା ପରେ ଶେଷରେ ବିଳମ୍ବିତ ରାତିରେ ମତଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ନିକଟତର..ପୁଣି ବିଶ୍ୱରେ ଚହଳ ପକାଇଲା ଟ୍ରମ୍ପଙ୍କ ମନ୍ତବ୍ୟ

ଓ୍ବାଶିଂଟନ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମିଛ ଦାବି କରିଛନ୍ତି। ସେ ୨୦୨୫ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ...

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ମୋ ସ୍ବାମୀ ମୋତେ ମାରିଦେବେ….କାହିଁକି ଏମିତି କହିଲେ ମହାକାଶଚାରୀ ସୁନିତା ୱିଲିୟମ୍ସ

ନୂଆଦିଲ୍ଲୀ,୨୧।୧: ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଭାରତରେ ଅଛନ୍ତି। ସେ ଦିଲ୍ଲୀରେ ସ୍ବର୍ଗତ କଳ୍ପନା ଚାୱଲାଙ୍କ ୯୦ ବର୍ଷୀୟା ମାଆଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ଦୁହେଁ...

ଟଙ୍କା ଅନୁମୋଦନ ପରେ ଯୁକ୍ତ ୨ ପାଇଁ ମିଳିଲା ଅନୁମତି: ଅଞ୍ଚଳବାସୀଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

ଭଞ୍ଜନଗର,୨୧।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆଉ ଏକ ଖୁସି ଖବର ପହଞ୍ଚିଛି। କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ୧୫ ବର୍ଷ ପରେ...

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

ତାମିଲନାଡୁ ବିଧାନସଭାରୁ ରାଜ୍ୟପାଳଙ୍କ କକ୍ଷତ୍ୟାଗ

ଚେନ୍ନାଇ,୨୧ା୧: ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉଦ୍‌ବୋଧନ ନ ଦେଇ ଚାଲିଯାଇଛନ୍ତି। ବିନା ଭାଷଣରେ କକ୍ଷତ୍ୟାଗ କରିବା ରାଜ୍ୟପାଳ ରବିଙ୍କ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri