ରାଚୀ,୧୧ା୩: ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦୀ ଜାତୀୟ ଟି୨୦ ଦଳକୁ ଅଲରାଉଣ୍ଡର ଶଦାବ ଖାନ୍ଙ୍କ ପ୍ରତ୍ୟାବର୍ତ୍ତନ ଉପରେ ପ୍ରଶ୍ନ ଉଠାଇବା ସହ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ପାକିସ୍ତାନ କ୍ରିକେଟ ଆଇସିୟୁରେ ଥିବା କହିଛନ୍ତି। ଗତ ଟି୨୦ ବିଶ୍ୱକପ୍ଠାରୁ ଜାତୀୟ ଦଳରୁ ବାଦ୍ ପଡ଼ିଥିବା ଶଦାବଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଲାଗି ଘୋଷିତ ପାକିସ୍ତାନ ଟି୨୦ ଦଳର ଉପଅଧିନାୟକ କରାଯାଇଛି। ସଲମାନ ଅଲୀ ଆଘାଙ୍କୁ ଦଳର ନେତୃତ୍ୱଭାର ଦିଆଯାଇଛି। ଘରୋଇ କ୍ରିକେଟରେ ତାଙ୍କ ପ୍ରଦର୍ଶନ କେଉଁଭଳି ରହିଛି, ତାଙ୍କୁ ପୁଣିଥରେ କାହିଁକି ଚୟନ କରାଯାଇଛି, ତାହା ବୁଝାପଡ଼ୁନାହିଁ। ଯେତେବେଳେ ଏକ ବଡ଼ ଇଭେଣ୍ଟ ଆସେ, ଆମେ ପ୍ରସ୍ତୁତି ସମ୍ପର୍କରେ କଥା ହେଉ। ଆମେ ଯେତେବେଳେ ଫ୍ଲପ୍ ହୋଇଯାଉ, ଆମେ ସର୍ଜରି ସମ୍ପର୍କରେ କଥା ହେଉ। ସତକଥା ହେଲା, ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି କାରଣରୁ ପାକିସ୍ତାନ କ୍ରିକେଟ ବର୍ତ୍ତମାନ ଆଇସିୟୁରେ ଅଛି। ଆମ ବୋର୍ଡର ନିଷ୍ପତ୍ତି ଓ ନୀତିରେ କୌଣସି ସ୍ଥିରତା ନାହିଁ। ଆମେ ନେତୃତ୍ୱ, କୋଚ୍ ଓ ଦଳରେ କିଛି ଖେଳାଳିଙ୍କୁ ପରିବର୍ତ୍ତନ କରୁ। କିନ୍ତୁ ବୋର୍ଡ ଅଧିକାରୀଙ୍କ ଉତ୍ତରଦାୟିତ୍ୱ କ’ଣ ବୋଲି ଆଫ୍ରିଦୀ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।
ଏତଦ୍ବ୍ୟତୀତ ସେ ପ୍ରକାଶ କରିଛନ୍ତି ଯେ, ଯଦି ଆମ ଅଧିନାୟକ ଓ କୋଚ୍ଙ୍କ ଉପରେ ସର୍ବଦା ଖଣ୍ଡା ଝୁଲିବ, ତେବେ ଆମ କ୍ରିକେଟ କେଉଁଭଳି ଉନ୍ନତି କରିବ। ବର୍ତ୍ତମାନ ପିସିବି ଦାୟିତ୍ୱରେ ଥିବା ମହସିନ ନକ୍ଭି ଜଣେ ସକାରାତ୍ମକ ବ୍ୟକ୍ତି। କିନ୍ତୁ ସତକଥା ହେଲା, ତାଙ୍କୁ କ୍ରିକେଟ ବିଷୟରେ ଅଧିକ କିଛି ଜଣାନାହିଁ। ସେ ପାକିସ୍ତାନ ପାଇଁ ଭଲ କରିବାକୁ ଚାହୁଁଛନ୍ତି। କିନ୍ତୁ ଶେଷରେ ସେ ଅନ୍ୟଙ୍କ ପରାମର୍ଶ ଉପରେ ନିର୍ଭର କରନ୍ତି। ମୁଁ ତାଙ୍କୁ କହିଛି ଯେ, ସେ ଏକାଥରକେ ୩ଟି କାର୍ଯ୍ୟ କରିପାରିବେ ନାହିଁ। ତାଙ୍କୁ ଗୋଟିଏ ଦାୟିତ୍ୱକୁ ପ୍ରାଥମିକତା ଦେବା ଦରକାର। ପିସିବି ଚେୟାରମ୍ୟାନ ହେବା ଏକ ଫୁଲଟାଇମ କାର୍ଯ୍ୟ।


