ପ୍ରୟାଗରାଜ,୭ା୩:ହିନ୍ଦୁଧର୍ମର ସର୍ବବୃହତ୍ ଧର୍ମୀୟ ମେଳା ମଧ୍ୟରୁ ଅନ୍ୟତମ ମହାକୁମ୍ଭ ମେଳା ୪୫ ଦିନ ଧରି ଗତ ଜାନୁଆରୀ ୧୩ରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ତେବେ ଏହି ମହାକୁମ୍ଭ ମେଳାରେ ଅନେକ ଲୋକ ବିଭିନ୍ନ ବ୍ୟବସାୟ ମାଧ୍ୟମରେ ବହୁ ରୋଜଗାର କରିଛନ୍ତି ବୋଲି ଉତ୍ତରପ୍ରଦେଶ ବିଧାନସଭାରେ ବଜେଟ ଅଧିବେଶନକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର କହିଥିଲେ, ଏହି ଅବସରରେ ଯୋଗୀ ପିଣ୍ଟୁ ମହାରା ନାମକ ଜଣେ ନାଉରିଙ୍କ କାହାଣୀକୁ ବଖାଣି କହିଥିଲେ, ପିଣ୍ଟୁଙ୍କ ପରିବାର ମହାକୁମ୍ଭ ମେଳାର ୪୫ ଦିନ ମଧ୍ୟରେ ଯାତ୍ରୀମାନଙ୍କୁ ବୋଟ୍ ଯୋଗେ ନେବାଆଣିବା କରି ୩୦ କୋଟି ଟଙ୍କାର ରୋଜଗାର କରିଛନ୍ତି। ଏହାପରଠାରୁ ପିଣ୍ଟୁଙ୍କୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ପ୍ରୟାଗରାଜର ତ୍ରିବେଣୀ ସଙ୍ଗମ ଉପକୂଳବର୍ତ୍ତୀ ଅରୈଲ ଗ୍ରାମର ପିଣ୍ଟୁ ଗୁରୁବାର ଗଣମାଧ୍ୟମକୁ କହିଛନ୍ତି, ମହାକୁମ୍ଭ ମେଳା ଆରମ୍ଭ ହେବା ପୂର୍ବରୁ ସେ ନେଇଥିବା ଏକ ନିଷ୍ପତ୍ତି ତାଙ୍କୁ ଏହି ସଫଳତା ଆଣି ଦେଇଛି। ୨୦୧୯ରେ ପ୍ରୟାଗରାଜରେ ଆୟୋଜିତ କୁମ୍ଭମେଳାରେ ମଧ୍ୟ ପିଣ୍ଟୁ ଲୋକଙ୍କୁ ବୋଟ୍ ଯୋଗେ ନେବାଆଣିବା କରୁଥିଲେ। ତେବେ ଉକ୍ତ କୁମ୍ଭମେଳାଠାରୁ ୨୦୨୫ର ମହାକୁମ୍ଭ ମେଳାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟାରେ ଅନେକ ଗୁଣାରେ ବୃଦ୍ଧି ପାଇବ ବୋଲି ସେ ଅନୁମାନ ଲଗାଇଥିଲେ। ତେଣୁ ମହାକୁମ୍ଭ ପୂର୍ବରୁ ସେ ନିଜ ପରିବାର ପାଇଁ ୭୦ଟି ବୋଟ୍ କିଣିଥିଲେ। ଏହାପୂର୍ବରୁ ପିଣ୍ଟୁ ଏବଂ ତାଙ୍କର ଶତାଧିକ ସଦସ୍ୟ ବିଶିଷ୍ଟ ପରିବାର ନିକଟରେ ୬୦ଟି ବୋଟ୍ ରହିଥିଲା। ଏହିପରି ଭାବେ ପିଣ୍ଟୁ ମହାକୁମ୍ଭରେ ନିଜ ପରିବାରର ବ୍ୟବସାୟ ତଥା ଲୋକଙ୍କର ସୁବିଧା ପାଇଁ ୧୩୦ଟି ବୋଟ୍ ଲଞ୍ଚ କରିଥିଲେ। ପିଣ୍ଟୁ କହିଛନ୍ତି, ମହାକୁମ୍ଭ ମେଳା ପାଇଁ ୭୦ଟି ବୋଟ୍ କିଣିବା ନିମନ୍ତେ ତାଙ୍କ ପରିବାରର ମହିଳାମାନେ ନିଜର ଅଳଙ୍କାରଗୁଡ଼ିକୁ ବିକ୍ରି କରିବା ସହ ବନ୍ଧକ ରଖିଥିଲେ। ୭୦ଟି ବୋଟ୍ କିଣିବା ନିଷ୍ପତ୍ତି ତାଙ୍କ ପାଇଁ ଏକ ଜୁଆ ସଦୃଶ ଥିଲା, ଯାହା ଏବେ ସଫଳ ହୋଇଛି ବୋଲି ପିଣ୍ଟୁ କହିଛନ୍ତି। ଏହି ମହାକୁମ୍ଭ କେବଳ ତାଙ୍କର ନୁହଁ ତାଙ୍କ ଭଳି ଅନେକ ନାବିକଙ୍କ ଜୀବନ ବଦଳାଇଥିବା ସେ କହିଛନ୍ତି। ଏହି ବ୍ୟବସାୟିକ ଲାଭ ପାଇଁ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ତେବେ ମହାକୁମ୍ଭ ସମୟରେ ସ୍ଥାନୀୟ ନାଉରୀମାନଙ୍କୁ ଶୋଷଣ କରାଯାଇଥିବା ନେଇ ସମାଜବାଦୀ ପାର୍ଟି(ଏସ୍ପି)ର ଅଭିଯୋଗକୁ ପିଣ୍ଟୁ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ, ୨୦୦୯ରେ ଅରୈଲର ଏକ ଡବଲ ମର୍ଡର ମାମଲାରେ ପିଣ୍ଟୁ ଅଭିଯୁକ୍ତ ଥିବା ନେଇ ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ତାଙ୍କ ବିରୋଧରେ ହତ୍ୟା ଏବଂ ହତ୍ୟା ଉଦ୍ୟମ ପରି ଅନେକ ସଙ୍ଗିନ ମାମଲା ରୁଜୁ ହୋଇଥିବା ଏହି ରିପୋର୍ଟ କହିଛି।


