ନୂଆଦିଲ୍ଲୀ,୧୨।୧: ଯଦି ଆପଣ ମଧ୍ୟ ୨୦ ବର୍ଷ ପୁରୁଣା ମୋଟରସାଇକେଲ କିମ୍ବା କାର୍ର ମାଲିକ, ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। ପ୍ରକୃତରେ, ସରକାର ଏପରି ଯାନବାହନକୁ ନିୟନ୍ତ୍ରଣ କରିବା ପାଇଁ ଏକ ନୂତନ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି। ଏହା ଅଧୀନରେ ଆପଣଙ୍କୁ ପୁରୁଣା ଯାନଗୁଡ଼ିକୁ ପୁନଃପଞ୍ଜିକରଣ କରିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ସଡ଼କ ପରିବହନ ମନ୍ତ୍ରଣାଳୟ ଦ୍ୱାରା ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରାଯାଇଛି।
ସଡ଼କ ପରିବହନ ମନ୍ତ୍ରଣାଳୟର ଯୋଜନା ଅନୁଯାୟୀ, ଯଦି ଆପଣଙ୍କର ୨୦ ବର୍ଷରୁ ଅଧିକ ପୁରୁଣା ଦୁଇଚକିଆ ଗାଡ଼ି ଅଛି, ତେବେ ଆପଣଙ୍କୁ ଏହାର ନୂଆ ପଞ୍ଜିକରଣ ପାଇଁ ୨୦୦୦ ଟଙ୍କା ଏବଂ ୨୦ ବର୍ଷରୁ ପୁରୁଣା କାର ପାଇଁ ୧୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ସେହି ସମୟରେ ତିନି ଚକିଆ ଯାନ ପାଇଁ ୫୦୦୦ ଟଙ୍କା ଦେୟ ଦେବାକୁ ପଡିବ।
ପୁରୁଣା ବାଣିଜି୍ୟକ ଯାନବାହନକୁ ନିୟନ୍ତ୍ରଣ କରିବା ପାଇଁ ସରକାର ମଧ୍ୟ ବ୍ୟବସ୍ଥା କରିଛନ୍ତି। ଏହି ଡ୍ରାଫ୍ଟ ଅନୁଯାୟୀ, ୧୫ ବର୍ଷରୁ ପୁରୁଣା ମଧ୍ୟମ ଏବଂ ଭାରୀ ବାଣିଜ୍ୟିକ ଯାନବାହନ ସଂଖ୍ୟା ହ୍ରାସ କରିବା ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ଯଦି ବାଣିଜ୍ୟିକ ଯାନ ୧୫ ବର୍ଷ ପୁରୁଣା ତେବେ ମଧ୍ୟମ ଯାନ ପାଇଁ ୧୨,୦୦୦ ଟଙ୍କା ଏବଂ ଭାରୀ ଯାନ ପାଇଁ ୧୮,୦୦୦ ଟଙ୍କା ଦେବାକୁ ପଡିବ। ସେହିପରି ଯଦି ଆପଣ ୨୦ ବର୍ଷ ପରେ ପଞ୍ଜିକରଣ ନବୀକରଣ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଦୁଇଗୁଣ ଖର୍ଚ୍ଚ କରିବାକୁ ପଡିବ। ଅର୍ଥାତ୍ ଏକ ମଧ୍ୟମ ବାଣିଜ୍ୟିକ ଯାନ ପାଇଁ ୨୫୦୦୦ ଟଙ୍କା ଏବଂ ଏକ ଭାରୀ ଯାନ ପାଇଁ ୩୬,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।


