ସମାଜରେ ଏଭଳି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ନିଜ କଥା ଚିନ୍ତା ନ କରି ଅନ୍ୟମାନଙ୍କ ମଙ୍ଗଳ ପାଇଁ କାମ କରନ୍ତି। ଠିକ୍ ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଡ. କ୍ରାନ୍ତି ମିଶ୍ରା। ମଧ୍ୟପ୍ରଦେଶ ସତନା ଜିଲାରେ ଥିବା ଶହୀଦ ପଦମଧର ସିଂହ କଲେଜର ହିନ୍ଦୀ ପ୍ରଫେସର ଭାବେ ସେ କାମ କରନ୍ତି, କିନ୍ତୁ ସମାଜସେବା ପାଇଁ ଜୀବନକୁ ସମର୍ପିତ କରିଦେଇଛନ୍ତି। ଚାକିରିକାଳର ସମସ୍ତ ରୋଜଗାରକୁ ସେ ସମାଜସେବାର ବିଭିନ୍ନ କାମରେ ଖର୍ଚ୍ଚକରି ଦେଉଛନ୍ତି। ଏବେ ସୁଦ୍ଧା ସେ ୪୦ ଜଣ ଯୁବତୀଙ୍କୁ ବିବାହ କରାଇ ସାରିଲେଣି ଓ ୬୦ରୁ ଅଧିକ ଛାତ୍ରଙ୍କ ପାଠପଢା ଖର୍ଚ୍ଚ ବହନ କରି ସେମାନଙ୍କୁ ଆତ୍ମନିର୍ଭର କରିସାରିଲେଣି। ଏହା ବ୍ୟତୀତ ସ୍ବଚ୍ଛତା ଅଭିଯାନ, ନିଶାମୁକ୍ତି ଆନ୍ଦୋଳନ, ମହିଳା ସାକ୍ଷରତା ତଥା ଗମନାଗମନ ସୁବିଧା ଆଦି ପାଇଁ ମଧ୍ୟ ସେ ବିଭିନ୍ନ ସଂସ୍ଥା ମାଧ୍ୟମରେ କାମ କରୁଛନ୍ତି। ବିଭିନ୍ନ ରାଲି ଆୟୋଜନ କରି ଘର ଘର ବୁଲି ଲୋକଙ୍କୁ ସଚେତନ କରାଇଥାନ୍ତି। ସମାଜ ସୁଧାର ପାଇଁ ଯାହା ଆବଶ୍ୟକ ସେସବୁ କରିବା ଲାଗି ସେ ଅନ୍ୟମାନଙ୍କୁ ପ୍ରେରଣା ଦେଉଛନ୍ତି। ତାଙ୍କ ମତରେ ସମାଜ ଓ ପରିବେଶ ଭଲ ରହିଲେ ହିଁ ସମସ୍ତଙ୍କ ଜୀବନ ସୁଖଶାନ୍ତିରେ କଟିପାରିବ। ପିଲାବେଳୁ ସେ ତାଙ୍କ ବାପାଙ୍କଠାରୁ ଶିଖି ଏହି କାମ କରି ଆସୁଛନ୍ତି।


