ନୂଆଦିଲ୍ଲୀ,୨୩।୧: ରଣଜୀ ଟ୍ରଫି ୨୦୨୪-୨୫ ସିଜିନରେ ଲିଗ୍ ପର୍ଯ୍ୟାୟର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏଥିରେ ରୋହିତ ଶର୍ମା, ରିଷଭ ପନ୍ତ, ଶୁଭମନ ଗିଲ ଭଳି ଷ୍ଟାର ଖେଳାଳିମାନେ ଖବର ଶିରୋନାମା ପାଲଟିଛନ୍ତି। ବିସିସିଆଇର ନିର୍ଦ୍ଦେଶକ୍ରମେ ଟିମ ଇଣ୍ଡିଆର ଏହି ଅଭିଜ୍ଞ ଖେଳାଳିମାନଙ୍କୁ ରଣଜୀ ଟ୍ରଫିକୁ ଫେରିବାକୁ ପଡିଛି। ସମସ୍ତଙ୍କ ଧ୍ୟାନ ଏହି ପ୍ରସିଦ୍ଧ ଖେଳାଳିମାନଙ୍କ ଉପରେ ଥିଲାବେଳେ, ଜଣେ ୧୬ ବର୍ଷୀୟ ବାଳକ ଏକ ଚକିତ କଲାଭଳି ରେକର୍ଡ ସୃଷ୍ଟି କରିଛି। ସେ ହେଲେ ଅଙ୍କିତ ଚାଟାର୍ଜୀ, ଯିଏ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିଛନ୍ତି।
ରଣଜୀ ଟ୍ରଫିର ଗ୍ରୁପ ପର୍ଯ୍ୟାୟ ଗୁରୁବାର, ଜାନୁଆରୀ ୨୩ ତାରିଖରୁ ପୁଣି ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍ରେ ପଶ୍ଚିମବଙ୍ଗର କଲ୍ୟାଣୀରେ ବଙ୍ଗ ଏବଂ ହରିୟାଣା ଦଳ ମୁହାଁମୁହିଁ ହୋଇଥିଲେ। ପ୍ରଥମ ଦିନରେ ବଙ୍ଗୀୟ ବୋଲରମାନେ ବିପର୍ଯ୍ୟୟ ଘଟାଇ ପ୍ରଥମ ଇନିଂସରେ ହରିୟାଣାକୁ ମାତ୍ର ୧୫୭ ରନରେ ଅଲଆଉଟ୍ କରିଦେଇଥିଲେ। ପଶ୍ଚିମବଙ୍ଗ ବୋଲରଙ୍କ ଏହି ସଫଳତା ପୂର୍ବରୁ ଅଙ୍କିତ ଚାଟାର୍ଜୀ ଏକ ସ୍ବତନ୍ତ୍ର ରେକର୍ଡ କରିଥିଲେ। ମଇଦାନକୁ ଓହ୍ଲାଇବା ମାତ୍ରେ ଅଙ୍କିତ ପଶ୍ଚିମବଙ୍ଗ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିବା ସବୁଠାରୁ କମ ବୟସ୍କ ଖେଳାଳି ପାଲଟିଛନ୍ତି।
ଓପନିଂ ବ୍ୟାଟ୍ସମ୍ୟାନ ଭାବେ ଖେଳିଥିବା ଅଙ୍କିତ ୨୩ ଜାନୁଆରୀ ୨୦୨୫ରେ ମାତ୍ର ୧୫ ବର୍ଷ ୩୬୧ ଦିନ ବୟସରେ ଏହି ସଫଳତା ପାଇଥିଲେ। ସେ ପଶ୍ଚିମବଙ୍ଗ୍ର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଏବଂ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିଛନ୍ତି। ଗାଙ୍ଗୁଲି ୩୫ ବର୍ଷ ପୂର୍ବେ ୧୯୯୦ ରଣଜୀ ଟ୍ରଫି ଫାଇନାଲରେ ୧୭ ବର୍ଷ ବୟସରେ ଡେବ୍ୟୁ କରିଥିଲେ। ତେବେ ଅଙ୍କିତ ତାଙ୍କ ଜନ୍ମଦିନ (୨୭ ଜାନୁଆରୀ) ପୂର୍ବରୁ ଏହି ଆଶ୍ଚର୍ଯ୍ୟଜନକ କାରନାମା କରିଥିଲେ।
ଅଙ୍କିତ ବର୍ତ୍ତମାନ ପଶ୍ଚିମବଙ୍ଗର ଏକ ସ୍କୁଲରେ ଦଶମ ଶ୍ରେଣୀରେ ପଢୁଛନ୍ତି। ସେ ସମ୍ପ୍ରତି ଭିନୁ ମାଙ୍କଡ ଟ୍ରଫିରେ ନିଜର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏହି ସମୟ ମଧ୍ୟରେ ସେ ୪୨ ହାରରେ ୩୭୬ ରନ କରିଥିଲେ। ଏହା ବ୍ୟତୀତ, ୨୦୨୪ ମସିହାରେ କୁଚ ବିହାର ଟ୍ରଫିରେ ସେ ୪୧ ହାରରେ ୩୨୫ ରନ କରିଥିଲେ।


