Posted inଫୁରସତ

ଆଜ୍ଞା, ଈଶ୍ୱରଙ୍କୁ ଦେଖିଛନ୍ତି କି

ଈଶ୍ୱରଙ୍କ ମହିମା ଏବଂ ଲୀଳାଗୁଡ଼ିକୁ ବିଭିନ୍ନ ଶାସ୍ତ୍ର ପୁରାଣ, ଗୀତା, ଭାଗବତ, ପ୍ରବଚନ ଅବା ଅନେକ ଭକ୍ତଙ୍କ ଦିବ୍ୟାନୁଭୂତିକୁ ଶ୍ରବଣ କରିସାରିବା ପରେ ଆଧ୍ୟାତ୍ମିକ ଦୁନିଆରେ ପାଦ ଥାପୁଥିବା ଅବା ଏ ଇଲାକାରେ ଅନେକ ଦିନ ହେଲା ଘୂରି ବୁଲୁଥିବା ଜିଜ୍ଞାସୁ ଜଣଙ୍କ ମନରେ ସ୍ବାଭାବିକ ପ୍ରଶ୍ନଟିଏ ଉଙ୍କିମାରେ- ଆରେ, ଏ ସର୍ବଶକ୍ତିମାନ ବୋଲାଉଥିବା ଈଶ୍ୱରଙ୍କ ରୂପ ପ୍ରକୃତରେ କେମିତିକା ମ? ସେ କଳା, ଗୋରା ନା ସାବନା! ସେ ଡେଙ୍ଗା, ଗେଡ଼ା ନା ମଧ୍ୟମ ଧରଣର!! ସେ ଧୋତିପିନ୍ଧା ନା ପ୍ୟାଣ୍ଟ ସାର୍ଟ ପିନ୍ଧା !!! ସୌଭାଗ୍ୟ ହେଉ ବା ଦୁର୍ଭାଗ୍ୟ, ଆଜି ପର୍ଯ୍ୟନ୍ତ ଈଶ୍ୱରଙ୍କର ସେମିତି କିଛି ନିର୍ଦ୍ଧାରିତ ନିର୍ଦ୍ଦିଷ୍ଟ ରୂପ ଜଣେ ସାଧାରଣ ଲୋକ ପାଖରେ ନାହିଁ। ଯେମିତି କି ଉଦାହରଣ ନିଆଯାଉ- ନବୀନ ପଟ୍ଟନାୟକ। ଏ ମହାଶୟଙ୍କ ବିଷୟରେ ହଜାରେ ଲେଖକ ରୂପ ବର୍ଣ୍ଣନା କଲେ ବି ସବୁ ବର୍ଣ୍ଣନା ଗୋଟିଏ ହିଁ ହେବ- ଚୁଡିଦାର ପଞ୍ଜାବୀ ପିନ୍ଧନ୍ତି। ଧଳା ରଙ୍ଗର। ଉଚ୍ଚତା ବି ଅଛି। ଚୁଟିର ଷ୍ଟାଇଲ ଏମିତି। ସବୁବେଳେ ଚପଲ ବା ସାଣ୍ଡେଲ ପିନ୍ଧନ୍ତି-ଏମିତି ଅନେକ କଥା।

ସବୁକଥା ଛାଡ଼ନ୍ତୁ। ଈଶ୍ୱରଙ୍କ ରଙ୍ଗ ବିଷୟରେ ଦେଖିଲେ କ’ଣ ସବୁ ଲେଖାହୋଇଛି ଆମ ଶାସ୍ତ୍ରରେ। କିଏ କହିଲେଣି ବିଷ୍ଣୁ ହେଉଛନ୍ତି ଧଳା। ଧବଳ ବର୍ଣ୍ଣ। କୋଉ ଶାସ୍ତ୍ର କହିଲେଣି ନା, ନା। ଧଳା ନୁହେଁ, ନୀଳ। ଗୋଟିଏ ଶ୍ଳୋକ କହିଲେ, ଧଳା ନୁହେଁ କି ନୀଳ ନୁହେଁ। ସେ ହେଉଛନ୍ତି କଳା। ଆଚ୍ଛା, ଅସଲରେ ଜଣେ କ’ଣ ବୋଲି ଭାବିବ?

ଅନେକ ସଭା ସମିତିରେ ହରିକଥା କହି ମଂଚରୁ ଓହ୍ଲାଉଥିବାବେଳେ ବହୁ ଲୋକ, ସେମାନଙ୍କ ମଧ୍ୟରେ ଉଚ୍ଚ ଶିକ୍ଷିତ ବି ଥାଆନ୍ତି, ପଚାରି ବସନ୍ତି- ଆଜ୍ଞା, ଆପଣ ଭଗବାନଙ୍କୁ ଦେଖିଛନ୍ତି? କ’ଣ ହୋଇପାରେ ତା ଉତ୍ତର। ଏହାର ଉତ୍ତର ତିନି ପ୍ରକାର ହୋଇପାରେ- ‘ହଁ’, ‘ନାଁ’ କିମ୍ବା ‘ସେ ସର୍ବତ୍ର ବିରାଜିତ। ସବୁ ରୂପରେ ମୁଁ ତାଙ୍କୁ ଦେଖେ’। ଯଦି ‘ହଁ’ ବୋଲି କହିଦେଲ, ତେବେ ଲୋକେ ଆଉ ପିଚ୍ଛା ଛାଡିବେନି। ଗୋଡ଼ାଇ ଗୋଡ଼ାଇ ହାତ ମଳି ମଳି ପଚାରିବେ- ସେ କେମିତିକା ଟିକେ ଦୟାକରି କୁହନ୍ତୁ? ଯଦି ‘ନା’ କହିବେ ତେବେ ଲୋକ ଭାବିବେ, ଏଇଟା ଚଷୁକୁଟା ବଳଦ। କିଛି ଜାଣିନି। ବେଶି ଗପୁଛି। ଯଦି ଉତ୍ତର ଦେବେ ‘ମୁଁ ତାଙ୍କୁ ସର୍ବଭୂତରେ ସବୁ ରୂପରେ ଦେଖେ’, ତେବେ ଲୋକ ଭାବି ବସନ୍ତି, ଏଇଟା ସୁବିଧାବାଦୀ ଲୋକଟା। ସହଜରେ ଖସିଯିବା ଭଳିଆ ଉତ୍ତର ଦେଉଛି ଇୟେ।

ପାଠକେ! ‘ବେଦ’ କହିଲେ-ଦେବସ୍ୟ ପ୍ରତିମା ନାସ୍ତି। ଈଶ୍ୱରଙ୍କ ପ୍ରତିମା ବା ରୂୂପ ନାହିଁ। ସେ ଅବ୍ୟକ୍ତ, ଅରୂପ ବା ନିରାକାର। ଏହାକୁ ମାନି ବହୁତ ଲୋକ ବି ଅଛନ୍ତି। ସେମାନଙ୍କୁ ବେଦାନ୍ତୀ ବା ଜ୍ଞାନ ମାର୍ଗୀ ବୋଲି ଧରାଯାଏ। ଆଉ କେହି କେହି ସନ୍ଥ ମହାପୁରୁଷ ଈଶ୍ୱରଙ୍କୁ ରାମ, କୃଷ୍ଣ ବା ଜଗନ୍ନାଥଙ୍କ ରୂପରେ ବି ପ୍ରତିଷ୍ଠା କରାଇଛନ୍ତି। ଅଧ୍ୟାତ୍ମ ପ୍ରାଣ ବ୍ୟକ୍ତିମାନେ ଏ ଧାରାକୁ ବି ସ୍ବୀକାର କରନ୍ତି। ଆନନ୍ଦରେ ଭାବ ବିଭୋର ହୋଇ ଈଶ୍ୱରଙ୍କ ଏ ରୂପକୁ ଧ୍ୟାନ କରି ନାଟ କୀର୍ତ୍ତନ ବି କରନ୍ତି। ଏଥିରୁ ବି ସେମାନଙ୍କୁ ଆନନ୍ଦ ମିଳେ ବା ମିଳୁଛି। ତେବେ ଅସଲ ରୂପଟା କ’ଣ? ଠିକ୍‌ ଅଛି, ଜଣେ ଜଗନ୍ନାଥଙ୍କୁ ଈଶ୍ୱରଙ୍କ ରୂପ ବୋଲି ମାନିନେଲା। ହେଲେ ପଣସ ଖାଇବାକୁ ଗଲାବେଳେ ମତ ବଳରାମ ଦାସଙ୍କୁ କ’ଣ ସେହି ରୂପ ଦେଖାଇ କହିଥିଲେ-ଚାଲ, ପଣସ ଖାଇବାକୁ ଯିବା! ହାତ ତ ନଥିଲା। ଦାସିଆର ନଡିଆଟିକୁ କିପରି ସେ ନେଇଗଲେ!! ଆଚ୍ଛା, ଗଣପତି ଭଟ୍ଟଙ୍କୁ ଗଣେଶ ରୂପରେ କେମିତି ଦେଖାଦେଲେ!!! ପ୍ରକୃତରେ ଜଗନ୍ନାଥଙ୍କ ଅଥେନ୍‌ଟିକ୍‌ ରୂପ କ’ଣ?- ସାଧାରଣ ଲୋକଟି ଏମିତି କେତେ କ’ଣ ଭାବି ତା ମନ ରାଇଜରେ ଅସ୍ତବ୍ୟସ୍ତ ହେଉଥାଏ।

ଇଏତ ବଡ଼ ଗହନ କଥା। ତେବେ କ’ଣ ଏହାର ସିଦ୍ଧାନ୍ତ? ଭାଗବତରେ ଲେଖାଅଛି-ଗୁରୁଟି ସର୍ବଧର୍ମମୟେ। ମୁହିଁ ବସଇ ଗୁରୁଦେହେ। ଈଶ୍ୱର ଯଦି ଗୁରୁଙ୍କ ଦେହରେ ବସନ୍ତି ତେବେ ତାଙ୍କୁ ହିଁ ପଚାରିଲେ ଠିକ୍‌ ଉତ୍ତର ମିଳିବ। ଚାଲନ୍ତୁ, ଗୁରୁଙ୍କୁ ବିନୀତ ଜିଜ୍ଞାସା କରିବା। ଶ୍ରୀ ଗୁରୁଦେବ ଉତ୍ତର ଦେଲେ, ବରଫ-ପାଣି-ବାଷ୍ପ। ପଦାର୍ଥ ଗୋଟିଏ, ରୂପ ଅଲଗା। ବରଫର ନିର୍ଦ୍ଦିଷ୍ଟ ଆକୃତି ଅଛି। ପାଣିର ଆକୃତି ନାହିଁ। ପାତ୍ର ଅନୁସାରେ ତା’ର ଆକୃତି। ଆଉ ‘ବାଷ୍ପ’ ନିରାକାର। ଯେଉଁମାନେ ଈଶ୍ୱରଙ୍କୁ ନିରାକାର ବୋଲି ଭାବନ୍ତି ସେମାନେ ବରଫର ‘ବାଷ୍ପ’ ରୂପର ଉପାସକ। ଶୀତଳତା ଆସିଲେ ‘ବାଷ୍ପ’ ପାଣିରେ ପରିଣତ ହୁଏ। ଠିକ୍‌ ସେହିପରି ସାଧନ ଭଜନରେ ଭାବଭକ୍ତିିର ଶୀତଳତା ଆସିଲେ ନିରାକାର ଈଶ୍ୱର ସାଧକ ମନର ଭାବନା ଅନୁସାରେ ରୂପ ନିଅନ୍ତି। ଗଣପତି ଭଟ୍ଟ ଚାହିଁଲେ ‘ଗଣେଶ’ ରୂପରେ ଦର୍ଶନ କରିବେ। ପ୍ରଭୁ ସେଇ ରୂପରେ ହିଁ ଦର୍ଶନ ଦେଲେ। ସେ ଯଦି ଚାହିଁଥାନ୍ତେ ‘ପ୍ରଭୂ ମୋତେ ଭାଲୁ ରୂପରେ ଦର୍ଶନ ଦିଅନ୍ତୁ, ଜଗନ୍ନାଥ ନିଶ୍ଚେ ସେଇ ରୂପରେ ଦର୍ଶନ ଦେଇଥାନ୍ତେ। ଶିରିଡ଼ି ସାଇ ବି ଅନେକ ସମୟରେ କୁକୁର, ଫେରିବାଲା, ପୋଲିସ, ଡାକ୍ତର ରୂପ ନେଇ ଭକ୍ତମାନଙ୍କ ଘରେ ପହଞ୍ଚନ୍ତି ବୋଲି ବାବାଙ୍କର ଅନେକ ଅନୁଗାମୀ କୁହନ୍ତି। ସ୍ବୟଂ ଜଗନ୍ନାଥ ବି ଅନେକ ରୂପ ଧରି ଅନେକ ଭକ୍ତଙ୍କ ଅଭାବ ଅସୁବିଧା ବା ବିପତ୍ତିରେ ଉପସ୍ଥିତ ହୁଅନ୍ତି ବୋଲି ବହୁ ଲେଖା ଓ ଗାଥା ଅଛି। ଆଉ ହଁ, ରାମ, କୃଷ୍ଣ, ଜଗନ୍ନାଥ ଆଦି ହେଉଛନ୍ତି ‘ବାଷ୍ପ’ର ‘ବରଫ’ ରୂପ। ନିର୍ଦ୍ଦିଷ୍ଟ ଆକୃତି ଅଛି।

ବରଫ, ପାଣି ଓ ବାଷ୍ପ ଯେମିତି ଗୋଟିଏ ପଦାର୍ଥର ରୂପାନ୍ତର ଠିକ୍‌ ସେମିତି ଯିଏ ଯେମିତି ଢଙ୍ଗରେ ଈଶ୍ୱରଙ୍କୁ ଡାକୁନା କାହିଁକି, ସମସ୍ତଙ୍କର ଲକ୍ଷ୍ୟ ହେଉଛି ଗୋଟିଏ-ଆନନ୍ଦ ପ୍ରାପ୍ତି। ଏଇ ‘ଆନନ୍ଦ’ର ସମ ପର୍ଯ୍ୟାୟବାଚୀ ଶବ୍ଦ ହେଉଛି ସଚିଦାନନ୍ଦ ବା ପରମାତ୍ମା। ପରମାତ୍ମା ହିଁ ଆନନ୍ଦ ସ୍ବରୂପ। ନିରାକାରଙ୍କ ଠାରୁ ଆନନ୍ଦ ମିଳେ, ସାକାରଙ୍କଠାରୁ ବି ଆନନ୍ଦ ମିଳେ।

ପାଠକେ! ଆମେ ଆଉ ଏତେ ଗୋଳିଆ ଘଣ୍ଟା ଭିତରକୁ ପଶିବା ନାହିଁ। ଯାହାର ଯେମିତି ମନ ବୁଝୁଛି ସିଏ ସେହି ବାଟରେ ଆଗଉ। ଚଖା ଚଖି ବା ତର୍କ ବିତର୍କରେ ସମୟ ସାରିବାନି। ସମୟ ଅଳପ। ପଥ ବହୁଦୂର। ହଁ, ଆଉ ଗୋଟିଏ କଥା ଛାଡିଗଲି। କିଏ କେମିତି ଈଶ୍ୱରଙ୍କୁ ଦେଖିଛି- ଏ କଥା କାହାକୁ ପଚାରିବା କି ଦରକାର? ଯିଏ ଯେଝାର ଭାବନା ଅନୁସାରେ ଦେଖୁଛନ୍ତି। ଆମେ ଆଗେ ନିଜର ଭାବନାକୁ ଠିକ୍‌ କରିବା। ଈଶ୍ୱରଙ୍କୁ ମୁଁ ବାଷ୍ପ, ପାଣି ବା ବରଫ, କୋଉ ହିସାବରେ ଦେଖିବି ତାହା ଆଜିଠୁ ଥୟ କରିନେବା ଉଚିତ।

-ଶ୍ରୀ ସନ୍ନ୍ୟାସୀ
-ଦିବ୍ୟାଲୋକ ସନ୍ଧାନେ, ତେଲେଙ୍ଗାପେଣ୍ଠ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri